ଅମରିନ୍ଦର ସିଂହଙ୍କ ଘର ପର୍ଯ୍ୟନ୍ତ ପହଞ୍ଚିଲେ ସିଦ୍ଧୁ, କଂଗ୍ରେସ ସଭାପତି ହେବାକୁ ବିଧାୟକଙ୍କୁ ମାଗିଲେ ସମର୍ଥନ

Published By : Prameya-News7 Bureau | July 18, 2021 IST

ନୂଆଦିଲ୍ଲୀ ୧୮/୭: ନବଜୋତ ସିଂହ ସିଦ୍ଧୁ ପଞ୍ଜାବ କଂଗ୍ରେସ ସଭାପତି ହେବା ନେଇ ଚର୍ଚ୍ଚା ଚାଲିଥିବା ବେଳେ ରବିବାର ସେ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କ ଗୃହ କ୍ଷେତ୍ର ପଟିଆଲାରେ ପହଞ୍ଚିଛନ୍ତି । ଦଳର ବିଧାୟକଙ୍କୁ ଭେଟି ସମର୍ଥନ ଭିକ୍ଷା କରିଛନ୍ତି ସିଦ୍ଧୁ । ଦ ସଣ୍ଡେ ଏକ୍ସପ୍ରେସ୍‌ ଅନୁସାରେ, ଅମରିନ୍ଦର ସିଂହ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କ ଦ୍ବାରା ପଞ୍ଜାବ କଂଗ୍ରେସ ସଭାପତି ନିଯୁକ୍ତିକୁ ନେଇ ନିଷ୍ପତ୍ତିକୁ ସମର୍ଥନ କରିବେ କିନ୍ତୁ ସେ ସିଦ୍ଧୁଙ୍କୁ ସାକ୍ଷାତ କରିବାକୁ ମନା କରିଦେଇଛନ୍ତି। ତାଙ୍କ ବିରୋଧରେ ଅପମାନକଜନକ ଟ୍ବିଟ୍‌ କରିଥିବା ନେଇ ସିଦ୍ଧୁ କ୍ଷମା ମାଗନ୍ତୁ ବୋଲି ଅମରିନ୍ଦର ଦାବି କରିଛନ୍ତି।

ସିଦ୍ଧୁ ଶୁତରାନା ବିଧାୟକ ନିର୍ମଳ ସିଂହ ଶୁତ୍ରାନାଙ୍କ ସହ ସାକ୍ଷାତ କରିଥିଲେ। ପରେ ଅନେକ ବିଧାୟକଙ୍କ ସମେତ ବିଧାୟକ ମଦନ ଲାଲଙ୍କ ଘରକୁ ଯାଇଥିଲେ ସିଦ୍ଧୁ। ମଦନ ଲାଲଙ୍କ ଘରେ କ୍ୟାବିନେଟ୍‌ ମନ୍ତ୍ରୀ ସୁଖଜିନ୍ଦର ସିଂହ ରାନ୍ଧଓ୍ବା ପୂର୍ବରୁ ଉପସ୍ଥିତ ଥିଲେ। ପଟିଆଲା ସାଂସଦ ଏବଂ ଅମରିନ୍ଦର ସିଂହଙ୍କ ପତ୍ନୀ ପରନୀତ କୌରଙ୍କ ଘନିଷ୍ଠ କୁହାଯାଉଥିବା ମଦନ ଲାଲ ଜଲାଲପୁର ନିଜ କାର୍ଯ୍ୟକର୍ତ୍ତାଙ୍କ ସହ ସିଦ୍ଧୁଙ୍କୁ ପଛୋଟି ନେଇଥିବା ଜଣାପଡ଼ିଛି। ଜଲାଲପୁର ମିଡିଆକୁ କହିଛନ୍ତି, ‘ ମୋତେ ରାନ୍ଧଓ୍ବାଙ୍କ ଫୋନ୍‌ ଆସିଥିଲା ଯେ ସିଦ୍ଧୁ ସାକ୍ଷାତ କରିବାକୁ ଆସୁଛନ୍ତି। ମୁଁ ତାଙ୍କ ପାଇଁ ଚା’ ପାଣିର ବ୍ୟବସ୍ଥା କରିଛି।’  

ଅନପଟେ ସିଦ୍ଧୁଙ୍କୁ ସମର୍ଥନ କରୁଥିବା ବିଧାୟକଙ୍କ ସଂଖ୍ୟା ବଢ଼ିଥିବା ନେଇ ତାଙ୍କର ଜ​‌ଣେ ସହଯୋଗୀ କହିଛନ୍ତି। ସେହିଭଳି ରାଜ୍ୟସଭା ସାଂସଦ ପ୍ରତାପ ବାଜଓ୍ବା ଦିଲ୍ଲୀ ସ୍ଥିତ ନିଜ ବାସଭବନରେ ପଞ୍ଜାବର ସାଂସଦଙ୍କୁ ନେଇ ବୈଠକ କରିଛନ୍ତି। ସିଦ୍ଧୁଙ୍କୁ କଂଗ୍ରେସ ଅଧ୍ୟକ୍ଷ କରାଇବା ବିରୋଧରେ ଏଆଇସିସିର ଅନ୍ତରୀଣ ଅଧ୍ୟକ୍ଷାଙ୍କୁ ଭେଟିବାକୁ ସମୟ ମାଗିବେ ବୋଲି ରଣନୀତି ପ୍ରସ୍ତୁତ କରିଥିବା ଜଣାପଡ଼ିଛି। ଏହାରି ମଧ୍ୟରେ ପାଖାପାଖି ୧୦ ବିଧାୟକ ଅମରିନ୍ଦରଙ୍କୁ ସମର୍ଥନ ଜଣାଇବା ସହ ଟ୍ବିଟ୍‌ ପାଇଁ ସିଦ୍ଧୁଙ୍କୁ କ୍ଷମା ମାଗିବାକୁ ଦାବି କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.