ବାତ୍ୟା ଫୋନି କ୍ଷୟକ୍ଷତି ଆକଳନ କରୁଛି ୩ ଜଣିଆ ଏନଡିଏମଏ ଟିମ୍, ଆଜି ରାଜସ୍ବ ମନ୍ତ୍ରୀଙ୍କ ସହ ବୈଠକ

Published By : Prameya-News7 Bureau | June 12, 2019 IST

ଭୁବନେଶ୍ବର ୧୨|୬: ବାତ୍ୟା ଫୋନିକୁ ମାସେରୁ ଅଧିକ ସମୟ ବିତିଲାଣି । ହେଲେ ରାଜ୍ୟରେ ବାତ୍ୟା କ୍ଷତିଗ୍ରସ୍ତଙ୍କ ଅବସ୍ଥା ଏବେବି ସୁଧୁରିନି ।  ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ୩ ଜଣିଆ ସଦସ୍ୟ ରାଜ୍ୟରେ କ୍ଷୟକ୍ଷତି ଆକଳନ କରୁଛନ୍ତି । କମଲ କିଶୋରଙ୍କ ଅଧ୍ୟକ୍ଷତାରେ ଆସିଥିବା ଏହି ଟିମ୍ ରାଜ୍ୟର ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ସ୍ଥିତି ଅନୁଧ୍ୟାନ କରୁଛନ୍ତି । ପ୍ରଭାବିତ ଅଞ୍ଚଳ ପରିଦର୍ଶନ ପୂର୍ବରୁ ଏହି ଟିମ୍ ମଙ୍ଗଳବାର ଏସ୍ଆରସିଙ୍କୁ ଭେଟି ଆଲୋଚନା କରିଥିଲେ ।

ଆଜି ଟିମ୍ ରାଜ୍ୟର ଅନ୍ୟ ବରିଷ୍ଠ ଆଧିକାରୀଙ୍କ ସହ ଆଲୋଚନା କରିବା ପରେ ରାଜସ୍ବ ମନ୍ତ୍ରୀଙ୍କୁ ଭେଟିବେ । ପରେ ଟିମ୍ ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି କ୍ଷୟକ୍ଷତି ଆକଳନ କରିବା ପରେ ୧୩ରେ ମୁଖ୍ୟ ଶାସନ ସଚିବଙ୍କୁ ଭେଟିବେ । ଖୁବ୍‌ଶୀଘ୍ର ଏହି ଟିମ୍ କେନ୍ଦ୍ରକୁ ରିପୋର୍ଟ ପ୍ରଦାନ କରିବେ ।

ମଙ୍ଗଳବାର ଏହି ଟିମ୍  ଖୋର୍ଦ୍ଧା ଜିଲ୍ଲାର ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବା ପରେ ସରକାରଙ୍କ ପକ୍ଷରୁ ପୁରୁଦ୍ଧାର ଓ ଥଇଥାନ ପାଇଁ ନିଆଯାଇଥିବା ପଦକ୍ଷେପ ସଂପର୍କରେ ଅନୁଧ୍ୟାନ କରିଥିଲେ । ଫୋନି ବାତ୍ୟାରେ ରିଲିଫ୍ ଓ କ୍ଷୟକ୍ଷତି ଭରଣା ପାଇଁ ରାଜ୍ୟ ସରକାର ନେଇଥିବା ପଦକ୍ଷେପକୁ ଏହି ଟିମ୍ ପ୍ରଶଂସା କରିଛନ୍ତି ।

ସେପଟେ କେନ୍ଦ୍ରୀୟ ଟିମ୍ ସହ ଆଲୋଚନା ପରେ ସ୍ବତନ୍ତ୍ର ରିଲିଫ୍ କମିଶନର ତଥା OSDMSର ପରିଚାଳନା ନିର୍ଦ୍ଦେଶକ ବିଷ୍ଣୁପଦ ସେଠୀ କହିଛନ୍ତି, କେନ୍ଦ୍ରୀୟ ଟିମ୍‌କୁ ସମସ୍ତ କ୍ଷୟକ୍ଷତିର ରିପୋର୍ଟ ଦିଆଯାଇଛି । ବାତ୍ୟା ପରିଚାଳନା ପାଇଁ ଦୀର୍ଘମିଆଦି ପ୍ରକଳ୍ପ ଉପରେ ଆଲୋଚନା ହୋଇଛି । ମୌସୁମୀ ଆସିବା ପୂର୍ବରୁ ଭଙ୍ଗା ଘର ଗୁଡିକୁ ମରାମତି ପାଇଁ ପୁରୀ ଜିଲ୍ଲାପାଳଙ୍କୁ ୨୦୦ କୋଟି ଟଙ୍କା ପ୍ରଥମ କିସ୍ତିରେ ଦିଆଯାଇଛି ଏବଂ ସ୍କୁଲ ଘର ତୁରନ୍ତ ମରାମତି ପାଇଁ ପଞ୍ଚାୟତିରାଜ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଏସ୍ଆରସି ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.