Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ମହାରାଷ୍ଟ୍ରରେ ଦଳ ଡିଆଁ ରାଜନୀତି ସରଗରମ : ଏନସିପି ନେତା କହିଲେ ଆମର ୧୨ ବିଧାୟକ ବିଜେପିକୁ ଯିବେନି, ବିଜେପି ଯାଇଥିବା ନେତା ଫେରିଆସିବେ

11/08/2020 at 3:53 PM

ନୂଆଦିଲ୍ଲୀ ୧୧।୮: ମହାରାଷ୍ଟ୍ର ରାଜନୀତି ଏବେ ସରଗରମ । ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି)ର ୧୨ ଜଣ ବିଧାୟକ ଦଳ ଛାଡିବା ନେଇ ଚର୍ଚ୍ଚା ଜୋର ଧରିଛି । ତେବେ ଏହାକୁ ଖଣ୍ଡନ କରିଛି ଏନସିପି । ମହାରାଷ୍ଟ୍ରର କ୍ୟାବିନେଟ୍ ମନ୍ତ୍ରୀ ତଥା ଏନସିପି ନେତା ନବାବ ମଲିକ ସୋମବାର ଦିନ ଅଭିଯୋଗ କରିଛନ୍ତି ଯେ, କିଛି ଲୋକ ଭିତ୍ତିହୀନ ଗୁଜବ ପ୍ରଚାର କରୁଛନ୍ତି । ତାଙ୍କ ଦଳର ୧୨ ଜଣ ବିଧାୟକ ବିଜେପିରେ ଯୋଗଦେବାକୁ ଯାଉଛନ୍ତି ବୋଲି ପ୍ରଚାର କରୁଛନ୍ତି । ନବାବ ଏହା ମଧ୍ୟ ଦାବି କରିଛନ୍ତି ଯେ ଦଳର ଯେଉଁ ନେତା ୨୦୧୯ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିରେ ଯୋଗଦେଇଥିଲେ ସେମାନେ ଏବେ ଦଳକୁ ଫେରିବାକୁ ଚାହୁଁଛନ୍ତି ।

ମଲିକ ଟ୍ବିଟ୍ କରି କହିଛନ୍ତି, ‘କିଛି ଲୋକ ଗୁଜବ ପ୍ରଚାର କରୁଛନ୍ତି ଯେ ୧୨ ଏନସିପି ବିଧାୟକ ବିଜେପିରେ ଯୋଗଦେବାକୁ ଯାଉଛନ୍ତି । ଏହା ଭିତ୍ତିହୀନ ଏବଂ ସଂକଳ୍ପିତ ଖବର । ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ଯାଇଥିବା ବିଧାୟକମାନେ ମଧ୍ୟ ଏନସିପି ଫେରିବାକୁ ଆଗ୍ରହୀ ଅଛନ୍ତି । ଏ ବାବଦରେ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ । ନିଷ୍ପତ୍ତି ନେବା ପରେ ଖୁବ୍ ଶୀଘ୍ର ଲୋକଙ୍କୁ ସୂଚନା ଦିଆଯିବ ।

ସୂଚନାଯୋଗ୍ୟ ଯେ, ବର୍ତ୍ତମାନ ମହାରାଷ୍ଟ୍ର ବିଧାନସଭାରେ ବର୍ତ୍ତମାନର ଶିବସେନା, ଏନସିପି ଏବଂ କଂଗ୍ରେସ ଗଠବନ୍ଧନ ସରକାର ଉଦ୍ଧବ ଠାକରେଙ୍କ ନେତୃତ୍ବରେ କାର୍ଯ୍ୟ କରୁଛନ୍ତି । ରାଜ୍ୟ ବିଧାସଭାରେ ବିଜେପି ସର୍ବାଧିକ ୧୦୫ଟି ଆସନ ହାସଲ କରିଥିଲା । ଶିବସେନାଙ୍କ ଖାତାରେ ୫୬ଟି ସିଟ୍ ଥିବାବେଳେ ଏନସିପିର ୫୪ ଏବଂ କଂଗ୍ରେସର ୪୪ ପ୍ରାର୍ଥୀ ଜିତିଥିଲେ । ରାଜ୍ୟର ବିଧାନସଭାରେ ୨୮୮ ଆସନ ଅଛି । ​​ବିଜେପି-ଶିବସେନା ଗଠବନ୍ଧନ ନିର୍ବାଚନରେ ସ୍ପଷ୍ଟ ବହୁମତ ହାସଲ କରିଥିଲା । କିନ୍ତୁ ଏହା ସତ୍ତ୍ବେ ଏହି ଗଠବନ୍ଧନର ସରକାର ଗଠନ ହୋଇପାରିନଥିଲା । ମୁଖ୍ୟମନ୍ତ୍ରୀ କେଉଁ ଦଳର ସେନେଇ ବିଜେପି ଏବଂ ଶିବସେନା ମଧ୍ୟରେ ମତଭେଦ ଦେଖାଦେଇଥିଲା । ଫଳରେ ଶିବସେନା ବିଜେପି ଛାଡିଥିଲା । ପରେ ଶିବସେନା କଂଗ୍ରେସ ଏବଂ ଏନସିପି ସହ ମିଶି ଏକ ସରକାର ଗଠନ କରିଥିଲେ।

   Related Posts