ବିଧାନସଭାରେ 'ପରୀ' ତାତି: ଗୃହ ବାହାରେ ନ୍ୟାୟ ଦାବିରେ ବାପା-ମା'ଙ୍କ ଆତ୍ମାହୁତି ଉଦ୍ୟମ, ଭିତରେ ଗର୍ଜିଲେ ବିରୋଧୀ

Published By : Prameya-News7 Bureau | November 24, 2020 IST

ଭୁବନେଶ୍ୱର ୨୪/୧୧ : ବିଧାନସଭା ଆଗରେ ଆତ୍ମାହୁତି ଉଦ୍ୟମ। କିରୋସିନ ଢାଳି ସ୍ବାମୀ, ସ୍ତ୍ରୀଙ୍କ ଆତ୍ମାହୁତି ଉଦ୍ୟମ। ବିଧାନସଭା ଅଧିବେଶନ ଚାଲିଥିବା ବେଳେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା ରାଜଧାନୀରେ। ତେବେ ସଠିକ ସମୟରେ ଘଟଣାସ୍ଥଳରେ ଥିବା ପୋଲିସ କର୍ମଚାରୀ ଦମ୍ପତିଙ୍କୁ କାବୁ କରିନେଇଥିଲେ। ତେବେ ଏ ଦମ୍ପତି କିଏ ?  କ’ଣ ଏମାନଙ୍କ ଉଦେଶ୍ୟ ? କାହିଁକି ଏମାନେ ଏଭଳି ଚରମ ନିଷ୍ପତ୍ତି ନେବାକୁ ଯାଉଥିଲେ।

ଝିଅ ହତ୍ୟା ମାମଲାରେ ନ୍ୟାୟ ନପାଇ ନୟାଗଡ ଜିଲ୍ଲା ସଦର ଥାନା ଯଦୁପୁରର ଅଶୋକ ସାହୁ ଏବଂ ତାଙ୍କ ସ୍ତ୍ରୀ ଏପରି କରିଥିବା କହିଛନ୍ତି। ଦମ୍ପତିଙ୍କ କହିବା ମୁତାବକ ତାଙ୍କ ଝିଅ ପରିକୁ ମାରିଦିଆଯାଇଛି । କିଡନୀ,  ଆଖି ବିକି ଦେଇଛନ୍ତି ହତ୍ୟାକାରୀ। ହେଲେ ଏଯାଏ ଅଭିଯୁକ୍ତକୁ ଗିରଫ କରାଯାଉ ନାହିଁ। ଏମିତିକି ଏସ୍‌ପିଙ୍କୁ ଗୁହାରୀ କରିଥିଲେ ବି ସେ ଆକ୍ସନକୁ ଆସୁନାହାନ୍ତି। ସେମାନଙ୍କୁ ପାଲଟା ଆକ୍ରମଣ କରାଯାଇଥିବା ଅଭିଯୋଗ କରିଛନ୍ତି।

ବିଧାନସଭା ବାହାର ଘଟିଥିବା ଏ ଘଟଣାକୁ ନେଇ ଗୃହ ଭିତରେ ଦେଖାଦେଇଥିଲା ତାତି। ଜଣେ ମନ୍ତ୍ରୀଙ୍କ ନାଁ ଉଠିଥିବାରୁ ସରକାର ସ୍ପଷ୍ଟୀକରଣ ରଖନ୍ତୁ ବୋଲି ଦାବି କରିଥିଲେ ବିରୋଧୀ। ସବୁ କାର୍ଯ୍ୟ ବନ୍ଦ କରି ଏହା ଉପରେ ଜବାବ ରଖିବାକୁ ଅଡି ବସିଥିଲେ। ଶେଷରେ ଆସନ୍ତା କାଲି ଏନେଇ ବିସ୍ତୃତ ତଥ୍ୟ ରଖିବାକୁ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ନିର୍ଦେଶ ଦେଇଛନ୍ତି ବାଚସ୍ପତି।

ଗତ ଜୁଲାଇ ୧୪ ତାରିଖ ଦିନ ଘର ଆଗରେ ଖେଳୁଥିବା ସମୟରେ ନିଖୋଜ ହୋଇଯାଇଥିଲା ପରି। ପରିବାର ଲୋକେ ବହୁ ଖୋଜାଖୋଜି କରି ଝିଅକୁ ନପାଇ ସଦର ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଟିମ୍ ଗଠନ କରି ତଦନ୍ତ କରିବା ସହ ଡଗ୍ ସ୍କ୍ବାର୍ଡ ଆଣି ଖୋଳତାଡ କରିଥିଲା। ୨୩ ତାରିଖ ଅପରାହ୍ନରେ ବାଡି ପଡ ଗାଡିଆ କୁଳରେ ବସ୍ତାରେ ବନ୍ଧା ଅବସ୍ଥାରେ ଝିଅର ଖଣ୍ଡ ବିଖଣ୍ଡିତ ଗଳିତ ମୃତଦେହ ମିଳିଥିଲା। ଘଟଣାକୁ ୪ ମାସ  ବିତିଯାଇଥିଲେ ମଧ୍ୟ ଏଯାଏ ଅଭିଯୁକ୍ତଙ୍କୁ ଗିରଫ କରିପାରିନି ପୋଲିସ। ଯାହାକୁ ନେଇ ନୟାଗଡାରେ ତୀବ୍ର ହୋଇଛି ଅସନ୍ତୋଷ । ଏସପିଙ୍କ ବଦଳି ଦାବି କରିଛି ନୟାଗଡ ଜିଲ୍ଲା କଂଗ୍ରେସ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.