ଦେଶରେ କୋଭିଡ଼ର ଦୈନିକ ସଂକ୍ରମଣରେ ବଡ଼ଧରଣର ହ୍ରାସ, ଗତ ୨୪ଘଣ୍ଟାରେ ୧୨୫୮୪ କରୋନା ସଂକ୍ରମିତ ଚିହ୍ନଟ
12/01/2021 at 10:41 AM

ନୂଆଦିଲ୍ଲୀ ୧୨।୦୧: ଦେଶରେ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି କରୋନା ଭାକ୍ସିନ୍ର ଟୀକାକରଣ। ଏଥିଲାଗି ପ୍ରସ୍ତୁତ ମଧ୍ୟ ଜୋରଦାର ହୋଇଛି । ଦେଶରେ ବିଭିନ୍ନ ସ୍ଥାନରେ ଟୀକାକରଣ ପାଇଁ କୋଭିସିଲ୍ଡ ଭାକ୍ସିନ୍ ଯୋଗାଣ ଆରମ୍ଭ ହୋଇଛି । କିନ୍ତୁ ଏସବୁ ଭିତରେ ଗତ ୨୪ଘଣ୍ଟାରେ ୧୨,୫୮୪ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୬୭ଜଣଙ୍କ ମୃତ୍ୟୁ ହୋଇଛି ।
କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଗତ ୨୪ଘଣ୍ଟାରେ ୧୨,୫୮୪ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାହାକୁ ମିଶାଇ ଦେଶରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୦୪,୭୯,୧୭୯ରେ ପହଞ୍ଚିଛି । ସେହିପରି ଗତ ୨୪ଘଣ୍ଟା ମଧ୍ୟରେ ୧୬୭ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ଯାହାକୁ ମିଶାଇ ୧,୫୧,୩୨୭ ଜଣ କରୋନାରେ ମୃତ୍ୟୁ ହୋଇସାରିଛନ୍ତି ।
ଅନ୍ୟପଟେ କରୋନାରୁ ଗତ ୨୪ଘଣ୍ଟାରେ ୧୮,୩୮୫ କରୋନା ଆକ୍ରାନ୍ତ ମେଡିକାଲରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଯାହାକୁ ମିଶାଇ ଏବେ ଯାଏଁ ମୋଟ ୧,୦୧,୧୧,୨୯୪ ଜଣ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଦେଶରେ ଲଗାତର ଭାବେ କରୋନାର ଆକ୍ଟିଭ୍ କେସ୍ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ଦେଶରେ ଏବେ କରୋନା ଆକ୍ଟିଭ୍ କେସ୍ ସଂଖ୍ୟା ୨, ୧୬,୫୫୮ରେ ରହିଛି ।