ଜାତକ ଅନୁସାରେ ମୁଖ୍ୟମନ୍ତ୍ରୀଙ୍କର ଏବେ କେତୁ ମହାଦଶା ଚାଲିଛି : ଜାଣନ୍ତୁ ତାଙ୍କ ଭବିଷ୍ୟତ ଆକଳନ

Published By : Prameya-News7 Bureau | October 19, 2018 IST

ଭୁବନେଶ୍ୱର ୧୯/୧୦ : ଅକ୍ଟୋବର ୧୬ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୨ ବର୍ଷ ପୁରି ୭୩ ବର୍ଷ ଚାଲିଲା | ତାଙ୍କ ଜନ୍ମଦିନ ପରିପ୍ରେକ୍ଷୀରେ ରାଜ୍ୟର ଜ୍ୟୋତିଷମାନେ ଗତକାଲି ତାଙ୍କ ପାଇଁ ବିଭିନ୍ନ ଭବିଷ୍ୟବାଣୀ କରିଛନ୍ତି | ସାଧାରଣ ନିର୍ବାଚନ ଯେହେତୁ ମୁଣ୍ଡ ଉପରେ ରହିଛି ତେଣୁ ଜ୍ୟୋତିଷମାନଙ୍କ ଏହି ଗଣନାକୁ ଗୁରୁତ୍ୱ ଦିଆଯାଇଛି | ସୂଚନାଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଧିଷ୍ଟ ଜାତକ ନାହିଁ | ୪/୫ଟି ଜାତକ ସାମ୍ନାକୁ ଆସୁଛି | କିନ୍ତୁ ଅତ୍ୟଧିକ ଗ୍ରହଣୀୟ ଜାତକ ଅନୁସାରେ ନବୀନଙ୍କର ରାଶି ହେଉଛି ଆଦ୍ର ମିଥୁନ ଏବଂ ଲଗ୍ନ ହେଉଛି କର୍କଟ | କୁଣ୍ଡଳି ଭାଷାରେ ଏକୁ ୬ ବାର ୩ ବୋଲି କୁହାଯାଇଛି | ଉଲ୍ଲେଖଯୋଗ୍ୟ ଯେ, ୧୯୪୬ ମସିହା ଅକ୍ଟୋବର ୧୫ ତାରିଖ ରାତି ଗୋଟାଏ ବେଳେ ନବୀନଙ୍କ ଜନ୍ମ | ପ୍ରକାରାନ୍ତରେ ୧୬ ତାରିଖ | ଜ୍ୟୋତିର୍ବିଦ କ୍ୟାପଟେନ ମାନସ ସ୍ୱାଇଁଙ୍କ କହିବା ଅନୁସାରେ ନବୀନଙ୍କ କର୍କଟ ଲଗ୍ନ ଏବଂ ଲଗ୍ନରେ ଶନି ମହା ଗ୍ରହ ଅବସ୍ଥାନ କରିଛନ୍ତି | ଦ୍ୱିତୀୟ ଘରେ ବା ଭାବରେ କେହିନଥିବାବେଳେ ତୃତୀୟ ଭାବରେ ରହିଛନ୍ତି ରବି | ଚତୁର୍ଥରେ ମଙ୍ଗଳ, ବୁଢା ଏବଂ ବୃହସ୍ପତି ଅବସ୍ଥାନ କରିଛନ୍ତି | ପଞ୍ଚମରେ ଶୁକ୍ର ଓ କେତୁ ରହିଛନ୍ତି | ଷଷ୍ଠ, ସପ୍ତମ, ଅଷ୍ଟମ ଏବଂ ନବମ ଘରେ କୌଣସି ଗ୍ରହ ନାହାନ୍ତି | ଏକାଦଶରେ ରହୁ ଅବସ୍ଥାନ କରିଛନ୍ତି | ଦ୍ୱାଦଶ ଭାବକୁ ବ୍ୟୟ ଭାବ ବୋଲି କୁହାଯାଏ | ଏହି ଭାବରେ ଚନ୍ଦ୍ର ଅବସ୍ଥାନ କରିଛନ୍ତି | ଚଳିତ ବର୍ଷ ଅକ୍ଟୋବର ମାସରୁ ନବୀନଙ୍କ କେତୁ ମହାଦଶା ଆରମ୍ଭ ହୋଇଛି | ବର୍ତ୍ତମାନ କେତୁ ମହାଦଶାରେ କେତୁ ଅନ୍ତର ଭୋଗ କରୁଛନ୍ତି ନବୀନ ପଟ୍ଟନାୟକ | କେତୁ ଅନ୍ତର୍ଦଶା ୪ ମାସ ରହିବେ | ଅର୍ଥାତ ଆସନ୍ତା ଜାନୁଆରୀ ମାସ ପର୍ଯ୍ୟନ୍ତ କେତୁ ମହାଦଶାରେ କେନ୍ତୁ ଅନ୍ତର୍ଦଶା ରହିବ | ଏହାପରେ ୧୪ ମାସ ପାଇଁ କେତୁ ମହାଦଶାରେ ଶୁକ୍ର ଅନ୍ତର୍ଦଶା ଭୋଗ ହେବ | ସମ୍ଭବତଃ କେତୁ ମହାଦଶାରେ ଶୁକ୍ର ଅନ୍ତର୍ଦଶା ସମୟରେ ହିଁ ନବୀନ ସାଧାରଣ ନିର୍ବାଚନର ସମ୍ମୁଖୀନ ହେବେ | ତେଣୁ ରାଜନୈତିକ ଦୃଷ୍ଟିକୋଣରୁ ତାଙ୍କର ଏହି ସମୟରେ କଣ ଭଲ ମନ୍ଦ ହେବ ତାହା କେତୁ ମହାଦଶାରେ ଶୁକ୍ର ଅନ୍ତର୍ଦଶା ଫଳକୁ ବିଚାରକରି ନିର୍ଣ୍ଣୟ କରାଯାଇପାରିବ | ଜ୍ୟୋତିଷ ଶାସ୍ତ୍ରରେ କେତୁ ମହାଦଶାରେ ଶୁକ୍ର ଅନ୍ତର୍ଦଶାକୁ ସ୍ଥିର ସମୟ ବୋଲି କୁହାଯାଏ | ଅର୍ଥାତ ଏହି ସମୟରେ ପ୍ରଚଳିତ ସ୍ଥିତିରେ ବିଶେଷ ପରିବର୍ତ୍ତନ ନଥାଏ | ସେହି ଦୃଷ୍ଟିକୋଣରୁ ରାଜନୈତିକ ପାଣିପାଗ ତାଙ୍କ ପାଇଁ କିଛି ବଡ ପରିବର୍ତ୍ତନ ଆଶଙ୍କା ନାହିଁ | ତାଙ୍କ ନେତୃତ୍ୱରେ ଦଳ ପୂର୍ବ ସ୍ଥିତି ବଜାୟ ରଖିବା ସମ୍ଭାବନା ରହିଛି | ଅନ୍ୟ ଅର୍ଥରେ କହିଲେ ନବୀନଙ୍କ ଵିଜୟ ହେବ ଏବଂ ସେ ପୁଣି ୫ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ ବୋଲି ଆକଳନ କରାଯାଇପାରେ | ତେବେ କ୍ୟାପଟେନ ମାନସ ସ୍ୱାଇଁ ବିଭିନ୍ନ ସୂତ୍ରରୁ ମିଳିଥିବା ତଥ୍ୟ ଆଧାରରେ ଭିନ୍ନ ଏକ ଜାତକ ପ୍ରସ୍ତୁତ କରିଛନ୍ତି | ମାନସ ସ୍ୱାଇଁ କରିଥିବା ଜାତକ ଅନୁସାରେ ନବୀନ ପଟ୍ଟନାୟକ ବର୍ତ୍ତମାନ ଶୁକ୍ର