ପାକ୍ ରାଜନୀତିରେ ଆସୁଛି ଭୀଷଣ ଝଡ଼! ଏକଜୁଟ୍ ହେଲେଣି ଇମ୍ରାନଙ୍କ ବିରୋଧୀ, ବିଲାୱଲଙ୍କ ସଭାରେ ଯୋଗଦେବେ ନୱାଜ ସରିଫ
19/09/2020 at 6:24 PM

ପେଶାୱର ୧୯।୯: ପାକିସ୍ତାନରେ ଇମ୍ରାନ ସରକାରଙ୍କ ବିରୋଧରେ ବିଦ୍ରୋହର ଶ୍ୱର ଶୁଣାଗଲାଣି। ବିରୋଧୀମାନେ ଏକଜୁଟ୍ ହେଉଥିବା ବେଳେ ଦେଶରେ ଭୀଷଣ ରାଜନୈତିକ ଝଡର ଏବେ ସୂଚନା ମିଳୁଛି। ମିଳୁଥିବା ସୂଚନା ଅନୁସାରେ ରବିବାର ପାକିସ୍ତାନରେ ବିରୋଧୀଙ୍କ ଅଲ ପାର୍ଟି କନଫରେନ୍ସ (ଏପିସି) ଅନୁଷ୍ଠିତ ହେବାକୁ ଯାଉଛି। ଏହି କନଫରେନ୍ସର ସବୁଠାରୁ ବଡ କଥା ହେଉଛି ଏଥିରେ ପିଏମଏଲ-ଏନ୍ ନେତା ମିଆଁ ନୱାଜ୍ ସରିଫ ଭିଡିଓ କନଫରେନସିଂ ମାଧ୍ୟମରେ ଯୋଗଦେବେ।

ନୱାଜ ଗତ ତିନିମାସ ହେଲା ଚିକିତ୍ସା ଲାଗି ଲଣ୍ଡନରେ ଅବସ୍ଥାନ କରୁଛନ୍ତି। ପାକିସ୍ତାନ କୋର୍ଟ ତାଙ୍କ ଗିରଫଦାରୀ ଲାଗି ୱାରେଣ୍ଟ ମଧ୍ୟ ଜାରି କରିଛନ୍ତି। ଏଥିରେ ସରିଫ କାର୍ଯ୍ୟକ୍ରମରେ ଯୋଗଦେବା ଆର୍ଥିକ ଓ ଘରୋଇ ପ୍ରସଙ୍ଗରେ ସମସ୍ୟାଗ୍ରସ୍ତ ଇମ୍ରାନ ସରକାରଙ୍କ ସମସ୍ୟାକୁ ବହୁଗୁଣିତ କରିବ ବୋଲି ଏବେ ଆକଳନ କରାଯାଉଛି। କାରଣ ବିରୋଧୀ ଦଳମାନେ ଏହି ସମାବେଶରେ ଇମ୍ରାନଙ୍କ ଇସ୍ତଫା ଦାବି କରିବେ।

ଉଲ୍ଲେଖ ଯୋଗ୍ୟଯେ ଇମ୍ରାନ ସରକାର ଦେଶର ବଡ ନେତାଙ୍କ ବିରୋଧରେ କୌଣସି ନା କୌଣସି ମୋକଦ୍ଦମା ରୁଜୁ କରିଛନ୍ତି। ଏଥିରେ ଅଧିକାଂଶ ନେତା ଦୁର୍ନୀତି ମାମଲାରେ ଛନ୍ଦି ହୋଇପଡିଥିବା ବେଳେ ପାକିସ୍ତାନ ପ୍ୟୁପିଲସ୍ ପାର୍ଟି (ପିପିପି) ନେତା ବିଲାୱଲ ଭୁଟ୍ଟୋ ସମସ୍ତ ବିରୋଧୀଙ୍କୁ ଗୋଟିଏ ମଞ୍ଚରେ ଏକଜୁଟ କରିବା ଲାଗି ଉଦ୍ୟମ କରିଛନ୍ତି। ଏହି ସମାବେଶ ଲାଗି ବିଲାୱଲ ଅନେକ ଥର ନୱାଜଙ୍କ ଝିଅ ମରିୟମ ନୱାଜଙ୍କୁ ମଧ୍ୟ ଭେଟିଛନ୍ତି। ଏହାଛଡା ଉଭୟ ବିରୋଧୀ ଦଳଙ୍କୁ ମୌଲାନା ଫଜଲ-ଉର-ରହେମାନଙ୍କ ସମର୍ଥନ ମଧ୍ୟ ରହିଛି।

ରବିବାର ଅଲପାର୍ଟି କନଫରେନ୍ସ ନେଇ ବିଲାୱଲ ତାଙ୍କ ଟ୍ୱିଟ୍ ହ୍ୟାଣ୍ଡଲରେ ସୂଚନା ଦେଇଛନ୍ତି। ଏଥିଲାଗି ରାଜନୈତିକ ଦଳ ସେମାନଙ୍କ ଏଜଣ୍ଡା ନିଶ୍ଚିତ କରିଥିବା ବିଲାୱଲ ସୂଚନା ଦେଇଥିବା ବେଳେ ଦେଶରେ ତୁରନ୍ତ ନିର୍ବାଚନ ଦାବି ଉଠିବ ବୋଲି କହିଛନ୍ତି। ଇମ୍ରାନଙ୍କୁ ନେଇ ବିଲାୱଲ ସମ୍ପୂର୍ଣ୍ଣ ସ୍ପଷ୍ଟ। ଗତ ନିର୍ବାଚନ ପରଠାରୁ ସେ କେବେ ହେଲେ ଇମ୍ରାନଙ୍କୁ ନିର୍ବାଚିତ ପ୍ରଧାନମନ୍ତ୍ରୀ ସ୍ୱୀକାର କରିନାହାନ୍ତି। ସେନା ସମର୍ଥିତ ମନୋନୀତ ସରକାର ବୋଲି ସବୁଠାରେ କହୁଛନ୍ତି। ଏଥିରେ ଅଲପାର୍ଟି ମିଟିଂର ଫଳାଫଳ ଉପରେ ଏବେ ସମସ୍ତଙ୍କ ନଜର।