ବଦାୟୁ ମାମଲାରେ ମହିଳା କମିଶନ ସଦସ୍ୟାଙ୍କ ବିବାଦୀୟ ବୟାନ, କହିଲେ- ‘ପୀଡିତା ଯଦି ସଂଧ୍ୟା ବେଳେ ଘରୁ ନବାହାରିଥାନ୍ତେ, ତେବେ ଗଣଦୁଷ୍କର୍ମ ହୋଇନଥାନ୍ତେ’
8/01/2021 at 10:47 AM

ଲକ୍ଷ୍ମୌ ୦୮।୦୧: ଉତ୍ତରପ୍ରଦେଶର ବଦାୟୁ ଜିଲ୍ଲାରେ ୫୦ ବର୍ଷୀୟ ମହିଳାଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ଘଟଣା । ମାମଲାରେ ରାଷ୍ଟ୍ରୀୟ ମହିଳା ଆୟୋଗ ସଦସ୍ୟ ଚନ୍ଦ୍ରମୁଖୀ ଦେବୀ ଗୁରୁବାର ଦିନ ପୀଡିତାଙ୍କ ପରିବାର ନିକଟକୁ ଗସ୍ତ କରିଥିଲେ । ଘଟଣାକୁ ନେଇ ସ୍ଥାନୀୟ ପ୍ରଶାସନ ସହିତ ବୈଠକ ମଧ୍ୟ କରିଥିଲେ । କିନ୍ତୁ ଏହି ସମୟରେ ଚନ୍ଦ୍ରମୁଖୀ ଦେବୀ ଏକ ବିବାଦୀୟ ବୟାନ ଦେଇଛନ୍ତି । ଯାହାକି ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଏଭଳି ସଙ୍ଗୀନ ସମୟରେ ଏପରି ବୟାନ ଦେବା, କେତେ ଦୂର ଯୁକ୍ତିଯୁକ୍ତ ବୋଲି ସାଧାରଣାରେ ପ୍ରଶ୍ନ ଉଠିଛି ।
ପୀଡିତା ପରିବାର ସହିତ ସାକ୍ଷାତ ପରେ ଚନ୍ଦ୍ରମୁଖୀ ଦେବୀ କହିଛନ୍ତି ଯେ, ପୀଡିତା ସନ୍ଧ୍ୟା ସମୟରେ ଘରୁ ବାହାରିବାର ନଥିଲା । ଯଦି ସଂଧ୍ୟା ସମୟରେ ମହିଳା ଜଣଙ୍କ ବାହାରକୁ ନଯାଇଥାନ୍ତ, ତେବେ ଏପରି ଅଘଟଣ ଘଟିନଥାନ୍ତା । ଏପରିକି ମହିଳାଙ୍କ ସହିତ ପରିବାରର କୌଣସି ସଦସ୍ୟ ଯାଇଥିଲେ । ଯଦି କେହି ସଦସ୍ୟ ଯାଇଥାନ୍ତେ, ତେବେ ଏପରି ଅଘଟଣ ହୋଇନଥାନ୍ତା । ପ୍ରଥମେ ମହିଳାଙ୍କୁ ଫୋନ୍ କରି ଡକାଯାଇଥିଲା । ମହିଳା ଜଣଙ୍କ ଏକା ଯାଇଥିବା ବେଳେ ଏପରି ଘଟଣା ଘଟିଛି ।
ମହିଳା କମିଶନ ସଦସ୍ୟା ଆହୁରୀ ମଧ୍ୟ କହିଛନ୍ତି ଯେ, ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବା ଦରକାର । ପୋଲିସ ଅବହେଳାରୁ ଏପରି ଘଟଣା ଘଟିଛି । ପୋଲିସ ତତ୍ପରତା ଦେଖାଇଥିଲେ ଏପରି ଅଘଟଣା ଘଟିନଥାନ୍ତା । ପୋଲିସ ଚାହିଁଥିଲେ ପୀଡିତାର ଜୀବନ ବଞ୍ଚିଯାଇଥାନ୍ତା । ପୋଲିସ ଏତଲା ଲେଖିବାରେ ବିଳମ୍ବ କରିଥିଲା । ଏପରିକି ମହିଳା ଜଣଙ୍କ ୧୮ଘଣ୍ଟା କାଳ ପଡିରହିଥିଲେ । ଠିକ୍ ସମୟରେ ମେଡିକାଲରେ ମଧ୍ୟ ପୀଡିତାଙ୍କୁ ପହଞ୍ଚାଯାଇପାରିନଥିଲା । ଯାହାଫଳରେ କି ସେ ନିଜର ନିଶ୍ୱାସ ତ୍ୟାଗ କରିଥିଲେ । ପୋଲିସର କାର୍ଯ୍ୟାନୁଷ୍ଠାନକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ଚନ୍ଦ୍ରମୁଖୀ ଦେବୀ ।