କଟକ-ବାରବାଟୀରୁ ସମୀର ଦେ ଓ କଟକ-ଚୌଦ୍ବାରରୁ ନୟନ ମହାନ୍ତି ଟିକେଟ୍ ପାଇବା ପରେ ପ୍ରବଳ ଖେଳିଲେ ହୋଲି, କହିଲେ ସବୁଜ ରଂଗ ଉପରେ ଭାରି ପଡିବ ଗେରୁଆ

Published By : Prameya-News7 Bureau | March 22, 2019 IST

କଟକ ୨୨|୩ (ଦୀପକ ଷଡଙ୍ଗୀ) : କଟକର ବିଜେପି ନେତାଙ୍କ ପାଇଁ ହୋଲିର ରଙ୍ଗ ଚଳିତ ବର୍ଷ ଥିଲା କିଛି ଭିନ୍ନ । ଗତ କାଲି ବିଜେପି ପ୍ରାର୍ଥୀ ତାଲିକା ଘୋଷଣା କରିଛି ଆଉ କଟକର ଦୁଇ ବରିଷ୍ଠ ବିଜେପି ନେତା ସମୀର ଦେ ଓ ନୟନ ମହାନ୍ତି ଟିକଟ୍ ପାଇଛନ୍ତି । ତେଣୁ ଆଜି ସକାଳୁ ନିଜ ନିଜ ବାସଭବନ ଆଗରେ ଆସର ଜମାଇ ହୋଲି ଖେଳିଛନ୍ତି ଦୁଇ ନେତା । ଦୁଇ ବିଜେପି ନେତାଙ୍କ କହିବା ଅନୁସାରେ ଚଳିତ ନିର୍ବାଚନରେ ଗେରୁଆ ରଙ୍ଗ ସବୁଜ ରଙ୍ଗ ଉପରେ ବେଶ୍ ଭାରି ପଡିବ ।

କଟକ ବିଜେପି ନେତା ସମୀର ଦେ ଜମାଇଥିଲେ ହୋଲିର ଆସର । ସିଡିଏ ସ୍ଥିତ ନଜ ବାସ ଭବନ ଆଗରେ ସମୀର ହୋଲିର ଆସର ଜମାଇଥିଲେ । ଏ ବର୍ଷର ହୋଲି ସମୀରଙ୍କ ପାଇଁ ଅନେକ ଆଶାର ରଙ୍ଗ ନେଇ ଆସିଛି ।.କାରଣ ସମୀର ଦେ ବିଜେପି ଟିକଟ୍ ପାଇଛନ୍ତି ବାରବାଟୀ-କଟକ ଆସନରୁ ଲଢିବା ପାଇଁ । ଏଥିପାଇଁ ଆଜି ସକାଳୁ ସକାଳୁ ସମର୍ଥକ ଆଉ ଶୁଭେଚ୍ଛୁଙ୍କ ଭିଡ ଜମିଥିଲା ସମୀର ଦେଙ୍କ ବାସଭବନରେ ସମର୍ଥକ ଓ ଶୁଭେଚ୍ଛୁଙ୍କ ସହ ସମୀର ଦେ ହୋଲି ଖେଳିବା ସହ ନିର୍ବାଚନରେ ଗୈରିକ ରଙ୍ଗ ଭାରତ ତଥା ରାଜ୍ୟ ସାରା ଛାଇଯିବ ବୋଲି କହିଛନ୍ତି ସମୀର ଦେ ।

ସେପଟେ ଚୌଦ୍ୱାର-କଟକ ଆସନରୁ ପୁଣି ଥରେ ବିଜେପି ଟିକେଟ୍‌ରେ ନିର୍ବାଚନ ଲଢିବା ପାଇଁ ଯାଉଛନ୍ତି  ନେତା ନୟନ ମହାନ୍ତି । ଗତ କାଲି ରାତିରେ ଟିକଟ୍ ମିଳିଛି ଆଉ ଆଜି ହୋଲି ଉତ୍ସବ । ଏଭଳି ଅବସରକୁ ହାତ ଛଡା କରି ନାହାଁନ୍ତି ନୟନ ମହାନ୍ତି । ନିଜ ମହାନଦୀ ବିହାର ସ୍ଥିତ ବାସଭବନ ଆଗରେ ହୋଲିର ଆସର ଜମାଇ ସମର୍ଥକ ଓ ଶୁଭେଚ୍ଛୁ ମାନଙ୍କ ସହ ହୋଲି ଖେଳିଛନ୍ତି ନୟନ ମହାନ୍ତି । ବିଜେପି ନେତା ନୟନ ଦୃଢୋକ୍ତି ପ୍ରକାଶ କରିଛନ୍ତି ଯେ, ଚଳିତ ନିର୍ବାଚନରେ ବିଜେଡିର ସବୁଜ ରଙ୍ଗ ଉପରେ ଭାରି ପଡିବ ବିଜେପିର ଗୈରିକ ରଙ୍ଗ ।

କଟକର ବିଧାନସଭା ଆସନ ମଧ୍ୟରୁ ବାରବାଟୀ-କଟକରେ କଂଗ୍ରେସରୁ ମହମ୍ମଦ ମୋକ୍କିମ ଲଢିବା ଏକ ପ୍ରକାର ନିଶ୍ଚିତ ଥିବାବେଳେ,  ବିଜେପି  ସମୀର ଦେଙ୍କୁ ମଇଦାନ୍ କୁ ଆଣିଛି । ଏପରି ସ୍ଥଳେ ବିଜେଡି କିନ୍ତୁ ଏଯାଏଁ ବାରବାଟୀ-କଟକ ପାଇଁ ପ୍ରାର୍ଥୀ ଘୋଷଣା କରି ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.