ଡ୍ରଗ୍ସ ମାମଲାରେ ଏନସିବିର ବଡ଼ କାର୍ଯ୍ୟାନୁଷ୍ଠାନ, ମନ୍ତ୍ରୀ ନବାବ ମଲିକଙ୍କ ଜ୍ବାଇଁଙ୍କୁ କଲା ଗିରଫ
13/01/2021 at 10:11 PM

ନୂଆଦିଲ୍ଳୀ ୧୩/୦୧: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରଠୁ ଡ୍ରଗ୍ସ ଲିଙ୍କ ନେଇ ନାର୍କୋଟିକ୍ସ କଂଟ୍ରୋଲ୍ ବ୍ୟୁରୋ(ଏନସିବି) ତନାଘନା ଜାରି ରଖିଛି। ମୁମ୍ବାଇରେ ୨୦୦ କିଲୋ ଡ୍ରଗ୍ସ ଜବତ କରିବା ମାମଲାରେ ଏନସିବି ମନ୍ତ୍ରୀ ନବାବ ମଲିକଙ୍କ ଜ୍ବାଇଁ ସମୀର ଖାନଙ୍କୁ ଗିରଫ କରିଛି। ବିସ୍ତୃତ ଯାଞ୍ଚ କରିବା ପରେ ଏନସିବି ତାଙ୍କୁ ବୁଧବାର ଗିରଫ କରିଛି। ସୀମର ଖାନ ନବାବ ମଲିକଙ୍କ ଝିଅ ନିଲୋଫରଙ୍କୁ ବିବାହ କରିଛନ୍ତି।
ମୁମ୍ବାଇର ପଶ୍ଚିମ ବାନ୍ଦ୍ରାରେ ଏନସିବି କୁରିୟରରୁ ଗଞ୍ଜେଇ ଜବତ କରିଥିଲା ବୋଲି ଜୋନାଲ ଡାଇରେକ୍ଟର ସମୀର ଓ୍ବାଁଖଡେ କହିଛନ୍ତି। ପରେ ଏହାକୁ ନେଇ ତଦନ୍ତ ହେବା ପରେ କରଣ ସଜନନୀଙ୍କ ଘରୁ ମଧ୍ୟ ଗଞ୍ଜେଇ ଜବତ କରିଥିଲା ଏନସିବି। ପରେ ପରେ ଗଞ୍ଜେଇ ଚୋରାଚାଲାଣରେ ସମୀର ଖାନଙ୍କ ହାତ ଥିବା ଜଣାପଡ଼ିଥିଲା। ଏହି ମାମଲାରେ ଏନସିବି ସମୀରଙ୍କୁ ପଚରାଉଚରା କରିଥିଲା।
ଏହି ମାମଲାରେ ମଙ୍ଗଳବାର ଏନସିବି ମୁମ୍ବାଇର ମୁଚ୍ଛଡେ ପାନଓ୍ବାଲା ରାମ କୁମାର ତିଓ୍ବାରୀଙ୍କୁ ଗିରଫ କରିଥିଲା । ଏହାକୁ ନେଇ ମୁଚ୍ଛଡେ ପାନଓ୍ବାଲା ମାଲିକ ଜୟଶଙ୍କର ତିଓ୍ବାରୀ ଏବଂ ରାମକୁମାର ତିଓ୍ବାରୀଙ୍କୁ ଦୀର୍ଘ ଘଣ୍ଟା ପର୍ଯ୍ୟନ୍ତ ପଚରାଉଚରା କରିଥିଲା ଏନସିବି। ରାମକୁାମର ତିଓ୍ବାରୀ, ଜୟଶଙ୍କର ତିଓ୍ବାରୀଙ୍କ ସାନ ଭାଇ।