ରାଜ ଠାକରେଙ୍କୁ ଭେଟିଲେ ଶରଦ ପାୱାର
2/11/2019 at 9:40 PM

ମୁମ୍ବାଇ : ମହାରାଷ୍ଟ୍ରରେ ସରକାର ଗଠନ ଲାଗି ଅନିଶ୍ଚିତତା ଲାଗି ରହିଥିବା ବେଳେ ଶନିବାର ଏନସିପି ନେତା ଶରଦ ପାୱାର ଏମଏନଏସ୍ ନେତା ରାଜ ଠାକରେଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି। ଉଭୟ ନେତାଙ୍କ ଏହି ସାକ୍ଷାତ ମାତ୍ର ୧୦ ମିନିଟ୍ ର ଥିଲା। ତେବେ ରାଜ୍ୟରେ ନିର୍ବାଚନ ଫଳାଫଳ ଘୋଷଣା ପରଠାରୁ ଲାଗି ରହିଥିବା ଅନିଶ୍ଚିତତାରେ ଏହି ଶାକ୍ଷାତ ଆଲୋଚନାକୁ ଏବେ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି।
ଗତ ଅକ୍ଟୋବର ୨୪ ତାରିଖ ଦିନ ରାଜ୍ୟ ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା ହୋଇଥିଲା। ରାଜ୍ୟର ୨୮୬ ବିଧାନସାଭା ଆସନରୁ ବିଜେପିର ୧୦୫ ଜଣ ବିଧାୟକ ନିର୍ବାଚିତ ହୋଇଥିବା ବେଳେ ମେଣ୍ଟ ଶିବସେନାର ୫୬ ଜଣ ପ୍ରାର୍ଥୀ ବିଧାୟନିର୍ବାଚିତ ହୋଇଛନ୍ତି। ବିଜେପି ଓ ଶିବସେନାକୁ ସରକାର ଗଠନ ଲାଗି ଜନାଦେଶ ମିଳିଥିଲେବି ଶିବସେନାର ୫୦-୫୦ ଫର୍ମୁଲା ଜିଦ ଏବେ ରାଜ୍ୟରେ ସରକାର ଗଠନ ରାସ୍ତାରେ ପ୍ରତିବନ୍ଧକ ପାଲଟିଛି।
ସେପଟେ ବିଜେପି ପୁଣି ଦେବେନ୍ଦ୍ର ଫଡନବିଶଙ୍କୁ ବିଧାୟକ ଦଳ ନେତା ମନୋନୀତ କରିଥିବା ବେଳେ ଶିବସେନା ଏକନାଥ ସିନ୍ଦେଙ୍କୁ ଦଳର ନେତା ମନୋନୀତ କରିଛି। ତେବେ ଉଭୟ ବିଧାୟକ ଦଳର ନେତା ଏବେ ପରିସ୍ଥିତିର ସମାଧାନ ଦୂରର କଥା ପରସ୍ପକୁ ଟାଳୁଛନ୍ତି। ନିର୍ବାଚନରେ କଂଗ୍ରେସକୁ ୪୪ଟି ଆସନ ମିଳିଛି। ସେହିପରି ରାଜ୍ୟରେ ସହଯୋଗୀ ମେଣ୍ଟ ଏନସିପି ୫୪ଟି ପାଇଥିବା ବେଳେ ଏମଏନଏସକୁ ଗୋଟିଏ ଆସନ ମିଳିଛି। ତେବେ ରାଜ୍ୟରେ ୧୩ ସ୍ୱାଧୀନ ପ୍ରାର୍ଥୀ ନିର୍ବାଚିତ ହୋଇଥିବା ବେଳେ ନୂଆ ଓ ସ୍ଥାନୀୟ ଦଳର ନେତାମାନ ୧୫ଟି ଆସନରେ ବିଜୟୀ ହୋଇଛନ୍ତି।
ତେବେ ଜନାଦେଶ ପାଇଥିବା ମେଣ୍ଟ ଯଦି ସରକାର ଗଠନ କରିବାରେ ସକ୍ଷମ ନ ହୁଅନ୍ତି ତେବେ ହୁଏତ ଏନସିପି ଏବେ ପଦକ୍ଷେପ ନେଇପାରେ ବୋଲି ଅନୁମାନ କରାଯାଉଛି। ଏହି ଅଟକଳ ଶନିବାର ଏମଏନଏସ୍ ନେତାଙ୍କ ସହ ଶରଦ ପାୱାରଙ୍କ ସାକ୍ଷାତ ଆଲୋଚନା ପରଠାରୁ ଆରମ୍ଭ ହୋଇଛି।