ଅମାନିଆ ସିଦ୍ଧୁ: ୨୪ ଘଣ୍ଟା ନଯାଉଣୁ ସୋନିଆଙ୍କ ଉପଦେଶକୁ କଲେ ଫୁ, ଚିଠି ଲେଖି ବଢାଇଲେ ହାଇକମାଣ୍ଡଙ୍କ ଟେନସନ

Published By : Prameya-News7 Bureau | October 17, 2021 IST

ଚଣ୍ଡିଗଡ ୧୭।୧୦: ନବଜୋତ ସିଂହ ସିଦ୍ଧୁ କଂଗ୍ରେସ ହାଇକମାଣ୍ଡଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛନ୍ତି। ସୋନିଆ ଗାନ୍ଧୀଙ୍କ ଦଳୀୟ ନେତାଙ୍କୁ ଉପଦେଶ ଦେବାର ୨୪ ଘଣ୍ଟା ନପୂରୁଣୁ ଏହାର ଉଲ୍ଲଂଘନ କରିଛନ୍ତି ସିଦ୍ଧୁ। ଦୁଇ ଦିନ ପୂର୍ବେ ସିଦ୍ଧୁ ରାହୁଲ ଗାନ୍ଧୀଙ୍କୁ ଭେଟିଥିଲେ। ଏହା ପରେ ସେ ନିଜର ଇସ୍ତଫା ପତ୍ର ପ୍ରତ୍ୟାହାର କରିଥିଲେ। ହେଲେ ଏବେ ପୁଣି ଥରେ ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖି ନୂତନ ବିବାଦ ସୃଷ୍ଟି କରିଛନ୍ତି। ସେ ଚରଣଜିତ ସିଂହ ଚନ୍ନୀଙ୍କ ମୁଖ୍ୟମନ୍ତ୍ରୀ କରାଯିବା ଉପରେ ପ୍ରଶ୍ନ ଉଠାଇଛନ୍ତି। ଏଥିସହ ପଞ୍ଜାବ ସରକାରଙ୍କୁ ୧୩ଟି ପ୍ରସଙ୍ଗରେ କାମ କରିବା ପାଇଁ ନିର୍ଦ୍ଦେଶ ଦେବାକୁ ସୋନିଆଙ୍କୁ କହିଛନ୍ତି।

ସିଦ୍ଧୁଙ୍କ ଚିଠିରେ ଏହା ସ୍ପଷ୍ଟ ହୋଇଛି ଯେ, ରାହୁଲ ଗାନ୍ଧୀଙ୍କୁ ଭେଟିବା ପରେ ମଧ୍ୟ ତାଙ୍କ ମନ ଏବେ ମଧ୍ୟ ଅସନ୍ତୁଷ୍ଟ ଅଛି। ପଞ୍ଜାବ ସରକାରଙ୍କୁ ୧୩ଟି ପ୍ରସଙ୍ଗରେ କାମ କରିବାକୁ ନିର୍ଦ୍ଦେଶ ଦେବାକୁ ସୋନିଆ ଗାନ୍ଧୀଙ୍କୁ ସେ ଅନୁରୋଧ କରିଛନ୍ତି। ଏହି ସବୁ ପ୍ରସଙ୍ଗରେ ଆଲୋଚନା ପାଇଁ ସୋନିଆଙ୍କୁ ଭେଟିବା ପାଇଁ ସେ ସମୟ ମାଗିଛନ୍ତି। ସିଦ୍ଧୁ ଚିଠିରେ ନିଜକୁ ପଞ୍ଜାବ କଂଗ୍ରେସର ସଭାପତି ଦର୍ଶାଇ କହିଛନ୍ତି, ସରକାର ଉପରେ ନଜର ରଖିବାର ଦାୟିତ୍ଵ ତାଙ୍କ ଉପରେ ରହିଛି।

ମୁଖ୍ୟମନ୍ତ୍ରୀ ପଦ ନପାଇବାର ଅବଶୋଷ ଏବେ ମଧ୍ୟ ସିଦ୍ଧୁଙ୍କ କଥାରୁ ସ୍ପଷ୍ଟ ଜଣାପଡୁଛି। ସିଦ୍ଧୁ ଲେଖିଛନ୍ତି, ପଞ୍ଜାବରେ ଜଣେ ଦଳିତଙ୍କୁ ମୁଖ୍ୟମନ୍ତ୍ରୀ କରାଗଲା ମାତ୍ର ସାରା ରାଜ୍ୟରେ ଦଳିତ ସମାଜକୁ ସମାନ ପ୍ରତିନିଧିତ୍ଵ ମିଳିଲା ନାହିଁ।

ସୂଚନାଯୋଗ୍ୟ, ପଞ୍ଜାବରେ ବିଧାନସଭା ନିର୍ବାଚନକୁ ଆଉ ଛଅ ମାସରୁ କମ ସମୟ ବାକି ରହିଛି। ହେଲେ ଦଳ ଏ ପର୍ଯ୍ୟନ୍ତ ଦଳୀୟ କନ୍ଦଳରୁ ମୁକୁଳି ପାରି ନାହିଁ। ଚନ୍ନୀ ସରକାର ଗଠନ ହେବାର ଏକ ସପ୍ତାହ ଭିତରେ ସିନ୍ଧୁ ପଞ୍ଜାବ କଂଗ୍ରେସ ସଭାପତି ପଦରୁ ଇସ୍ତଫା ସଭିଙ୍କୁ ଚକିତ କରିଥିଲେ। ସିଦ୍ଧୁ ରାଜ୍ୟର  ଡିଜିପି ଏବଂ ଏଜି ପଦରେ ନିଯୁକ୍ତି ନେଇ ଚନ୍ନୀ ସରକାରଙ୍କ ପ୍ରତି ଘୋର ଅସନ୍ତୁଷ୍ଟ ଥିଲେ। ଏହି କାରଣରୁ  ହିଁ ସେ ପଦରୁ ଇସ୍ତଫା ଦେଇଥିଲେ। ସିଦ୍ଧୁଙ୍କୁ ଚଳିତ ବର୍ଷ ଜୁଲାଇରେ ସଭାପତି ପଦ କରାଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.