ମହାରାଷ୍ଟ୍ର ଶାହାପୁରର ଏନସିପି ବିଧାୟକ ନିଖୋଜ, ହଜିବା ନେଇ ପୋଲିସରେ ଏତଲା କଲେ ଶରଦ
23/11/2019 at 10:45 PM

ମୁମ୍ବାଇ : ମହାରାଷ୍ଟ୍ରରେ ସରକାର ଗଠନ ଯେତିକି ସହଜ ମନେ କରାଯାଉଥିଲା ତାହା ଏବେ ଅଧିକ ଜଟିଳ ହେବାରେ ଲାଗିଲାଣି। ଏବେ ଦଳର ବିଧାୟକ ଚୋରି ନେଇ ଅଭିଯୋଗ ହେଲାଣି। ଏନସିପି ତାର ଜଣେ ବିଧାୟକ ନିଖୋଜ ଥିବା ଶନିବାର ଥାନାରେ ଅଭିଯୋଗ କରିଛି। ଦଳର ମୁଖିଆ ଶରଦ ପାୱାର ଏ ନେଇ ସୂଚନା ଦେଇଥିବା ବେଳେ ଶାହପୁର ବିଧାନସଭା ନିର୍ବାଚନମଣ୍ଡଳିରୁ ବିଧାୟକ ନିର୍ବାଚିତ ହୋଇଥିବା ଏନସିପିର ଦୌଲତ ଦରୌଦା ନିଖୋଜ ଥିବା କହିଛନ୍ତି।

ଏ ନେଇ ପାୱାର ତାଙ୍କ ପ୍ରତିନିଧିଙ୍କ ଦ୍ୱାରା ପୋଲିସରେ ଏତଲା ଦେଇଛନ୍ତି। ଶନିବାର ସକାଳେ ଦରୌଦା ଦକ୍ଷିଣ ମୁମ୍ବାଇସ୍ଥିତ ରାଜଭବନକୁ ଯିବା ଲାଗି ଘରୁ ବାହାରିଥିଲେ। ତେବେ ତା ପରଠାରୁ ତାଙ୍କର କୌଣସି ସୂଚନା ମିଳୁନି। ସେ ରାଜଭବନକୁ ଅଜିତ ପାୱାରଙ୍କ ଶପଥଗ୍ରହଣ ଉତ୍ସବରେ ଯୋଗଦେବାକୁ ଆସିଥିଲେ। ଏଥିଲାଗି ସେ ଶୁକ୍ରବାର ରାତିରେ ଠାଣେର ନିଜ ନିର୍ବାଚନ ମଣ୍ଡଳିରୁ ବାହାରିଥିଲେ।

ଦରୌଦାଙ୍କ ନିଖୋଜ ସୂଚନା ମିଳିବା ପରେ ଶରଦ ପାୱାର ପୂର୍ବତନ ବିଧାୟକ ପାଣ୍ଡୁରଙ୍ଗ ବରୋଡାଙ୍କୁ ଶାହପୁର ପଠାଇଥିଲେ। ସେ ଶାହପୁର ଥାନାରେ ବିଧାୟକଙ୍କ ନିଖୋଜ ନେଇ ଏତଲା ଦେଇଥିବା ଜଣାପଡିଛି। ସେପଟେ ଦରୌଦାଙ୍କ ପୁଅ କରଣ ଶନିବାର ମୁମ୍ବାଇରେ ସାମ୍ବାଦିକଙ୍କୁ ତାଙ୍କ ପିତାଙ୍କ ନିଖୋଜ ନେଇ ସୂଚନା ଦେଇଛନ୍ତି। ସକାଳଠାରୁ ତାଙ୍କ ସହ କୌଣସି ସମ୍ପର୍କ ହୋଇ ପାରୁନଥିବା ସେ କହିଥିବା ବେଳେ ତାଙ୍କ ପିତା ଏନସିପି ସଂସ୍ଥାପକ ଶରଦ ପାୱାରଙ୍କ ସହ ଅଛନ୍ତି ବୋଲି କହିଛନ୍ତି।