ବିହାରରେ କିଏ ହେବ ମୁଖ୍ୟମନ୍ତ୍ରୀ ? ନେତା ଚୟନ ଲାଗି ଆଜି NDA ବିଧାୟକ ଦଳ ବୈଠକ

Published By : Prameya-News7 Bureau | November 15, 2020 IST

ପାଟନା ୧୫।୧୧: ବିହାରରେ ନୀତୀଶ କୁମାରଙ୍କ ନେତୃତ୍ବରେ ନୂଆ ସରକାର ଗଠନ ଲାଗି ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏଥିପାଇଁ ଆଜି ଦିନ ସାଢେ ୧୨ଟାରେ ଏନଡିଏର ବୈଠକ ବସିବ । ଏଥିରେ ଏନ୍ ଡିଏର ସମସ୍ତ ବିଧାୟକ ଉପସ୍ଥିତ ରହିବେ। ବୈଠକର ନିଷ୍ପତ୍ତି ଅନୁସାରେ ଶପଥଗ୍ରହଣ ଉତ୍ସବର କାର୍ଯ୍ୟକ୍ରମ ଧାର୍ଯ୍ୟ ହେବ। ଏହା ପୂର୍ବରୁ ଶୁକ୍ରବାର ରାଜ୍ୟପାଳ ଫଗୁ ଚୌହାଣଙ୍କୁ ଭେଟି ନିଜର ଇସ୍ତଫାପତ୍ର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ।

ରାଜ୍ୟପାଳ ତାଙ୍କୁ ନୂଆ ସରକାର ଗଠନ ପର୍ଯ୍ୟନ୍ତ କାର୍ଯ୍ୟଭାର ସମ୍ଭାଳିବାକୁ ପରାମର୍ଶ ଦେଇଛନ୍ତି। ତେବେ ନୀତିଶଙ୍କୁ ଉଭୟ ବିଜେପି ଏବଂ ଜେଡିୟୁ ବିଧାୟକ ଦଳ ନେତା ଭାବେ ବଛାଯାଇଛି । ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନୀତୀଶଙ୍କ ଦଳ ଦୁର୍ବଳ ହୋଇଯାଇଥିବାରୁ ସେ ଆଉ ମୁଖ୍ୟମନ୍ତ୍ରୀ ହେବାକୁ ଚାହାନ୍ତି ନାହିଁ ବୋଲି ଏନ୍ ଡିଏ ନେତାଙ୍କୁ ଜଣାଇ ଦେଇଛନ୍ତି। ସେପଟେ ଉପମୁଖ୍ୟମନ୍ତ୍ରୀ ପଦକୁ ନେଇ ମଧ୍ୟ କେଁ ବାହାରିଛି।

ଏନଡିଏ ସରକାରରେ ନୀତୀଶଙ୍କ ଡେପୁଟି ବା ଉପମୁଖ୍ୟମନ୍ତ୍ରୀ ରହି ଆସିଥିବା ବିଜେପି ନେତା ସୁଶୀଲ କୁମାର ମୋଦୀଙ୍କୁ ଆଉ ରାଜ୍ୟରେ ରଖିବାକୁ ଚାହୁନି ବିଜେପି। ତାଙ୍କ ସ୍ଥାନରେ ବିଜେପିର ଦଳିତ ନେତା କାମେଶ୍ବର ଚୌପାଲଙ୍କୁ ଉପମୁଖ୍ୟମନ୍ତ୍ରୀ କରିବାକୁ ଯୋଜନା କରିଛି। କିନ୍ତୁ ନୀତୀଶ ଏଥିରେ ରାଜି ହେଉ ନାହାନ୍ତି। ସେ କୌଣସି ପରିସ୍ଥିତିରେ ସୁଶୀଲଙ୍କୁ ଛାଡ଼ିବାକୁ ଚାହୁ ନାହାନ୍ତି। ଏସଂପର୍କରେ ନୀତୀଶ ଓ ବିଜେପି ନେତାମାନଙ୍କ ମଧ୍ୟରେ କଥାବାର୍ତା ଚାଲିଛି।

ରାଜ୍ୟରେ କେଉଁ ବିଜେପି ନେତା ଉପମୁଖ୍ୟମନ୍ତ୍ରୀ ହେବେ ତାହା ବିଜେପି ଉପରେ ନିର୍ଭର କରୁଛି। କିନ୍ତୁ ବିଜେପି ନୀତୀଶଙ୍କୁ ମଧ୍ୟ ଅସନ୍ତୁଷ୍ଟ କରିବାକୁ ଚାହୁନାହିଁ। ସୁଶୀଲଙ୍କୁ ରାଜ୍ୟସଭା ପଠାଇବାକୁ ଯୋଜନା କରୁଛି। ରାମବିଳାସ ପାଶ୍ବାନଙ୍କ ପରଲୋକ ପରେ ରାଜ୍ୟସଭା ପାଇଁ ଖାଲି ପଡ଼ିଥିବା ଆସନରୁ ସୁଶୀଲଙ୍କୁ ପ୍ରାର୍ଥୀ କରାଯାଇପାରେ। କିନ୍ତୁ ଏସଂପର୍କରେ କିଛି ଚୂଡାନ୍ତ ନିଷ୍ପତ୍ତି ହୋଇନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.