୧୨ ଘଣ୍ଟା ଧରି ନକ୍ସଲ-ପୋଲିସ ମଧ୍ୟରେ ଏନକାଉଣ୍ଟର ଜାରି, ହେଲିକପ୍ଟରରେ ପଠାଗଲା କମାଣ୍ଡୋ
5/03/2021 at 4:07 PM

ରାୟପୁର ୦୫।୦୩: ଛତିଶଗଡର ଗଢଚିରୌଲିରେ ସୁରକ୍ଷାବଳ ଓ ମାଓବାଦୀଙ୍କ ମଧ୍ୟରେ ବଡ ଧରଣର ଏନକାଉଣ୍ଟର ଜାରି ରହିଛି। ଭାମରାଗଢ ତହସିଲ ଅନ୍ତର୍ଗତ ଜଙ୍ଗଲ ସ୍ଥିତ ଆବୁଜମାଡ ପାହାଡରେ ପ୍ରାୟ ୧୨ ଘଣ୍ଟା ଧରି ଗୁଳି ବିନିମୟ ଜାରି ରହିଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ବାୟୁସେନା ହେଲିକପ୍ଟର ଜରିଆରେ ଅତିରିକ୍ତ କମାଣ୍ଡୋ ଟିମକୁ ଘଟଣାସ୍ଥଳକୁ ପଠା ଯାଇଛି। ସଶସ୍ତ୍ର ମାଓବାଦୀଙ୍କ ଏକ ବଡ ଗ୍ରୁପ ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ କରିଛନ୍ତି।
ସୂଚନା ଅନୁଯାୟୀ, ମହାରାଷ୍ଟ୍ର ସୀମାରେ ସ୍ଥିତ ଏହି ଜଙ୍ଗଲରେ ନକ୍ସଲ ଓ ସି୬୦ କମାଣ୍ଡୋ ମଧ୍ୟରେ ବଡ ଧରଣର ଗୁଳି ବିନିମୟ ଜାରି ରହିଛି। ସୂତ୍ର ଅନୁଯାୟୀ, ଶତାଧିକ ସଂଖ୍ୟାରେ ସଶସ୍ତ୍ର ମାଓବାଦୀ ପୋଲିସ ଟିମ୍ ଉପରେ ଅତର୍କିତ ଆକ୍ରମଣ କରିଛନ୍ତି। ୨୭୦ ପୋଲିସ କର୍ମୀ ସହିତ ନଅଟି ଦଳକୁ ଘଟଣାସ୍ଥଳକୁ ପଠାଯାଇଛି। ଛତିଶଗଡ ପୋଲିସ ମଧ୍ୟ ସୁରକ୍ଷାବଳଙ୍କୁ ସହାୟତା ପ୍ରଦାନ କରୁଛି।
ଏହି ଘଟଣାରେ ବାୟୁସେନାର ସହାୟତା ଲୋଡା ଯାଇଥିଲା। ଏହା ପରେ ବାୟୁସେନାର ହେଲିକପ୍ଟର ଯୋଗେ ଘଟଣାସ୍ଥଳକୁ ଯବାନଙ୍କୁ ପଠାଯାଇଛି। ଜଣେ ଆହତ ଯବାନଙ୍କ ଚିକିତ୍ସା କରାଯାଉଛି। କୁହାଯାଉଛି ପୋଲିସ ଟିମ୍ ପାହାଡ ଉପରେ ରହିଥିବା ବେଳେ ନକ୍ସଲମାନେ ପାହାଡି କ୍ଷେତ୍ରକୁ ଘେରି ରହିଛନ୍ତି। ନକ୍ସଲଙ୍କ ପକ୍ଷରୁ ଧୂଆଁଧାର ଗୁଳିମାଡ ଗୁଳିମୟ ଜାରି ରହିଛି।