୫ ନିର୍ବାଚନୀ ରାଜ୍ୟରେ ନକ୍ସଲବାଦୀ ଆକ୍ରମଣ ଆଶଙ୍କା, ପଶ୍ଚିମବଙ୍ଗ ପ୍ରତି ଭୟ ଅଧିକ !

Published By : Prameya-News7 Bureau | March 08, 2021 IST

ନୂଆଦିଲ୍ଲୀ ୦୮/୦୩: ଦେଶର ୫ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ନିର୍ବାଚନ ପାଇଁ ରାଜନୈତିକ ତାତି ବଢ଼ୁଥିବା ବେଳେ ନକ୍ସଲବାଦୀଙ୍କ ଆକ୍ରମଣ ଆଶାଙ୍କା ଚିନ୍ତା ବଢ଼ାଇଛି। ଗୁଇନ୍ଦା ବିଭାଗର ସୂଚନା ମିଳିବା ପରେ ୫ ରାଜ୍ୟର ପୋଲିସକୁ ଆଲର୍ଟ କରାଯାଇଛି। ନ୍ୟୁଜ୍‌ ୧୮ରେ ପ୍ରକାଶିତ ଖବର ଅନୁସାରେ ୫ ରାଜ୍ୟରେ ନିର୍ବାଚନ ପ୍ରକ୍ରିୟାକୁ ବଧା ଦେବାକୁ ନକ୍ସଲମାନେ ପ୍ରୟାସ କରିପାରନ୍ତି ବୋଲି ଗୁଇନ୍ଦା ବିଭାଗ ସୂତ୍ରରୁ ସୂଚନା ମିଳିଛି । ପଶ୍ଚିମବଙ୍ଗ ପ୍ରତି ଏହି ଭୟ ଅଧିକ ରହିଛି।

ବେଙ୍ଗଲରେ ନକ୍ସଲଙ୍କ ପ୍ରଭାବ କମ୍‌ ହୋଇଯାଇଥିବାରୁ ଏବେ ପୁଣି ଥରେ ଶକ୍ତି ଫେରିପାଇବାକୁ ପ୍ରଚେଷ୍ଟା ଚଳାଇଥିବା ଜଣାପଡ଼ିଛି। କିଛି ବର୍ଷ ହେଲା ପଶ୍ଚିମବଙ୍ଗରେ ସେମାନଙ୍କ ସଂଗଠନ ଲଗାତାର କମଜୋର ହୋଇପଡ଼ୁଛି। ନିର୍ବାଚନର ଠିକ୍‌ ପୂର୍ବରୁ ପୁଣି ଥରେ ସକ୍ରିୟ ହେବାକୁ ଏବଂ ସ୍ଥତି ଜାହିର କରିବାକୁ ସଜାବାଜ ହେଉଛନ୍ତି ନକ୍ସଲବାଦୀ। ଗୁଇନ୍ଦା ବିଭାଗରୁ ମିଳିଥିବା ସୂଚନା ଅନୁସାରେ ନକ୍ସଲବାଦୀ ସଂଗଠନ ଇଷ୍ଟର୍ଣ୍ଣ ରିଜିଓନାଲ୍‌ ବ୍ୟୁରୋ ବେଙ୍ଗଲର ପଡ଼ୋଶୀ ରାଜ୍ୟରେ ଅସ୍ତଶସ୍ତ୍ର ଏକାଠି କରୁଥିବା ବେଳେ ନିର୍ବାଚନ ସମୟରେ ଏହାକୁ ପଠାଇ ହିଂସା ଭିଆଇପାରନ୍ତି। ଏହି ରିଜିଅନ୍‌ ବିହାର ଏବଂ ଝାଡ଼ଖଣ୍ଡରେ ପଡ଼ୁଥିବା ବେଳେ ଏହି ରାଜ୍ୟ ପଶ୍ଚିମବଙ୍ଗ ସୀମା ସହ ଲାଗି ରହିଛି।

ଗତ ୪ ମାସ ମଧ୍ୟରେ ଝାଡ଼ଖଣ୍ଡ ଏବଂ ବିହାରରେ ନକ୍ସଲ କମାଣ୍ଡରମାନେ ସକ୍ରିୟ ହେଉଥିବା ଜଣାପଡ଼ିଛି। ତେବେ ନକ୍ସଲମାନଙ୍କ ଏହା ପୂରୁଣା ଅଭ୍ୟାସ। ଯେବେ ଯେଉଁ ରାଜ୍ୟରେ ନିର୍ବାଚନ ହେବାକୁ ଥାଏ ସେମାନେ ହିଂସା ସୃଷ୍ଟି କରି ଉପସ୍ଥିତି ଜାହିର କରିବାକୁ ଚେଷ୍ଟା କରନ୍ତି ବୋଲି ବିଏସ୍‌ଏଫର ପୂର୍ବତନ ଆଇଜି ଅଜମଲ ସିଂହ କଟାଚ କହିଛନ୍ତି। ଗତ ୪ ମାସ ହେଲା ବିହାର ଏବଂ ଝାଡ଼ଖଣ୍ଡରେ ନକ୍ସଲଙ୍କ ଗତିବିଧି ବୃଦ୍ଧି ପାଇଛି। ଏମେନେ ପେଟ୍ରୋଲ ପମ୍ପ, ବ୍ୟବସାୟୀ, ଠିକାଦାର, ହୋଟେଲ ଆଦିରୁ ବଟି ଆଦାୟ କରୁଥିବା ଜଣାପଡ଼ିଛି । ତେଣୁ ନିର୍ବାଚନରେ ନକ୍ସଲବାଦୀ ଆକ୍ରମଣ ହୋଇପାରେ ବୋଲି ଆଶଙ୍କା ବୃଦ୍ଧି ହୋଇଛି।

ସେପଟେ ଗୁଇନ୍ଦା ବିଭାଗ ସୂତ୍ରରୁ ଜଶାପଡ଼ିଛି ଯେ, ନିର୍ବାଚନ ସମୟରେ ବଡ଼ ଧରଣର ବିସ୍ଫୋରଣ କରିବାକୁ ନକ୍ସଲମାନେ ପଶ୍ଚିମବଙ୍ଗର ପଡ଼ୋଶୀ ରାଜ୍ୟରେ ପାଖାପାଖି ୮୦୦ କିଲୋ ବିସ୍ଫୋଟକ ସାଇତି ରଖିଛନ୍ତି। ସୁରକ୍ଷାବଳଙ୍କ ଉପ​ରେ ଆକ୍ରମଣ କରିବାକୁ ସେମାନେ ଏହି ବିସ୍ଫୋଟକ ମଧ୍ୟ ବ୍ୟବହାର କରିପାରନ୍ତି ବୋଲି ସୂଚନା ମିଳିଛି। କେବଳ ସେତିକି ନୁହେଁ ସେମାନେ ଅଣ୍ଡର ବ୍ୟାରେଲ୍‌ ଗ୍ରେନେଡ୍‌ ଲଞ୍ଚର ମଧ୍ୟ ରଖିଛନ୍ତି। ଏହି ସବୁ ସୂଚନା ଇସାରା କରୁଛି ନକ୍ସଲବାଦୀ କିଛି ବଡ଼ କରିବାକୁ ଯୋଜନା କରୁଛନ୍ତି। ସେପଟେ ଏଭଳି ସୂଚନା ମିଳିବା ପରେ ସୁରକ୍ଷା ଏଜେନ୍ସି ନକ୍ସଲବାଦୀଙ୍କୁ ଚେକ୍‌ ଦେବାକୁ ପ୍ରସ୍ତୁତ ହେଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.