ପୁଣି କ୍ୟାପ୍ଟେନ ଅମରିନ୍ଦରଙ୍କ ଉପରେ ବର୍ଷିଲେ ସିଦ୍ଧୁ, କାହିଁକି ନିଜ ଦଳର ସରକାରଙ୍କୁ କରୁଛନ୍ତି ଟାର୍ଗେଟ ?

Published By : Prameya-News7 Bureau | May 16, 2021 IST

ନୂଆଦିଲ୍ଲୀ ୧୬/୫: ପଞ୍ଜାବରେ ଏବେ କଂଗ୍ରେସ ସରକାର। ଦଳର ବରିଷ୍ଠ ନେତା ନବଜୋତ ସିଂହ ସିଦ୍ଧୁ ରାଜ୍ୟର ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହଙ୍କ ଉପରେ ବର୍ଷିବାରେ କୌଣସି ମଉକା ଛାଡ଼ୁନାହାନ୍ତି। କିଛି ଦିନ ହେଲା ସିଦ୍ଧୁ ଲଗାତାର ରାଜ୍ୟର ମୁଖିଆଙ୍କ ନୀତିକୁ ନେଇ ଜୋରଦାର ଟାର୍ଗେଟ କରୁଛନ୍ତି। ୨୦୧୫ରେ ଗୁରୁ ଗ୍ରନ୍ଥ ସାହେବଙ୍କୁ ଅପମାନିତ କରିବା ଏବଂ ପୋଲିସ ଗୁଳିରେ ଦୁଇ ଜଣଙ୍କ ମୃତ୍ୟୁ ଘଟଣାରେ ସେ ପୁଣିଥରେ ଅମରିନ୍ଦର ସିଂହଙ୍କୁ ଘେରିଛନ୍ତି।

ଏହି ମାମଲାରେ ନ୍ୟାୟ ସୁନିଶ୍ଚିତ କରିବାରେ ମୁଖ୍ୟମନ୍ତ୍ରୀଙ୍କ ବିଫଳତାକୁ ଦର୍ଶାଇ ସିଦ୍ଧୁ କହିଛନ୍ତି, ‘ଉପଯୁକ୍ତ କଣ ସେନେଇ ନଜାଣି ତା ଉପରେ ଜ୍ଞାନ ଆହରଣ ନକରିବା କାପୁରୁଷତାର ଆଭାସ।’ ୨୦୧୫ରେ ଏକ ଧାର୍ମିକ ପାଠକୁ ଅପମାନିତ କରିବା ସହ ପୋଲିସର ଗୁଳିଚାଳନା ମାମଲାରେ ନ୍ୟାୟ ଦେବାରେ ବିଳମ୍ବକୁ ନେଇ କ୍ରିକେଟରରୁ ରାଜନେତା ହୋଇଥିବା ସିଦ୍ଧୁ ସୋସିଆଲ ମିଡିଆରେ କ୍ୟାପ୍ଟେନ ଅମରିନ୍ଦରଙ୍କ ଉପରେ ବାରମ୍ବାର ଆକ୍ରମଣ କରୁଛନ୍ତି। ସେ ଏକ ଟ୍ବିଟ୍‌ରେ ଲେଖିଛନ୍ତି, ‘ପଞ୍ଜାବ ପୋଲିସ ଦ୍ବାରା ପ୍ରତିଦିନ ହଜାର ହଜାର ମାମଲାର ସମାଧାନ ହେଉଛି, କୌଣସି ପ୍ରକାର ମାମଲାରେ ଏସଆଇଟି ଯାଞ୍ଚର ଆବଶ୍ୟକତା ପଡ଼ୁନାହିଁ। ମୁଁ ଅନେକ ଥର କୋଟକପୁରା ଫାୟରିଂ ପଛରେ ବାଦଲର ଭୂମିକାକୁ ନେଇ ବିସ୍ତାର ଭାବେ ବର୍ଣ୍ଣନା କରିଛି।’

ଅନ୍ୟ ଏକ ଟ୍ବିଟ୍‌ରେ ସିଦ୍ଧୁ ଲେଖିଛନ୍ତି, ‘ଉପଯୁକ୍ତ ତଥ୍ୟ ନଜାଣିବା ଏବଂ ତା ଉପରେ ଅମଳ ନାକରିବା କାପୁରୁଷତାର ଆଭାସ।’ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟରେ ୨୦୧୫ କୋଟକପୁରା ଗୁଳିକାଣ୍ଡ ମାମଲାର ଯାଞ୍ଚ ରିପୋର୍ଟ ରଦ୍ଦ କରାଯିବା ପରେ ସିଦ୍ଧୁ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କରୁଛନ୍ତି। ଅମୃତସରର ପୂର୍ବତନ ବିଧାୟକ ସିଦ୍ଧୁ ଏହି ମାମଲାରେ ‘ଜାଣିଶୁଣି ବିଳମ୍ବ’ ହେଉଥିବା ନେଇ ପ୍ରଶ୍ନ ଉଠାଇବା ସହ ୨୦୧୫ ମାମଲାରେ ମୁଖ୍ୟମନ୍ତ୍ରୀ ନିଜ ଦାୟିତ୍ବରୁ ଓହରିଯାଇଥିବା ନେଇ ଅଭିଯୋଗ କରିଥିଲେ। ଏହା ଉପରେ ମୁଖ୍ୟମନ୍ତ୍ରୀ ସିଦ୍ଧୁଙ୍କ କ୍ରୋଧକୁ ଅନୁଶାସନହୀନତା ବୋଲି କହିଥିଲେ। ଏହା ପରେ କାପ୍ଟେନ ଅମରିନ୍ଦରଙ୍କ ଉପରେ ଲଗାତାର ଅଭିଯୋଗ ଆଣୁଥିବା ଅଭିଯୋଗରେ ୭ ମନ୍ତ୍ରୀ ସିଦ୍ଧୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଦାବି କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.