ରହସ୍ୟ ଘେରରେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ ରୋହିତ ତିୱାରୀଙ୍କ ମୃତ୍ୟୁ ଘଟଣା, ମା କହିବାକୁ ଚାହୁଁଛନ୍ତି କିଛି ଗୁମର କଥା...

Published By : Prameya-News7 Bureau | April 19, 2019 IST

ଦିଲ୍ଲୀ ୧୯/୪ : ରୋହିତ ଶେଖର ତିୱାରୀ ମୃତ୍ୟୁ ଘଟଣାରେ ବୁଧବାର ଦିନ ୫ ଜଣିଆ ଡାକ୍ତରଙ୍କ ଟିମ ଶବ ବ୍ୟବଚ୍ଛେଦ କରିଥିଲେ | ଶବ ବ୍ୟବଚ୍ଛେଦ ପରେ ରିପୋର୍ଟକୁ ନେଇ ସନ୍ଦେହରେ ପଡିଗଲେ ଡାକ୍ତର | ଡାକ୍ତରମାନେ ପୋଲିସକୁ ଯୋଗାଯୋଗ କରି ରୋହିତଙ୍କ ୧୨ ବର୍ଷର ମେଡିକାଲ ଯାଞ୍ଚ ରିପୋର୍ଟ ମାଗିଥିଲେ | କାରଣ ରୋହିତଙ୍କ ବ୍ୟବଚ୍ଛେଦରୁ କିଛି ସ୍ପଷ୍ଟ ଜଣାପଡିନଥିଲା | ସମସ୍ତ ତଥ୍ୟ ପାଇଁ ସେ ୧୨ ବର୍ଷର ମେଡିକାଲ ଇତିହାସ ରିପୋର୍ଟ ମାଗିଥିଲେ |


ପୋଲିସକୁ ପରିବାର ସଦସ୍ୟ ଦେଇଥିବା ତଥ୍ୟ ଅନୁଯାୟୀ, ୨୦୦୭ ମସିହାରେ, ୨୬ ବର୍ଷ ବୟସରେ ରୋହିତଙ୍କୁ ପ୍ରଥମଥର ପାଇଁ ହୃଦଘାତ ହୋଇଥିଲା | ଏହାପରେ ତାଙ୍କର ଅପରେସନ କରାଯାଇଥିଲା | ୨୦୧୮ ମସିହାରେ ପୁଣିଥରେ ତାଙ୍କୁ ହୃଦଘାତ ସମସ୍ୟା ଦେଖା ଦେଇଥିଲା | ପୁଣିଥରେ ସାକେତ ସ୍ଥିତ ମେକ୍ସ ହସ୍ପିଟାଲରେ ଅପରେସନ କରାଯାଇଥିଲା | ଏହାପରେ ଲଗାତାର ସେ ମେକ୍ସ ହସ୍ପିଟାଲ ଡାକ୍ତରଙ୍କୁ ଯୋଗାଯୋଗ କରୁଥିଲେ | ରୋହିତଙ୍କ ସମସ୍ତ ତଥ୍ୟ ପାଇଁ ତାଙ୍କର ଶବ ବ୍ୟବଚ୍ଛେଦ କରୁଥିବା ଡାକ୍ତର ମେକ୍ସ ହସ୍ପିଟାଲ ଡାକ୍ତରଙ୍କୁ ସମ୍ପର୍କ କରିବା ପାଇଁ ପୋଲିସକୁ କହିଥିଲେ |
ପରିବାର ଲୋକେ କହିଛନ୍ତି ଯେ, ରୋହିତଙ୍କୁ ହୃଦଘାତ ଛଡା ଗ୍ୟାସ ଏବଂ ସ୍ଲିପିଂ ଡିଜଅର୍ଡର ସମସ୍ୟା ମଧ୍ୟ ଥିଲା | ପରିବାର ଲୋକେ ପୋଲିସକୁ ରୋହିତଙ୍କ ମେଡିକାଲ ହିଷ୍ଟ୍ରୀ ଏବଂ ଔଷଧ ତାଲିକା ହସ୍ତାନ୍ତର କରିଥିଲେ |

