ରାଜ୍ୟସଭାର ୮ ନିଲମ୍ବିତ ସାଂସଦଙ୍କ ସମର୍ଥନରେ ଏନସିପି ମୁଖ୍ୟ ଶରଦ ପାଓ୍ବାର, ଗୋଟିଏ ଦିନ ପାଇଁ କରିବେ ଉପବାସ
22/09/2020 at 2:14 PM

ନୂଆଦିଲ୍ଲୀ ୨୨/୦୯: ରାଜ୍ୟସଭାରୁ ନିଲମ୍ବିତ ୮ ଜଣ ସାଂସଦଙ୍କୁ ଏବେ ମିଳିଛି ଏନସିପି ମୁଖ୍ୟ ଶରଦ ପାଓ୍ବାରଙ୍କ ସମର୍ଥନ। ଆଜି ସେ ଏମାନଙ୍କୁ ସମର୍ଥନ କରିବା ପାଇଁ ଗୋଟେ ଦିନ ପାଇଁ ଉପବାସ କରିବା ଘୋଷଣା କରିଛନ୍ତି। ସେ କହିଛନ୍ତି ଆଠଜଣ ନିଲମ୍ବିତ ରାଜ୍ୟସଭା ସାଂସଦଙ୍କ ଆନ୍ଦୋଳନରେ ଭାଗ ନେବେ ଓ ସେମାନଙ୍କୁ ସମର୍ଥନ କରିବା ପାଇଁ ଦିନକ ଲାଗି ଉପବାସ କରିବେ।
ରାଜ୍ୟସଭା ସଭାପତି ଏମ ଭେଙ୍କେୟା ନାଇଡୁ ସେପ୍ଟେମ୍ବର ୨୦ରେ ଗୃହରେ ହଙ୍ଗାମା କରିବା ତଥା ଉପସଭାପତି ହରିବଂଶଙ୍କ ସହିତ ଅଭଦ୍ରାମୀ କରିବା ଯୋଗୁ ନିଲମ୍ବିତ କରିଥିଲେ। କୃଷି ବିଲ ସମ୍ବନ୍ଧିତ ଦୁଇଟି ବିଧେୟକରେ ଗୃହରେ ପାସ ହୋଇଥିଲା। ଏହାର ଚର୍ଚା ସମୟରେ ବିରୋଧୀ ସାଂସଦ ନାରାବାଜୀ କରିବା ତଥା ଉପସଭାପତି ହରିବଂଶଙ୍କ ମାଇକ ଛଡେଇ ନେଇଯିବାକୁ ଉଦ୍ୟମ କରିଥିଲେ। ନିଲମ୍ବିତ ସାଂସଦଙ୍କ ମଧ୍ୟରେ ସାମିଲ ଅଛନ୍ତି ଡେରେକ ଓ’ବ୍ରାୟନ, ରାଜୀବ ସାତବ, ସଞ୍ଜୟ ସିଂହ, କେକେ ରାଗେଶ, ରିପୁନ ବୋରା, ଡୋଲା ସେନ, ସୟଦ ନଜୀର ହୁସନେ ଓ ଇଲାମାରନ କରିମ। ଏମାନଙ୍କ ଉପରେ ଉପସଭାପତିଙ୍କ ଉପରେ ଅସଂସଦୀୟ ବ୍ୟବହାର କରିବା ଅଭିଯୋଗ ହୋଇଛି।
ନିଲମ୍ବନ ବିରୋଧରେ ଗତକାଲି ରାଜ୍ୟସଭାରୁ ନିଲମ୍ବିତ ଏହି ୮ ଜଣ ସାଂସଦ ଗାନ୍ଧି ପ୍ରତିମା ସାମ୍ନାରେ ତମାମ ରାତି ଧାରଣା ଦେଲେ ଓ ଆଜି ସକାଳେ ଧାରଣା ଶେଷ କଲେ। ଇତିମଧ୍ୟରେ କଂଗ୍ରେସ ନେତା ଓ ରାଜ୍ୟସଭା ସାଂସଦ ଗୁଲାମ ନବି ଆଜାଦ କହିଛନ୍ତି ଯେତେପର୍ଯ୍ୟନ୍ତ ସାଂସଦଙ୍କ ନିଲମ୍ବନ ପ୍ରସ୍ତାବ ଫେରାଇ ନ ନିଆଯାଇଛି ଓ କୃଷି ବିଲ୍ ସମ୍ବନ୍ଧିତ ଦାବି ପୂରଣ ନ ହୋଇଛି ବିରୋଧୀ ମୌସୁମୀ ଅଧିବେଶନକୁ ବଏକଟ୍ କରିବେ। ସେମାନେ ଏମଏସପିକୁ ନେଇ ତିନିଟି ସର୍ତ ରଖିଛନ୍ତି ଓ ଏହା ପୂରା ନ ହେବା ପର୍ଯ୍ୟନ୍ତ ବଏକଟ ଜାରି ରହିବ କହିଛନ୍ତି ନବି।