ଡ୍ରଗ୍ସ ଜାଲରେ ବଲିଉଡ ସୁନ୍ଦରୀ: ଦୀପିକା, ସାରା, ଶ୍ରଦ୍ଧା, ରକୁଲ ସମେତ ୭ ଜଣଙ୍କୁ ଏନସିବିର ସମନ ଜାରି

Published By : Prameya-News7 Bureau | September 23, 2020 IST

ମୁମ୍ବାଇ ୨୩।୦୯: ଡ୍ରଗ୍ସ ଜାଲରେ ବଲିଉଡ ସୁନ୍ଦରୀ। ସୁଶାନ୍ତ ସିଂହ ମୃତ୍ୟୁ ମାମଲାରେ ଡ୍ରଗ୍ସ କନେକ୍ସନ ସାମ୍ନାକୁ ଆସିବା ପରଠୁ ଅବୈଧ ଡ୍ରଗ୍ସ ସେବନ ଓ ନିଶା କାରବାରରେ ବଲିଉଡର ଅନେକ ନାମିଦାମୀ ଅଭିନେତ୍ରୀଙ୍କ ନାମ ସାମ୍ନାକୁ ଆସିଛି। ଏହି ମାମଲାର ତଦନ୍ତ କରୁଥିବା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି) ବୁଧବାର ବଡ କାର୍ଯ୍ୟାନୁଷ୍ଠାନ ନେଇଛି। ଏଜେନ୍ସି ବଲିଉଡର ଅନେକ ଲୋକପ୍ରିୟ ଅଭିନେତ୍ରୀଙ୍କୁ ସମନ ପଠାଇଛି। ଏନସିବି ଦୀପିକା ପାଦୁକୋନ, ସାରା ଅଲୀ ଖାନ, ରକୁଲ ପ୍ରୀତ ସିଂହ ଓ ଶ୍ରଦ୍ଧା କପୁରଙ୍କ ପରି ତାରକା ସମେତ ୭ ଜଣଙ୍କୁ ସମନ ଜାରି କରିଛି। ଏହି ମାମଲାରେ ଏନସିବି ରିୟା ଚକ୍ରବର୍ତ୍ତୀ, ସୌଭିକ ଚକ୍ରବର୍ତ୍ତୀଙ୍କ ସମେତ ଅନେକ ଲୋକଙ୍କୁ ଗିରଫ କରି ଜେଲ୍‌ ପଠାଇ ସାରିଛି।

ସୂତ୍ର ଅନୁଯାୟୀ ସେପ୍ଟେମ୍ବର ୨୫ରେ ଜେରା ପାଇଁ ଏନସିବି ଦୀପିକା ପାଦୁକୋନଙ୍କୁ ଡକାଇଛି। ଅପରପକ୍ଷେ ରକୁଲ ପ୍ରୀତ ସିଂହଙ୍କୁ ସେପ୍ଟେମ୍ବର ୨୪ରେ ହାଜର ହେବାକୁ କୁହାଯାଇଛି।  ଏନସିବି ମଙ୍ଗଳବାର ଦୀପିକା ପାଦୁକୋନଙ୍କ ମ୍ୟାନେଜର କରିସ୍ମା ପ୍ରକାଶ ଓ କ୍ଵାନ ଟ୍ୟାଲେଣ୍ଟ ମ୍ୟାନେଜମେଣ୍ଟର ସିଇଓ ଧ୍ରୁବ ଚିତଗୋପେକରଙ୍କ ମଧ୍ୟ ତଲବ କରିଥିଲା। ହେଲେ ସ୍ଵାସ୍ଥ୍ୟବସ୍ଥା କାରଣ ଦର୍ଶାଇ ସେ ଏଜେନ୍ସି ସମ୍ମୁଖରେ  ହାଜର ହୋଇନଥିଲେ।

ଏହା ବ୍ୟତୀତ ଅନେକ ରିପୋର୍ଟରେ ଦାବି କରାଯାଇଥିଲା ଯେ, ଟିଭି ଅଭିନେତ୍ରୀ ଅବିଗେଲ ପାଣ୍ଡେ ଓ ସନମ ଜୋହରଙ୍କୁ ଏନସିବି  ସମନ ପଠାଇଛି। ଏହା ମଧ୍ୟରେ ଫିଲ୍ମ  ‘ଉଡତା ପଞ୍ଜାବ’ର ନିର୍ମାତା ମଧୁ ମାଣ୍ଟେନ ଏହି ମାମଲାରେ ନିଜର ବୟାନ ରେକର୍ଡ ପାଇଁ ଏନସିବି ଗେଷ୍ଟ ହାଉସ୍‌ ପହଞ୍ଚିଛନ୍ତି। ସୁଶାନ୍ତ ସିଂହ ରାଜପୁତଙ୍କ ଟ୍ୟାଲେଣ୍ଟ ମ୍ୟାନେଜର ଜୟା ଶାହାଙ୍କୁ ଜେରା ବେଳେ ମାଣ୍ଟେନଙ୍କ ନାମ ସାମ୍ନାକୁ ଆସିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.