{"id":104942}


ଉତ୍ତର ପ୍ରଦେଶ ଏବଂ ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନଡି ତିୱାରୀଙ୍କ ପୁଅ ରୋହିତଙ୍କ ମଙ୍ଗଳବାର ଦିନ ସନ୍ଦହଜନକ ଅବସ୍ଥାରେ ମୃତ୍ୟୁ ହୋଇଥିଲା | ମୃତ୍ୟୁ ଘଟଣାରେ ଏବେ ପର୍ଯ୍ୟନ୍ତ ଏମିତି କୌଣସି ଆଖି ଦୃଶିଆ ପ୍ରମାଣ ସାମ୍ନାକୁ ଆସିନାହିଁ ଯାହା ଆଧାରରେ କାହାକୁ ସନ୍ଦେହ କରାଯାଇପାରିବ | ପୋଲିସ ତଦନ୍ତ ଜାରି ରଖିଛି | ୫ଟି ପ୍ରସଙ୍ଗରେ ପୋଲିସ ତଦନ୍ତ କରୁଛି |


ପ୍ରଥମତଃ ସୋମବାର ଦିନ ଭୋଟ ଦେଇ ରୋହିତ ରାତି ୧୧ଟା ବେଳେ ଡିଫେନ୍ସ କଲୋନୀ ସ୍ଥିତ ନିଜ ଘରକୁ ଫେରିଥିଲେ | ଘରେ ରାତ୍ରି ଭୋଜନ କରି ପାଖାପାଖି ୧୧.୩୦ରେ ସେ ନିଜ ରୁମକୁ ଚାଲିଯାଇଥିଲେ | ମଙ୍ଗଳବାର ଦିନ ସନ୍ଧ୍ୟା ୪ଟା ବେଳେ ଯେତେବେଳେ ଚାକର ତାଙ୍କ ରୁମକୁ ଯାଇ ଦେଖିଲା ରୋହିତଙ୍କ ନାକରୁ ରକ୍ତ ବାହାରୁଥିଲା | ସେ ପରିବାର ଲୋକଙ୍କୁ ଜଣାଇଥିଲେ | ସଂଗେ ସଂଗେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା | ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ | ତେବେ ସକାଳୁ ସେ ନ ଉଠିବା ଜାଣି ମଧ୍ୟ କେହି ତାଙ୍କୁ ଯାଇ ଉଠାଇ ନଥିଲେ କାହିଁକି ସେନେଇ ପୋଲିସ ତଦନ୍ତ କରୁଛି |

{"id":104943}


ଦ୍ୱିତୀୟତଃ ରୋହିତଙ୍କୁ ନିଦ ହେଉନଥିବା ଯୋଗୁଁ ସେ ଅନେକ ସମୟରେ ନିଦ ବଟିକା ବ୍ୟବହାର କରୁଥିଲେ | ତେବେ ଭୋଟ ଦେଇ ଫେରିବାବେଳେ ସେ ନିଦ ବଟିକା ଖାଇଥିଲେ ନା ଆଉ କିଛି ନିଶା ଦ୍ରବ୍ୟ ନେଇଥିଲେ ସେନେଇ ପୋଲିସ ତଦନ୍ତ କରୁଛି | ସେ ନିଶାସକ୍ତ ଅବସ୍ଥାରେ ନିଦ ବଟିକା ଖାଇଥିଲେ କି ଯାହାର ପ୍ରତିକ୍ରିୟାରେ ତାଙ୍କର ମୃତ୍ୟୁ ହୋଇଛି ବୋଲି ପୋଲିସ ସନ୍ଦେହ ପ୍ରକାଶ କରୁଛି | ଯଦି ପୋଲିସର ସନ୍ଦେହ ଠିକ ତାହେଲେ ତାଙ୍କୁ ନିଦ ବଟିକା କିଏ ଦେଇଥିଲା ସେନେଇ ପୋଲିସ ଯାଞ୍ଚ କରୁଛି |


