ଜୋମାଟୋ କମ୍ପାନୀର ଟି ସାର୍ଟ ପିନ୍ଧି କରୁଥିଲେ ଡ୍ରଗ୍ସ ଡେଲିଭରି, ଧରିଲା ଏନସିବି

Published By : Prameya-News7 Bureau | September 27, 2020 IST

ମୁମ୍ଵାଇ ୨୭।୦୯: ମୁମ୍ବାଇରେ ଡ୍ରଗ୍ସର କିଚେନ କନେକ୍ସନ ପୁଣି ଥରେ ସାମ୍ନାକୁ ଆସିଛି। ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି)ଜଣେ ଡ୍ରଗ୍ସ ଡିଲରଙ୍କୁ ଧରିଛି। ଏହି ଡିଲର ଜଣଙ୍କ ଜୋମାଟୋ କମ୍ପାନୀର ଟିସାର୍ଟ ପିନ୍ଧି ଡେଲିଭରି ବୟ ହୋଇ ଡ୍ରଗ୍ସ ପହଞ୍ଚାଉଥିଲେ। ତଦନ୍ତ ଅଧିକାରୀ ନନ୍ଦକୁମାର ଗୋପାଲେ କହିଛନ୍ତି ଅଭିଯୁକ୍ତଙ୍କ ନାମ ଉସ୍ମାନ। ସେ ପ୍ରଥମେ ଜୋମାଟୋରେ କାମ କରୁଥିବା ଯୁବକଙ୍କୁ ଯୋଗାଯୋଗ କରିଥିଲେ କାରଣ ଜୋମାଟୋର ଡ୍ରେସ୍ କୋଡ୍ ରେସ୍ତୋରାଁର ହୋଇଥାଏ। ଏଥିରେ କାମ ସହଜରେ ହୋଇଥାଏ। ଏହା ପରେ ଉସ୍ମାନ ଏମିତି ଅନେକ ଲୋକଙ୍କୁ ଡ୍ରଗ୍ସ ଡେଲିଭରି ପାଇଁ ସାଥିରେ ରଖିଥିଲା, ଯେଉଁମାନେ କେବଳ ଜୋମାଟୋର ଟି ସାର୍ଟ ପିନ୍ଧୁଥିଲେ ଏବଂ ଠିକଣା ଜାଗାରେ ଡ୍ରଗ୍ସ ପହଞ୍ଚାଉଥିଲେ, ହେଲେ ଜୋମାଟୋ ସହିତ ସେମାନଙ୍କର କୌଣସି ସଂପର୍କ ନଥିଲା।

ଏହି ମାମଲାରେ ମୋଟ୍ ୩ ଜଣ ଗିରଫ ହୋଇ ସାରିଲେଣି। ଉସ୍ମାନ ନିଜେ ଅନେକ ଥର ଏହି ଶୈଳୀରେ ଡ୍ରଗ୍ସ ଡେଲିଭରି କରିଥିବା କହିଛି। ଗୋପାଲେ କହିଛନ୍ତି ପ୍ରାରମ୍ଭିକ ଜେରା ବେଳେ ଉସ୍ମାନ ଅନ୍ଧେରୀ, ଲୋଖଣ୍ଡଓ୍ଵାଲାଠୁ ନେଇ ବାନ୍ଦ୍ରା ପର୍ଯ୍ୟନ୍ତ ଅନେକ ମୋଡେଲଙ୍କ ସଂସ୍ପର୍ଶରେ ଆସିଥିବା କହିଛି। ପଚରାଉଚୁରାରେ ଏ ପର୍ଯ୍ୟନ୍ତ କୌଣସି ବଡ ତାରକାଙ୍କ ନାମ ସାମ୍ନାକୁ ଆସିନାହିଁ। ଏହା ପୂର୍ବରୁ ଏନସିବି ଯେଉଁ ୨ ଡ୍ରଗ୍ସ ଡିଲର ଜୈଦ ଭିଲାତ୍ରା ଓ ଅଙ୍କୁଶଙ୍କୁ ଧରିଥିଲା, ସେମାନେ ମଧ୍ୟ ଡେଲିଭରି ବୟ ସାଜି ଡ୍ରଗ୍ସ ଠିକଣା ଜାଗାରେ ପହଞ୍ଚାଉଥିଲେ।

ଉଲ୍ଲେଖଯୋଗ୍ୟ, ଅବୈଧ ନିଶା ସେବନ ଓ ଡ୍ରଗ୍ସ ମାମଲାରେ ଏନସିବି ରାଡାରରେ ବଲିଉଡର ଅନେକ ନାମୀଦାମୀ ଅଭିନେତ୍ରୀ ଅଛନ୍ତି। ଏହି ମାମଲାରେ ଗତକାଲି ଏନସିବି ଅଭିନେତ୍ରୀ ଦୀପିକା ପାଦୁକୋନ, ସାରା ଅଲ୍ଲୀ ଖାନ ଓ ଶ୍ରଦ୍ଧା କପୁରଙ୍କୁ ୫ ରୁ ୬ ଘଣ୍ଟା ଧରି ପଚରାଉଚୁରା କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.