ମିଶନ ୨୦୨୪ର ପ୍ରସ୍ତୁତିରେ ଜୁଟିଲେ ବିରୋଧୀ ଦଳ ! ୧୦ ଦିନରେ ଦ୍ଵିତୀୟ ଥର ଭେଟିଲେ ଶରଦ ପାଓ୍ଵାର ଓ ପ୍ରଶାନ୍ତ କିଶୋର

Published By : Prameya-News7 Bureau | June 21, 2021 IST

ନୂଆଦିଲ୍ଲୀ ୨୧।୦୬: ବିଗତ କିଛି ଦିନ ହେବ ଜାତୀୟସ୍ତର ରାଜନୀତିର ଦୃଶ୍ୟପଟ୍ଟରେ ଅନେକ ଅପ୍ରତ୍ୟାଶିତ ଘଟଣା ଦେଖିବାକୁ  ମିଳିଛି। କେଉଁ ରାଜ୍ୟରେ  ଦଳଗୁଡିକ ମଧ୍ୟରେ କନ୍ଦଳ ବଢୁଥିବା ବେଳେ ଅନ୍ୟ କେଉଁଠି ମନ୍ତ୍ରୀ ପଦ ନେଇ ସରକାର ଅକଳରେ ପଡିଛନ୍ତି। ଦଳଡିଆଁ ପର୍ବ ମଧ୍ୟ ଜାରି ରହିଛି। ଏହି ସବୁ ମଧ୍ୟରେ ମହାରାଷ୍ଟ୍ରରେ ଅଲଗା ଦୃଶ୍ୟ ଦେଖିବାକୁ ମିଳୁଛି। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପରେ ନିର୍ବାଚନ ରଣନୀତି କାମ ନକରିବାକୁ ଘୋଷଣା କରିଥିବା ପ୍ରଶାନ୍ତ କିଶୋର ସୋମବାର ପୁଣି ଥରେ ଏନସିପି ମୁଖ୍ୟ ଶରଦ ପାଓ୍ଵାରଙ୍କୁ ଭେଟିଛନ୍ତି। ଖବର ଅନୁଯାୟୀ, ଶରଦ ପାଓ୍ଵାର ଦିଲ୍ଲୀରେ ପ୍ରଶାନ୍ତ କିଶୋରଙ୍କ ସହ ବୈଠକ କରିଛନ୍ତି। ଗତ ୧୫ ଦିନରେ ଉଭୟଙ୍କ ମଧ୍ୟରେ ଏହା ଦ୍ଵିତୀୟ ସାକ୍ଷାତ। ଏହାକୁ ନେଇ ରାଜନୈତିକ କଳ୍ପନା  ଜଳ୍ପନା ଆରମ୍ଭ ହୋଇ ଯାଇଛି।

ରାଜନୈତିକ ଗଳିରେ ଏହା ଶୁଣିବାକୁ  ମିଳୁଛି ଯେ, ଆଗାମୀ ବିଧାନସଭା ନିର୍ବାଚନରେ ବିରୋଧୀ ଦଳ  ମିଳିତ ହୋଇ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୋଧରେ ପ୍ରାର୍ଥୀ ଦେଇ ପାରନ୍ତି। ଏଥିପାଇଁ ପ୍ରଶାନ୍ତ କିଶୋରଙ୍କ ସହ ଏନସିପି ମୁଖ୍ୟଙ୍କ ଏହି ସାକ୍ଷାତକୁ ଗୁରୁତ୍ଵ ମନେ କରାଯାଉଛି। ଏହା ପୂର୍ବରୁ ଜୁନ ୧୧ରେ ପ୍ରଶାନ୍ତ କିଶୋର ଶରଦ ପାଓ୍ଵାରଙ୍କୁ ତାଙ୍କ ମୁମ୍ବାଇ ସ୍ଥିତ ବାସଭବନରେ ଭେଟିଥିଲେ। ଦୁହିଁଙ୍କ ଭେଟକୁ ୨୦୨୪ ସାଧାରଣ ନିର୍ବାଚନର ପ୍ରାକ୍ ପ୍ରସ୍ତୁତି ଭାବେ ଦେଖାଯାଉଛି। ଏହା ମଧ୍ୟ ଅନୁମାନ କରାଯାଉଛି ଯେ, ଦିଲ୍ଲୀ ଓ ଅଲଗା ଅଲଗା ରାଜ୍ୟଗୁଡିକରେ ବିଜେପି ବିରୋଧୀ ଦଳଗୁଡିକୁ ଗୋଟିଏ ମଞ୍ଚରେ ଆଣିବାକୁ ଉଦ୍ୟମ କରାଯାଉଛି।

ଗତ ଥର ପ୍ରଶାନ୍ତ ଓ ଶରଦଙ୍କ ମଧ୍ୟରେ ବୈଠକ ପ୍ରାୟ ତିନି ଘଣ୍ଟା ଧରି ଜାରି ରହିଥିଲା। ହେଲେ କେଉଁ ଉଦ୍ଦେଶ୍ୟରେ ବୈଠକ ବସିଥିଲା ତାହା ମଧ୍ୟ ଜଣା ଯାଇ ନାହିଁ। ଏହା ପରେ କଳ୍ପନା ଜଳ୍ପନା ଆରମ୍ଭ ହୋଇଛି ଯେ, ୨୦୨୪  ଲୋକସଭା ନିର୍ବାଚନରେ ଶରଦ ପାଓ୍ଵାରଙ୍କ ନେତୃତ୍ଵରେ ୨୦୨୪ ଲୋକସଭାରେ ମହାମେଣ୍ଟ ଗଠନ ନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଉଛି। ଉଲ୍ଲେଖନୀୟ ପ୍ରଶାନ୍ତ କିଶୋର ଅଦ୍ୟାବଧି ନରେନ୍ଦ୍ର ମୋଦୀ, ଜଗନ ମୋହନ ରେଡ୍ଡୀ, କ୍ୟାପଟେନ୍ ଅମରିନ୍ଦର ସିଂହ, ମମତା ବାନାର୍ଜୀ ଓ ଉଦ୍ଧବ ଠାକରେଙ୍କ ପାର୍ଟି ପାଇଁ ନିର୍ବାଚନୀ ରଣନୀତିଜ୍ଞ ଭାବେ କାମ କରି ସାରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.