ମହାଦଶାରେ ବୃହସ୍ପତି ଅନ୍ତର୍ଦଶା ଭୋଗ କରୁଛନ୍ତି | ରାଜନୈତିକ ଦୃଷ୍ଟିକୋଣରୁ ନବୀନଙ୍କ ଵିଜୟ ନିଶ୍ଚିତ ବୋଲି ସେ ଆକଳନ କରିଥିବାବେଳେ ସ୍ୱାସ୍ଥ୍ୟଗତ ସମସ୍ୟାରେ ପଡିପାରନ୍ତି ବୋଲି କହିଛନ୍ତି | ମୁଖ୍ୟତଃ ଏହି ସମୟରେ ନବୀନ ହୃଦରୋଗ ଏବଂ ତଳିପେଟରେ ଯନ୍ତ୍ରଣା ଜନିତ ରୋଗରେ ପଡିପାରନ୍ତି | ଏପରିକି ଏଥିପାଇଁ ଅସ୍ତ୍ରୋପଚାରର ଆବଶ୍ୟକତା ପଡିପାରେ ବୋଲି କ୍ୟାପଟେନ ସ୍ୱାଇଁ ଆକଳନ କରିଛନ୍ତି | ସେହିଭଳି ୨୦୧୯ ମସିହା ଫେବୃଆରୀ ମାସରୁ ଜୁନ ମାସ ମଧ୍ୟରେ ନବୀନ ପଟ୍ଟନାୟକ ମାଲିମକଦ୍ଦମାରେ ପଡିପାରନ୍ତି ବା ଆଇନଗତ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି ବୋଲି କ୍ୟାପଟେନ ସ୍ୱାଇଁ ଆକଳନ କରିଛନ୍ତି | ସେ କହିଛନ୍ତି ଯେ, ୨୦୧୯ ମସିହା ମେ, ଜୁନ, ଜୁଲାଇ ଏହି ୩ ମାସ ନବୀନଙ୍କ ପାଇଁ ସ୍ୱାସ୍ଥ୍ୟ ଦୃଷ୍ଟିକୋଣରୁ ଭଲ ସମୟ ନୁହେଁ | ତେବେ ଏହା ପରେ ସେ ପୁଣି ସୁସ୍ଥ ଓ ଫିଟ ରହିବେ | ତେବେ ପୁନର୍ବାର ୨୦୧୯ ନଭେମ୍ବର ମାସରୁ ଅସୁସ୍ଥତା ସୃଷ୍ଟି ହୋଇପାରେ ଏବଂ ଏହା ୨୦୨୦ ଡିସେମ୍ବର ପର୍ଯ୍ୟନ୍ତ ରହିପାରେ | ଏହାପରେ ଅବଶ୍ୟ ନବୀନଙ୍କ ଅନ୍ୟ କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା ଆଶଙ୍କା ନାହିଁ ବୋଲି କ୍ୟାପଟେନ ମାନସ କହିଛନ୍ତି | ରାଜନୈତିକ ଦୃଷ୍ଟିକୋଣରୁ ଚଳିତ ବର୍ଷ ଡିସେମ୍ବରରୁ ଫେବୃଆରୀ ମଧ୍ୟରେ ନବୀନଙ୍କ ଅଧ୍ୟକ୍ଷତାରେ ପରିଚାଳିତ ବିଜୁ ଜନତା ଦଳରୁ କିଛି ବରିଷ୍ଠ ନେତା ଅନ୍ୟ ଦଳକୁ ଲମ୍ଫ ଦେଇପାରନ୍ତି ବା ସେମାନଙ୍କୁ ଦଳରୁ ବହିଷ୍କାର କରାଯାଇପାରେ ବୋଲି ଆକଳନ କରାଯାଇଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.