ଏଥର ନିର୍ବାଚନ ଟଫ୍, କିନ୍ତୁ ଜିତିବୁ : ନବୀନ

Published By : Prameya-News7 Bureau | April 02, 2019 IST

ଭୁବନେଶ୍ବର ୨|୪ :  ବିଜେପିର ତୁଙ୍ଗ ନେତାଙ୍କ ଘନ ଘନ ଓଡିଶା ଗସ୍ତ ପ୍ରସଙ୍ଗରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରତିକ୍ରିୟା ରଖିଛନ୍ତି । ଭୋଟ୍ ଆସିଲେ ନେତା ଏଭଳି ପ୍ରଚାର କରିବାକୁ ଆସନ୍ତି । ଏହା କିଛି ବଡ କିମ୍ବା ନୂଆ କଥା ନୁହେଁ ବୋଲି  ନବୀନ କହିଛନ୍ତି ।  ଏଥର ନିର୍ବାଚନ ଟଫ୍ ରହିବ । ତେବେ ବିଜେଡି ଭଲ ପ୍ରଦର୍ଶନ କରିବ ବୋଲି ନବୀନ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଅତୀତରେ ମଧ୍ୟ ନବୀନ ଏଥର ଦଳ ଭଲ ପ୍ରଦର୍ଶନ କରିବ ବୋଲି ପୂର୍ବାନୁମାନ କରିଆସିଛନ୍ତି । ଗତକାଲି ପ୍ରାର୍ଥୀ ତାଲିକା ଘୋଷଣା ବେଳେ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତରରେ ନବୀନ କହିଥିଲେ ଯେ, ପ୍ରାର୍ଥୀ ଖୋଜିବା ପାଇଁ ବିଜେପି ନବୀନ ନିବାସ ଆଗରେ ପଇଁତରା ମାରୁଛି । ବିଜେଡି ଛାଡୁଥିବା ପ୍ରାର୍ଥୀଙ୍କୁ ବିଜେପି ପ୍ରାର୍ଥୀ କରିବାରେ ଲାଗିଛି । ତେବେ ଏହାର କୌଣସି ପ୍ରଭାବ ପଡିବ ନାହିଁ ବୋଲି ନବୀନ କହିଥିଲେ । ସେହିଭଳି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କଳାହାଣ୍ଡି ଗସ୍ତ ଓ ବିଏସପି ସୁପ୍ରିମୋ ମୟାବତୀଙ୍କ ଭୁବନେଶ୍ବର ଗସ୍ତର ମଧ୍ୟ କୌଣସି ପ୍ରଭାବ ପଡିବନାହିଁ ବୋଲି ମଧ୍ୟ ନବୀନ କହିଥିଲେ ।

ବର୍ତ୍ତମାନ ସୁଦ୍ଧା ବିଜେଡି ୧୯ଟି ଲୋକସଭା ଓ ୧୨୮ଟି ବିଧାନସଭା ଆସନ ପାଇଁ ଟିକେଟ୍ ଘୋଷଣା କରିସାରିଛି । ଆଣ୍ଟି ଇନକମ୍ବେନ୍ସିକୁ ପ୍ରତିହତ କରିବା ପାଇଁ ଦଳ ପ୍ରାର୍ଥୀ ଚୟନରେ ବିଭିନ୍ନ ପ୍ରକାର ପରୀକ୍ଷା ନିରୀକ୍ଷା ଚଳାଇଛି । ବିଭିନ୍ନ ସ୍ଥାନରେ ପ୍ରାର୍ଥୀ ବଦଳାଇବା ସହ ନୂଆ ମୁହଁ ଉପରେ ଅଧିକ ଭରସା କରୁଥିବା ଦେଖିବାକୁ ମିଳିଛି । ତେବେ ଏହି ଏକ୍ସପେରିମେଣ୍ଟ କେତେ ସଫଳ ହେବ ତାକୁ ନେଇ ରାଜନୈତିକ ସମୀକ୍ଷକମାନେ ସନ୍ଦେହ ପ୍ରକାଶ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.