ତୃତୀୟତଃ ରୋହିତଙ୍କ ମା ଉଜ୍ଜ୍ଵଳା ସାମ୍ବାଦିକଙ୍କୁ କହିଥିଲେ ଯେ, ରୋହିତ ଅବସାଦଗ୍ରସ୍ତ ଥିଲେ | ତେବେ ସେ କାହା ପାଇଁ ଅବସାଦଗ୍ରସ୍ତ ଥିଲେ ତାଙ୍କ ସମ୍ପର୍କରେ ସେ ପୋଲିସକୁ କହିବେ ବୋଲି କହିଥିଲେ | ସେ କହିଥିଲେ ଯେ, ତାଙ୍କ ମନରେ ବହୁତ କଥା ଅଛି କିନ୍ତୁ ଏହା ଉଚିତ ସମୟ ନୁହେଁ | ମା'ଙ୍କ ଏହି ବୟାନର ମାନେ କଣ ତାହା ପୋଲିସ ଜାଣିବାକୁ ଚାହୁଁଚି |

{"id":104944}


ଚତୁର୍ଥରେ ପୋଲିସ ଜାଣିବାକୁ ଉଦ୍ୟମ କରୁଛି ଯେ, ସେ ଯେତେବେଳେ କଟୋଦ୍ୱାର ଭୋଟ ଦେବା ପାଇଁ ଯାଇଥିଲେ ସେଠାରେ କାହା କାହାକୁ ସମ୍ପର୍କ କରିଥିଲେ | ସେଠାରେ କାହାକୁ ସାକ୍ଷାତ କରିଥିଲେ କି ଫୋନ କରିଥିଲେ କି ରୋହିତ ? ସେଥିପାଇଁ ପୋଲିସ ରୋହିତଙ୍କ ଫୋନରୁ କଲ ଡିଟେଲ ରେକର୍ଡ ଯାଞ୍ଚ କରୁଛି |


ପଞ୍ଚମରେ ପୋଲିସ ବର୍ତ୍ତମାନ ଜାଣିବାକୁ ଚାହୁଁଚି ଯେ, ଯେତେବେଳେ ରୋହିତ ନିଜ ରୁମକୁ ଯାଇଥିଲେ ସେତେବେଳେ ଘରର ବାକି ସଦସ୍ୟ କୁଆଡେ ଯାଇଥିଲେ | ତାଙ୍କୁ ଖାଇବାକୁ କିଏ ଦେଇଥିଲା ନା ସେ ନିଜେ ଆଣି ଖାଇଥିଲେ | ସେ ଯଦି ସକାଳୁ ଘରୁ ବାହାରିନଥିଲେ ତଥାପି ଘରଲୋକ କାହିଁକି ତାଙ୍କ ରୁମକୁ ଯାଇ ତାଙ୍କୁ ଡାକିନଥିଲେ | ସେନେଇ ପୋଲିସ ତଦନ୍ତ ଜାରି ରଖିଛି | ଏହାଛଡା ପୋଲିସ ସିସିଟିଭି ଫୁଟେଜରୁ ମଧ୍ୟ ତଥ୍ୟ ଖୋଜିବାକୁ ଚେଷ୍ଟା କରୁଛି |

{"id":104945}


ପୋଲିସ ଏହି ମାମଲାରେ ଭାଇ ସିଦ୍ଧାର୍ଥଙ୍କ ସମେତ ଘରର ବାକି ୧୦ ଜଣ ସଦସ୍ୟଙ୍କୁ ପଚରାଉଚୁରା କରୁଛି | ପୋଲିସ ଏବେ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରିଛି | ପୋଲିସ ରୋହିତଙ୍କ ସମେତ ୩ଜଣଙ୍କ କଲ ଡିଟେଲ ରେକର୍ଡ ଯାଞ୍ଚ କରୁଛି | ଘର ଭିତରେ ଏବଂ ବାହାରେ ଲାଗିଥିବା ୪ଟି ସିସିଟିଭିକୁ ପୋଲିସ ଜବତ କରିଛି | ଏବେ ପର୍ଯ୍ୟନ୍ତ ରୋହିତଙ୍କ ମୃତ୍ୟୁ ମାମଲାରେ ପାରିବାରିକ ବିବାଦ କିମ୍ବା ପ୍ରପର୍ଟି ବିବାଦ ଭଳି କୌଣସି ସଂକେତ ମିଳିନାହିଁ | ରୋହିତ ୨୦୧୭ ମସିହାରେ ବିଜେପିରେ ଯୋଗ ଦେଇଥିଲେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.