ସମୀର ଓ୍ୱାଙ୍ଖେଡେଙ୍କ ପାଇଁ ବଢିଲା ଅଡୁଆ, ଦୁର୍ନୀତି ଅଭିଯୋଗର ତଦନ୍ତ ଆରମ୍ଭ କଲା ଏନସିବି

Published By : Prameya-News7 Bureau | October 25, 2021 IST

ମୁମ୍ବାଇ, ୨୫/୧୦:    କ୍ରୁଜ ପାର୍ଟି ଡ୍ରଗ୍ସ ମାମଲାରେ ଏନସିବି ଜୋନାଲ ଡାଇରେକ୍ଟେର ସମୀର ଓ୍ୱାଙ୍ଖେଡେଙ୍କ ପାଇଁ ଅଡୁଆ ବଢିବାରେ ଲାଗିଛି । ଲାଞ୍ଚ ମାଗିବା ଅଭିଯୋଗ ପରେ ଛନଭୀନ ଆରମ୍ଭ କରିଛି ଏନସିବିର ଭିଜିଲାନ୍ସ ଟିମ୍। ସମୀରଙ୍କ ବିରୋଧରେ ଭିଜିଲାନ୍ସ ତଦନ୍ତ ଆରମ୍ଭ ହୋଇଛି ।

ଏନସିବି ଅତିରିକ୍ତ ଡିଜି କ୍ଷାନେଶ୍ର ସିଂଙ୍କ କହିବାନୁସାରେ, ସମୀରଙ୍କ ବିରୋଧରେ ତଦନ୍ତ ଆରମ୍ଭ କରିଛି । ସୂଚନାଯୋଗ୍ୟ, ଆର୍ଯ୍ୟନ ଖାନ ଗିରଫ ହେଲା ପରେ ସାକ୍ଷୀ ପ୍ରଭାକର ସମୀରଙ୍କ ବିରୋଧରେ ୮ କୋଟି ଲାଞ୍ଚ ମଗାଯାଇଥିବା ନେଇ ଅଭିଯୋଗ କରିଥିଲେ । ତେବେ ତଦନ୍ତ ଆରମ୍ଭ ହେଲା ପରେ ସମୀର ନିଜ ପଦରେ ରହିବେ ନା ନାହିଁ ତାହାକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି ।

ଏନସିବି ଅତିରିକ୍ତ ଡିଜି ଆହୁରି କହିଛନ୍ତି ଯେ, ତଦନ୍ତ ନେଇ ଚିଠି ହସ୍ତଗତ ହୋଇଛି । ଯାଞ୍ଚ ଏବେ ଆରମ୍ଭ ହୋଇଛି । ତେବେ କୌଣସି ଅଧିକାରୀଙ୍କୁ ଯାଞ୍ଚ ନେଇ ଟିପ୍ପଣୀ ଦେବାନେଇ ମନା କରାଯାଇଛି ।

ଏସବୁ ମଧ୍ୟରେ ବମ୍ବେ ହାଇକୋର୍ଟରେ ଦୁଇଟି ସ୍ପଷ୍ଟୀକରଣ ଦାଖଲ କରାଯାଇଛି । ଗୋଟିଏ ସ୍ପଷ୍ଟୀକରଣ ଏନସିବି ତରଫରୁ ଆଉ ଏକ ଓ୍ୱାଙ୍ଖେଡେଙ୍କ ତରଫରୁ ଦିଆଯାଇଛି । ଏଥିରେ କୁହାଯାଇଛି ଯେ, ସାକ୍ଷୀମାନେ ନିଜର ବୟାନ ପରିବର୍ତ୍ତନ କରୁଛନ୍ତି । ତାଙ୍କୁ ଟାର୍ଗେଟ୍ କରାଯାଉଛି । ସେ ସମସ୍ତ ପ୍ରକାର ତଦନ୍ତ ପାଇଁ ପ୍ରସ୍ତୁତ । ଏହାସହ ତାଙ୍କୁ ଦିଆଯାଉଥିବା ଧମକର ତଦନ୍ତ ପାଇଁ ସେ କୋର୍ଟଙ୍କୁ ଅନୁରୋଧ କରିଛନ୍ତି ।

ସୂଚନାଯୋଗ୍ୟ, ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ ମାମଲାର ସାକ୍ଷୀ ପ୍ରଭାକର ରବିବାର ବଡ ବୟାନ ଦେଇଥିଲେ । ଗିରଫଦାରୀ ପରେ ଏନସିବି ଅଧିକାରୀ ଲାଞ୍ଚ ମାଗିଥିବା ନେଇ ସେ ଅଭିଯୋଗ କରିଥିଲେ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.