କାଲି ୧୦ଟା କୁ ଅପେକ୍ଷା: ଫଡଣବିସ ଫୁଟେଇ ପାରିଲେନି ବମ୍, ମୁଁ ଫୁଟେଇବି ଅଣ୍ଡରୱାର୍ଲଡର ହାଇଡ୍ରୋଜେନ ବମ୍- ନବାବ ମଲିକ

Published By : Prameya-News7 Bureau | November 09, 2021 IST

ମୁମ୍ବାଇ ୦୯/୧୧ : ମହାରାଷ୍ଟ୍ରରେ ଡ୍ରଗ୍ସ ମାମଲାରୁ ଆରମ୍ଭ ହୋଇଥିବା ରାଜନୈତିକ ଯୁଦ୍ଧ ବର୍ତ୍ତମାନ ଅଣ୍ଡରୱାର୍ଲଡ ସହ ନେତାଙ୍କ ସମ୍ପର୍କ ଥିବା ଯାଏଁ ପହଞ୍ଚିଛି। ମଙ୍ଗଳବାର ଦିନ ଦେବେନ୍ଦ୍ର ଫଡଣବିସ ନବାବ ମଲିକଙ୍କ ଉପରେ ଅଣ୍ଡରୱାର୍ଲଡ ସହ ସମ୍ବନ୍ଧ ଥିବା ଆରୋପ ଲଗାଇଛନ୍ତି। ଫଡଣବିସଙ୍କ ଆରୋପ ପରେ ବର୍ତ୍ତମାନ ନବାବ ମଲିକ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ ବୁଧବାର ସକାଳ ୧୦ଟା ରେ ଫଡଣବିସଙ୍କ ଅଣ୍ଡରୱାର୍ଲଡ ସମ୍ପର୍କର ଖୁଲାସା କରିବେ। ମଲିକ କହିଛନ୍ତି ଯେ ତାଙ୍କ ଉପରେ ଏମିତି ଆରୋପ ଲାଗିନଥିଲା। ଏବେ ସେ କିଛି କହିବେନି କିନ୍ତୁ ଅଣ୍ଡରୱାର୍ଲଡ ସହ ଯାହା ଖେଳ ଆରମ୍ଭ ହୋଇଛି ତାର ଖୁଲାସା କାଲି କରିବେ ବୋଲି କହିଛନ୍ତି।

ସେ ସଫେଇ ଦେଇ କହିଛନ୍ତି ଯେ ସେ କେବେ ବୋମା ବିସ୍ଫୋରଣ କରିଥିବା ଦୋଷୀଙ୍କ ଠାରୁ ଜମି କିଣି ନାହାନ୍ତି। ସେ ସଲିମ ପଟେଲଠୁ ଜମି କିଣିଥିଲେ। ମଲିକ କହିଛନ୍ତି, 'ଦେବେନ୍ଦ୍ର ଫଡଣବିସ କହିଛନ୍ତି ଯେ ମୁଁ ଜମି କିଣିଛି ଏବଂ ସେଥିରେ ନକଲି ଭଡଵାଲା ରଖିଛି। କିନ୍ତୁ ସେପରି ନୁହେଁ। ସେଠାରେ ସୋସାଇଟି ଅଛି। ତା ପଛପଟେ ଯେଉଁ ଜମି ଅଛି ସେଇଠି ବସ୍ତି ଅଛି। ମୋର ସେଠାରେ ଏକ ଗୋଦାମ ଅଛି, ସେହି ଜମି ଲିଜ୍ ରେ ଥିଲା। ସେହି ସ୍ଥାନରେ ଆମର ୪ ଟି ଦୋକାନ ମଧ୍ୟ ଥିଲା।

ଆଗକୁ ସେ କହିଛନ୍ତି, ଫଡଣବିସ କଞ୍ଚା ଖେଳାଳି। ୧୯୯୬ ରେ ଯେତେବେଳେ ଶିବସେନା ଓ ବିଜେପି ସରକାର ଥିଲା, ନଭେମ୍ୱର ୯ ତାରିଖରେ ଉପନିର୍ବାଚନ ଜିତିଥିଲେ। ସେତେବେଳେ ସେଠାରେ ଉତ୍ସବ ମଧ୍ୟ ପାଳନ କରାଯାଇଥିଲା। ସେଠାରୁ ସେ ନିର୍ବାଚନ ଲଢ଼ିଥିଲେ। ସେଠାରେ ଏକ ସୋସାଇଟି ଥିଲା, ଯାହା ତାଙ୍କୁ ମାଲିକାନା ଦେବାକୁ କହିଥିଲା ଏବଂ ପୂର୍ଣ୍ଣ ଷ୍ଟାମ୍ପ ଡ୍ୟୁଟି ଦେବା ପରେ ସେ ଏହି ଜମି ନେଇଥିଲେ। ଜମି ଫୁଟ ପିଛା ୨୦ ଟଙ୍କାରେ କିଣିଥିବା ଆରୋପ ଭୁଲ।

ମଲିକ କହିଛନ୍ତି ଯେ ଦେବେନ୍ଦ୍ର ଫଡଣବିସ ବୋମା ବିସ୍ଫୋରଣ କରିବା କଥା କହିଥିଲେ କିନ୍ତୁ କରିପାରିଲେନି। ଏବେ ମୁଁ ତାଙ୍କ ବିରୋଧରେ ଅଣ୍ଡରୱାର୍ଲଡର ହାଇଡ୍ରୋଜେନ ବୋମା ଫୁଟେଇବି। ସେ କହିଛନ୍ତି ଫଡଣବିସ ତାଙ୍କ ଜ୍ୱାଇଁ ପାଖରୁ ଗଞ୍ଜେଇ ଜବତ ହୋଇଥିବା କଥା କହିଥିଲେ। ଏହି ମାମଲାରେ ମଲିକଙ୍କ ଝିଅ ତାଙ୍କୁ ନୋଟିସ ପଠେଇବ ଏବଂ ଏଥିପାଇଁ ଫଡଣବିସ ପ୍ରସ୍ତୁତ ଥାଆନ୍ତୁ ବୋଲି ମଲିକ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.