ମୁମ୍ବାଇ ୦୯/୧୦ : କ୍ରୁଜ୍ ଡ୍ରଗ୍ସ ଲିଙ୍କ ମାମଲାରେ ବିବାଦ ଦିନକୁ ଦିନ ବଢିବାରେ ଲାଗିଛି । ବଲିଉଡ ଅଭିନେତା ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନକୁ ଏହି ଡ୍ରଗ୍ସ କାରବାରରେ ସଂପୃକ୍ତି ଅଭିଯୋଗରେ ଗିରଫ କରାଯାଇଛି । ଜାମିନ ଖାରଜ ପରେ ସେ ବର୍ତ୍ତମାନ ଜେଲରେ ଅଛନ୍ତି । ତେବେ ଏନ୍ସିବି ଏହି ଘଟଣାକୁ ନେଇ ତଦନ୍ତ ପ୍ରକ୍ରିୟାକୁ ଆହୁରି ତୀକ୍ଷଣ କରିଛି । ଆଜି ଶାହାରୁଖ ଖାନଙ୍କ ଡ୍ରାଇଭରକୁ ଡ୍ରଗ୍ସ ଲିଙ୍କ ମାମଲାରେ ଜେରା କରିଛି ଏନ୍ସିବି ।
ଡ୍ରଗ୍ସ ପାର୍ଟିକୁ ଯିବାଦିନ ଶାହାରୁଖଙ୍କ ଡ୍ରାଇଭର ହିଁ ଆର୍ଯ୍ୟନ ନେଇକି ଯାଇଥାଇପାରନ୍ତି । ସେ ଦିଗକୁ ଦୃଷ୍ଟିରେ ରଖି ଅଧିକ ତଥ୍ୟ ପ୍ରମାଣ ଯୋଗାଡ ପାଇଁ ଏନ୍ସିବି ଶାହାରୁଖଙ୍କ ଡ୍ରାଇଭରଙ୍କୁ ଜେରା କରିଛି । ତେବେ ସବୁଠାରୁ ବଡ କଥା ହେଉଛି ଆର୍ଯ୍ୟନ ଏବଂ ଶାହାରୁଖଙ୍କ ଡ୍ରାଇଭର ପରେ ଏନ୍ସିବିର ପରବର୍ତ୍ତୀ ପଦକ୍ଷେପ କଣ ରହିବ ?
ଶୁଣିବାକୁ ମିଳୁଛି ଯେ, ଏହା ପରେ ଶାହାରୁଖ ଖାନଙ୍କ ଘର ‘ମନ୍ନତ୍’ ରେଡ୍ କରିପାରେ ଏନ୍ସିବି । ସେଠାରେ ମଧ୍ୟ ଡ୍ରଗ୍ସ କିମ୍ବା ସେ ସମ୍ବନ୍ଧୀୟ ପ୍ରମାଣ ମିଳିପାରେ । ପୂର୍ବରୁ ଆର୍ଯ୍ୟନ ସମେତ ତାର ବନ୍ଧୁ ଅରବାଜ ମର୍ଚାଣ୍ଟ ଏବଂ ମୁନ୍ମୁନ୍ ଧମେଚାକୂ ଗିରଫ କରିଥିଲା ଏନ୍ସିବି । ପରେ ରିମାଣ୍ଡରେ ନେଇ ମାରାଥନ୍ ଜେରା କରାଯାଇଥିଲା । ଗତ ୭ ତାରିଖରେ ରିମାଣ୍ଡ ଶେଷ ହେବାପରେ ପୁନଶ୍ଚ ରିମାଣ୍ଡରେ ନେବାକୁ କୋର୍ଟଙ୍କ ନିକଟରେ ଆବେଦନ କରିଥିଲା ଏନ୍ସିବି । କିନ୍ତୁ ରିମାଣ୍ଡ ଅବଧି ନବଢାଇ ଆର୍ଯ୍ୟନକୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇଥିଲେ କୋର୍ଟ । ତେବେ ଏହାର ଗୋଟିଏ ଦିନ ପରେ ପୁନଶ୍ଚ ଜାମିନ ଆବେଦନ କରାଯାଇଥିଲେ ସୁଦ୍ଧା ତାହା ଖାରଜ ହୋଇଯାଇଥିଲା । ଏବେ ଆର୍ଯ୍ୟନ ଖାନଙ୍କୁ ଜାମିନ ନମିଳିବା ଯାଏଁ ବିଚାର ବିଭାଗୀୟ ହାଜତରେ ହିଁ ରହିବାକୁ ହେବ ।