ସୁଶାନ୍ତ କେସ୍‌: ଗିରଫ ହେଲେ ଦୀପେଶ ସାଓ୍ଵନ୍ତ, କାଲି ରିୟା ଏବଂ ସୌଭିକକୁ ସାମ୍ନାସାମ୍ନି ବସାଇ ଜେରା କରିବ ଏନସିବି

Published By : Prameya-News7 Bureau | September 05, 2020 IST

ମୁମ୍ବାଇ ୦୫।୦୯: ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ନାର୍କୋଟିସ୍‌ କଣ୍ଟ୍ରୋଲ ବ୍ୟୁରୋ(ଏନସିବି) ପଞ୍ଝାରେ ଆଉ ଜଣେ ବ୍ୟକ୍ତି। ଏନସିବି ଡ୍ରଗ୍ସ ମାମଲାରେ ସୁଶାନ୍ତ ସିଂହ ରାଜପୁତଙ୍କ ଘରୋଇ ସହାୟକ ଦୀପେଶ ସାଓ୍ଵନ୍ତଙ୍କୁ ଗିରଫ କରିଛି। ଏହା ପୂର୍ବରୁ ଶୁକ୍ରବାର ରିୟା ଚକ୍ରବର୍ତ୍ତୀଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀ ଓ ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ସାମୁଏଲ ମିରାଣ୍ଡାଙ୍କୁ ଏନସିବି ଗିରଫ କରିଥିଲା। ଆସନ୍ତାକାଲି ରିୟା ଚକ୍ରବର୍ତ୍ତୀ ଓ ସୌଭିକଙ୍କୁ ସାମ୍ନାସାମ୍ନି ବସାଇ ଏନସିବି ଜେରା କରିବ।

ଏ ପର୍ଯ୍ୟନ୍ତ ଏହି ମାମଲାରେ ଏନସିବି ସାତ ଜଣଙ୍କୁ ଗିରଫ କରି ସାରିଲାଣି। ଏଥିରୁ ତିନି ଜଣ ସୌଭିକ, ସାମୁଏଲ ଓ ଜୈଦ ରିମାଣ୍ଡରେ ଅଛନ୍ତି। ଶନିବାର ଏନସିବି ଦୀପେଶ ସାଓ୍ଵନ୍ତଙ୍କୁ ଗିରଫ କରିଛି। ଶୁକ୍ରବାର ସାଓ୍ଵନ୍ତଙ୍କୁ ଏନସିବି ଜେରା କରିଥିଲା। ଦୀପେଶଙ୍କ ବୟାନ ଏନଡିପିଏସ ଆକ୍ଟର ଧାର ୬୭ ଆଧାରରେ ରେକର୍ଡ କରାଯାଇଥିଲା। ଏବେ ଏନଡିପିଏସ ଆକ୍ଟ ଆଧାରରେ ତାଙ୍କୁ ଏନସିବି ଗିରଫ କରିଛି। ଦୀପେଶଙ୍କୁ ରବିବାର ପୂର୍ବାହ୍ନ ୧୧ଟାରେ ମୁମ୍ବାଇ କୋର୍ଟରେ ହାଜର କରାଯିବ।

ସେପଟେ ରିୟା ଚକ୍ରବର୍ତ୍ତୀ ରବିବାର ଏନସିବି ସମ୍ମୁଖରେ ହାଜର ହେବେ। ଏନସିବି ରିୟା ଏବଂ ତାଙ୍କ ଭାଇ ସୌଭିକଙ୍କୁ ସାମ୍ନାସାମ୍ନି ବସାଇ ଜେରା କରିବ। ଏନସିବି ଅଧିକାରୀ ମୁଥା ଅଶୋକ ଜୈନ କହିଛନ୍ତି ରିୟା ଓ ସୌଭିକଙ୍କୁ ସାମ୍ନାସାମ୍ନି  ବସି ଜେରା କରାଯିବ। ସୌଭିକ ଓ ସାମୁଏଲକୁ ଏନସିବି କୋର୍ଟର ନିଷ୍ପତ୍ତି ପରେ ଚାରି ଦିନିଆ ରିମାଣ୍ଡରେ ଆଣିଛି।

କେସ୍‌ର ତୃତୀୟ  ଅଭିଯୁକ୍ତ କୈଜାନ ଇବ୍ରାହିମଙ୍କୁ ମୁମ୍ବାଇର କୋର୍ଟ ଜାମିନ ପ୍ରଦାନ କରିଛନ୍ତି। କୈଜାନଙ୍କୁ ୧୪ ଦିନିଆ ରିମାଣ୍ଡରେ ରଖାଯିବାକୁ କୋର୍ଟ ନିଷ୍ପତ୍ତି ଦେଇଥିଲା, କିନ୍ତୁ ପରେ ଜାମିନ ପ୍ରଦାନ କରିଛି।

କିଏ ଏହି ଦୀପେଶ ସାଓ୍ଵନ୍ତ

ଉଲ୍ଲେଖଯୋଗ୍ୟ, ଯେବେ ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା କଲେ ସେହି ସମୟରେ ଚାରି ଜଣ ଲୋକ ଘରେ ଥିଲେ। ସେମାନଙ୍କ ମଧ୍ୟରେ ରୋଷେୟା ନିରଜ ସିଂହ, ଅନ୍ୟ ଜଣେ ରୋଷେୟା କେଶବ, ଘରୋଇ ସହାୟକ ଦୀପେଶ ସାଓ୍ଵନ୍ତ ଏବଂ  ଫ୍ଲାଟମେଣ୍ଟ ସିଦ୍ଧାର୍ଥ ପିଠାନୀ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.