ସନ୍ଧ୍ୟାରେ ନବୀନ-ଜଗନ ଭେଟଘାଟ, କୋଟିଆ ବିବାଦରେ ପଡିବ ପୂର୍ଣ୍ଣଛେଦ !

Published By : Prameya-News7 Bureau | November 09, 2021 IST

ଭୁବନେଶ୍ୱର, ୦୯|୧୧:  ମଙ୍ଗଳବାର ନବୀନ-ଜଗନ ଭେଟ । ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇ ଏସ୍ ଜଗନ ମୋହନ ରେଡ୍ଡି ଓ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମଧ୍ୟରେ ଲୋକସେବା ଭବନରେ ସଂଧ୍ୟାରେ ଏକ ଉଚ୍ଚସ୍ତରୀୟ ବୈଠକ ହେବ। ଏଥିପାଇଁ ଶ୍ରୀ ରେଡ୍ଡି ଓଡ଼ିଶା ଗସ୍ତରେ ଆସୁଛନ୍ତି। ତାଙ୍କ ସହ ଆନ୍ଧ୍ରର ବହୁ ବରିଷ୍ଠ ଅଧିକାରୀମାନେ ମଧ୍ୟ ଆସୁଛନ୍ତି। ଲୋକସେବା ଭବନ କନଭେନସନ୍ ସେଣ୍ଟରରେ ହେବାକୁ ଥିବା ଏହି ବୈଠକରେ ଓଡ଼ିଶା ସରକାରଙ୍କ ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ରହିବେ। ବୈଠକ ପାଇଁ ଉଭୟ ଆନ୍ଧ୍ରପ୍ରଦେଶ ଓ ଓଡ଼ିଶାରେ ବେଶ୍ ଉତ୍ସୁକତା ପ୍ରକାଶ ପାଇଛି। ତେବେ ବୈଠକରେ ନିର୍ଦ୍ଦିଷ୍ଟ ଭାବେ କେଉଁ ପ୍ରସଙ୍ଗରେ ଆଲୋଚନା ହେବ ତାହା ସ୍ପଷ୍ଟ ହୋଇ ନାହିଁ।

ଏକାଠି ହେବେ ଦୁଇ ମୁଖ୍ୟମନ୍ତ୍ରୀ । ମଙ୍ଗଳବାର ଅପରାହଣକୁ ଅପେକ୍ଷା। ହେବ ନବୀନ - ଜଗନ ସାକ୍ଷାତ । ନବୀନ ନିବାସରେ ଅପରାହ୍ନ ୫ଟାରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମଧ୍ୟରେ ଆଲୋଚନା ହେବ। ଉଭୟ ସେହି ସମୟରେ ଏକାଠି ହେଉଛନ୍ତି ଯେତେବେଳେ ସୀମା ବିବାଦ ଘନେଇ ମୁହାଁମୁହିଁ ସ୍ଥିତିକୁ ଆସିଲାଣି। ବିବାଦ କେବଳ କୋଟିଆରେ ସୀମିତ ନହୋଇ ଗଜପତି ଜିଲ୍ଲାକୁ ବ୍ୟାପିଲାଣି । ଏହାବାଦ୍ ପାଣିକୁ ନେଇ ଦୁଇ ରାଜ୍ୟ ଭିତରେ ଅନେକ ଦିନରୁ ବିବାଦ ଲାଗି ରହିଛି । ପୋଲାଭରମ ପ୍ରକଳ୍ପ ମାମଲାରେ ତ ଦୁଇ ରାଜ୍ୟ ସୁପ୍ରିମ କୋର୍ଟରେ ଟକରା ଟକରି ସ୍ଥିତିରେ ରହିଛନ୍ତି। ଏବେ ପୁଣି ବଂଶଧାରାରେ ନେରେଡି ପ୍ରକଳ୍ପକୁ ନେଇ ଓଡିଶା – ଆନ୍ଧ୍ର ମୁହାଁମୁହିଁ ହୋଇଛନ୍ତି। ଏପରିକି ସୀମା ବର୍ତ୍ତୀ ଅଞ୍ଚଳରେ ଭାଷାକୁ ନେଇ ବି ବିବାଦ ଦେଖା ଯାଇଛି । ଏଭଳି ଅନେକ ଗୁରୁତ୍ବପୂର୍ଣ

ଦୁଇ ରାଜ୍ୟ ମଧ୍ୟରେ ଦେଖାଦେଇଥିବା ଏକାଧିକ ବିବାଦର ସମାଧାନ ପାଇଁ ଆଲୋଚନା କରିବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୂର୍ବରୁ ପ୍ରସ୍ତାବ ଦେଇଥିଲେ। ସୋମବାର ଏକ ପ୍ରେସ ବିବୃତିରେ ଧର୍ମେନ୍ଦ୍ର ଲେଖିଛନ୍ତି ଯେ ଗତ ସେପ୍ଟେମ୍ବର ୨୨ ତାରିଖରେ ସେ ସୀମା ବିବାଦର ସମାଧାନ ପାଇଁ ଏବଂ ଅକ୍ଟୋବର ୧ ତାରିଖରେ ଭାଷା ବିବାଦର ସମାଧାନ ସମାଧାନ ପାଇଁ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ। ସେହିପରି ୨୦୧୮ ଏପ୍ରିଲ ୯ ତାରିଖରେ କୋଟିଆ ଗସ୍ତ କରି ସେଠକାର ଲୋକଙ୍କ ଭାବାବେଗ ବିଷୟରେ ଅବଗତ ହୋଇଥିଲେ। ଏହାପରେ ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ସମାଧାନ ପାଇଁ ପ୍ରସ୍ତାବ ମଧ୍ୟ ଦେଇଥିଲେ। ଦୀର୍ଘଦିନ ପରେ ଦୁଇ ମୁଖ୍ୟମନ୍ତ୍ରୀ ଆଲୋଚନା ଟେବୁଲକୁ ଆସୁଥିବାରୁ ଏଥିରୁ କିଛି ସମାଧାନ ବାହାରିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି। ଏଥିସହିତ ସେ ଟ୍ବିଟ କରିଲେଖିଛନ୍ତି ଯେ ସୀମା , ଭାଷା ଓ ଜଳ ବିବାଦର ଆପୋଷ ସମାଧାନ ର ବାଟ ବାହାରିବ ବୋଲି ସେ ଆଶା କରୁଛନ୍ତି।

ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ ଜଗମୋହନ ରେଡ୍ଡି ଦୁଇ ରାଜ୍ୟ ଭିତରେ ଜଳ ବିବାଦ ସମାଧାନ କଥା ଆଲୋଚନା କରିବାକୁ ଓଡିଶା ଆସୁଛନ୍ତି l ଟ୍ରିବ୍ୟୁନାଲ ନିର୍ଦେଶ ଅନୁସାରେ ଏହି କାର୍ଯ୍ୟକ୍ରମ ସ୍ଥିର ହୋଇଛି । ତେବେ ଏହି ଭେଟଘାଟ ବେଳେ ଦୁଇ ନେତା ସୀମା ବିବାଦ ଉପରେ ଆଲୋଚନା କରିବା ସମ୍ଭାବନା ବି ରହିଛି l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.