ରାଜ୍ୟସଭାରେ ସେଞ୍ଚୁରି ମାରିଲା ଏନଡିଏ ; ୧୦୪ରେ ପହଞ୍ଚିଲା ଆସନ ସଂଖ୍ୟା, ୩୮କୁ ଖସିଲା କଂଗ୍ରେସ

Published By : Prameya-News7 Bureau | November 07, 2020 IST

ନୂଆଦିଲ୍ଲୀ ୦୭/୧୧ : ରାଜ୍ୟସଭାରେ ପୁଣି ଦବଦବା ଜାହିର କରିଛି ଏନଡିଏ ମେଣ୍ଟ । ରାଜ୍ୟସଭାରେ ଏନଡିଏ ସଦସ୍ୟ ସଂଖ୍ୟା ୧୦୦ ପାର କରିଛି । କେନ୍ଦ୍ରମନ୍ତ୍ରୀ ହରଦୀପ ସିଂ ପୁରୀଙ୍କ ସମେତ ୯ ଜଣ ବିଜେପି ପ୍ରାର୍ଥୀ ନିର୍ଦ୍ବନ୍ଦରେ ନିର୍ବାଚିତ ହେବା ପରେ ରାଜ୍ୟସଭାରେ ଏନଡିଏ ମେଣ୍ଟ ସଦସ୍ୟ ସଂଖ୍ୟା ୧୦୪ରେ ପହଞ୍ଚିଛି । ଅନ୍ୟ ପଟେ ୨୪୨ ଆସନ ବିଶିଷ୍ଟ ରାଜ୍ୟସଭାରେ କଂଗ୍ରେସ ସର୍ବକାଳୀନ କମ ସଂଖ୍ୟା ଅର୍ଥାତ ୩୮ କୁ ଖସି ଆସିଛି ।

ଏନଡିଏ ପକ୍ଷରୁ ମୋଟ ୧୧ ପ୍ରାର୍ଥୀଙ୍କ ମଧ୍ୟରୁ ଉତ୍ତରପ୍ରଦେଶରୁ ୧୦ ଜଣ ଏବଂ ଉତ୍ତରାଖଣ୍ଡରୁ ଜଣେ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି । ନିର୍ବାଚିତ ହୋଇଥିବା ଏନଡିଏର ମୋଟ ୧୧ ସଦସ୍ୟଙ୍କ ମଧ୍ୟରେ କେନ୍ଦ୍ର ସହର ବିକାଶ ମନ୍ତ୍ରୀ ହରଦୀପ ସିଂଙ୍କ ସମେତ ୯ଜଣ ଭାରତୀୟ ଜନତା ପାର୍ଟି ସଦସ୍ୟ ଅଛନ୍ତି । ତେବେ ରାଜ୍ୟସଭାରେ କେବଳ ବିଜେପିର ସଦସ୍ୟ ସଂଖ୍ୟା ୯୨ରେ ପହଞ୍ଚିଛି। ସରକାରରେ ଥିବା ଏନଡିଏ ମେଣ୍ଟରେ ବହୁତ ଗୁଡିଏ ଛୋଟ ଛୋଟ ଦଳ ମଧ୍ୟ ରହିଛନ୍ତି । NDA ମେଣ୍ଟରେ ଥିବା  RPI, AGP, MNF, NPP, NPF, PMK ଏବଂ BPF ପାର୍ଟିର ରାଜ୍ୟସଭାରେ ଗୋଟିଏ ଲେଖାଏଁ ସିଟ ରହିଛି । ବର୍ତ୍ତମାନ ରାଜ୍ୟସଭାରେ ମୋଟ ୨୪୨ ଆସନରୁ ଏନଡିଏ ମେଣ୍ଟ ସିଟ ସଂଖ୍ୟା ୧୦୪ରେ ପହଞ୍ଚିଛି ଏବଂ ଆଉ ୪ ଜଣ ନିର୍ବାଚିତ ସଦସ୍ୟଙ୍କ ସମର୍ଥନ ମିଳିପାରେ । ତେବେ ବିଜେପି ଗୁରୁତ୍ବପୂର୍ଣ୍ଣ ବିଧେୟକ ପାରିତ ସମୟରେ ବିଜେଡିର ୯, ଏଆଇଏଡିଏମକେର ୯, ଟିଆରଏସର ୭ ଏବଂ ଓ୍ବାଇଏସଆରସିପିର ୬ ସଦସ୍ୟଙ୍କ ସହାୟତା ନେଇପାରିବ । ଏହି ଦଳ ଗୁଡିକ ବିଭିନ୍ନ ସମୟରେ ଏନଡିଏ ଦ୍ବାରା ଅଣାଯାଇଥିବା ବିଲ ଗୁଡିକୁ ସମର୍ଥନ କରିଛନ୍ତି । 

