ପାକିସ୍ତାନରେ ନିଲାମ ହେଉଛି ନୱାଜ ସରିଫଙ୍କ ସମ୍ପତ୍ତି, ବିକ୍ରି ହେଲା ଜମି

Published By : Prameya-News7 Bureau | May 21, 2021 IST

ଲାହୋର ୨୧।୫: ପୂର୍ବତନ ପାକ୍ ପ୍ରଧାନମନ୍ତ୍ରୀ ତଥା ପିଏମଏଲଏନ୍ ନେତା ମିଆଁ ନୱାଜ ସରିଫଙ୍କ ବିଭିନ୍ନ ସମ୍ପତ୍ତି ନିଲାମା ଲାଗି ଇସ୍ଲାମାବାଦ ହାଇକୋର୍ଟ ଅନୁମତି ପ୍ରଦାନ କରିଛନ୍ତି। ଫଳରେ ପାକିସ୍ତାନରେ ସରିଫଙ୍କ ସମ୍ପତ୍ତି ନିଲାମ ଆରମ୍ଭ ହୋଇଛି। ଏଥିରେ ପ୍ରଥମେ ତାଙ୍କ ମାଲିକାନାଧିନ ୧୧ ଏକରର ଏକ ଜମି ନିଲାମ ହୋଇଥିବା ବେଳେ ଏଥିରୁ ପାକିସ୍ତାନୀ ମୁଦ୍ରାରେ ୧୧.୨ କୋଟି ଟଙ୍କା ମିଳିଥିବା ବେଳେ ଏହାକୁ ସରକାରୀ ତହବିଲରେ ଜମା କରାଯାଇଛି।

ଇସ୍ଲାମାବାଦ ହାଇକୋର୍ଟ ତୋଷଖାନା ମାମଲାରେ ସରିଫଙ୍କୁ ଅପରାଧୀ ଘୋଷିତ କରିଥିଲେ। ସେପ୍ଟେମ୍ବର ୨୦୨୦ରେ କୋର୍ଟଙ୍କ ଏହି ରାୟରେ ସରିଫ ହାଜର ନ ହେବା ଯୋଗୁ ଜାତୀୟ ଉତ୍ତରଦାୟୀ ବ୍ୟୁରୋ(ଏନଏବି) ତାଙ୍କ ସମ୍ପତ୍ତି ନିଲାମ ଲାଗି କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏଥିରେ କୋର୍ଟ ସିକ୍ୟୁରିଟି ଏଣ୍ଡ ଏକ୍ସଚେଞ୍ଜ କମିଶନ ଅଫ ପାକିସ୍ତାନ( ଏସଇସିପି)ଙ୍କୁ ବିଭିନ୍ନ ବ୍ୟବସାୟରେ ଲାଗିଥିବା ସରିଫଙ୍କ ସେୟାର ନିଲାମ କରିବାକୁ ମଧ୍ୟ ଅନୁମତି ଦେଇଥିଲେ।

କୋର୍ଟଙ୍କ ଆଦେଶ ମୁତାବକ ଲାହୋରଠାରୁ ୮୦ କିଲୋମିଟର ଦୂରରେ ଥିବା ଜମିକୁ ରାଜସ୍ୱ ପ୍ରଶାସନ ନିଲାମ କରିଥିଲେ। ଏଥିଲାଗି ସରକାରୀ ଦରରେ ଏକରପିଛା  ୭୦ ଲକ୍ଷ ଟଙ୍କା ଧାର୍ଯ୍ୟ ହୋଇଥିଲା। ତେବେ ନିଲାମରେ ଅଧିକ ୪କୋଟି ଟଙ୍କା ମିଳିଛି। ରାଜସ୍ୱ ପ୍ରଶାସନର ଏହି କାର୍ଯ୍ୟାନୁଷ୍ଠାନକୁ ସ୍ଥାନୀୟ ଲୋକେ ଅଟକାଇବାକୁ ଉଦ୍ୟମ କରିଥିଲେ। ଏଥିରେ ଅଶରଫ ମଲ୍ଲିକ ନାମକ ଜନୈକ ବ୍ୟକ୍ତି ୨୯ ମେ ୨୦୧୯ରେ ସରିଫଙ୍କ ଠାରୁ ଜମିକୁ ୭.୫ କୋଟି ଟଙ୍କାରେ କିଣିଥିବାର ଦାବି କରିଥିଲେ। ଏ ବାବଦେ ସେ ବ୍ୟାଙ୍କ ମାଧ୍ୟମରେ ଟଙ୍କା ଦେଇସାରିଥିଲେ ହେଲେ ସରିଫଙ୍କ ଗିରଫ ହେବା ଯୋଗୁ ରେଜିଷ୍ଟ୍ରେସନ ହୋଇ ନଥିବାର କହିଥିଲେ। ତେବେ ପ୍ରଶାସନ ତାଙ୍କ ଦାବି ଅଗ୍ରାହ୍ୟ କରିଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.