ସମାଜବାଦୀ ପାର୍ଟି ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡରେ ୩ଟି ସିଟ ହରାଇଛି ଏବଂ ବହୁଜନ ସମାଜ ପାର୍ଟି ଗୋଟିଏ ସିଟ ହରାଇଛି । ଏହାର ଫାଇଦା ଶାସକ ଦଳ ଉଠାଇବା ସହିତ ଶାସନକଳକୁ ଆହୁରୀ ମଜଭୁତ କରିବା ପାଇଁ ଏହା ସହା୍ରକ ହେବ । ତେବେ ଆଜି ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଥିବା ବିଜେପି ସଦସ୍ୟମାନେ ହେଲେ ନିରଜ ଶିଖର, ଅରୁଣ ସିଂ, ଗୀତା ସାକ୍ୟା, ହରିଦ୍ବାର ଦୁବେ, ବ୍ରିଜଲାଲ, ବିଏଲ ବର୍ମା ଏବଂ ସୀମା ଦ୍ବିବେଦୀ, ସମାଜବାଦୀ ପାର୍ଟିର ରାମ ଗୋପାଳ ଯାଦବ ଏବଂ ବିଏସପିର ରାମଜୀ ଗୌତମ । ନୂତନ ଭାବେ ନିର୍ବାଚିତ ହୋଇଥିବା ସଦସ୍ୟମାନଙ୍କର କାର୍ଯ୍ୟକାଳ ନଭେମ୍ବର ୨୫, ୨୦୨୦ରୁ ନଭେମ୍ବର ୨୪, ୨୦୨୬ ଯାଏଁ ରହିବ । ମଙ୍ଗଳବାର ସମାଜବାଦୀ ପାର୍ଟି ସମର୍ଥିତ ପ୍ରାର୍ଥୀ ନାମାଙ୍କନ ଦାଖଲ ବେଳେ ହାଇ ଡ୍ରାମା ଦେଖିବାକୁ ମିଳିଥିଲା । ନାମାଙ୍କନ ଭରିବାର ଶେଷ ତାରିଖରେ ନିର୍ବାଚନ କମିଶନଙ୍କ ଦ୍ବାରା ଦିଆଯାଇଥିବା ଡେଡ୍ ଲାଇନର ଠିକ ପୂର୍ବରୁ ନାମାଙ୍କନ କେନ୍ଦ୍ର ଭିତରକୁ ପ୍ରବେଶ କରିଥିଲେ ସମାଜବାଦୀ ପାର୍ଟି ସମର୍ଥିତ ପ୍ରାର୍ଥୀ ପ୍ରକାଶ ବଜାଜ । ଅବଶ୍ୟ ଯାଞ୍ଚ ବେଳେ ତାଙ୍କର ନାମାଙ୍କନ ପତ୍ର ଖାରଜ ହୋଇ ଯାଇଥିଲା । ତେବେ ବିଏସପି ପକ୍ଷରୁ ନାମାଙ୍କନ ଭରୁଥିବା ପ୍ରାର୍ଥୀ ରାମଜୀ ଗୌତମଙ୍କ ୪ ଜଣ ନୋମିନିଙ୍କ ହସ୍ତାକ୍ଷର ଜାଲ ଥିଲା ଏବଂ ପରେ ସେମାନେ ରିଟର୍ଣିଂ ଅଫିକରଙ୍କୁ ଏବାବଦରେ ଅବଗତ କରିଥିଲେ । ତେବେ ଦଳବିରୋଧୀ କାର୍ଯ୍ୟ ଅଭିଯୋଗରେ ବିଏସପି ସୁପ୍ରିମୋ ସେହି ୪ ଜଣଙ୍କ ସମେତ ଅନ୍ୟ ୩ଜଣଙ୍କୁ ଦଳରୁ ନିଲମ୍ବନ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.