କ୍ୟାମ୍ପେନ୍ ମୋଡ୍ ରେ ନବୀନ

Published By : Prameya-News7 Bureau | July 26, 2018 IST

ଭୁବଲେଶ୍ବର ୨୬/୨: କ୍ୟାମ୍ପେନ୍ ମୋଡ୍ ରେ ନବୀନ । ୨୦୧୯ ସାଧାରଣ ନିର୍ବାଚନ ଆଗୁଆ ହେବ ନା ଠିକ ସମୟରେ ହେବ ସେନେଇ ରାଜନୈତିକ ଚର୍ଚ୍ଚା ଚାଲିଥିବା ବେଳେ ବିଜେଡି ସୁପ୍ରିମୋଙ୍କ କିଛି କାର୍ଯ୍ୟକ୍ରମ ଆଗୁଆ ନିର୍ବାଚନ ଲାଗି ଜବାଜର ସଂକେତ ଦେଲାଣି । ସୁବର୍ଣପୁର ଓ ବୌଦ୍ଧ ଜିଲ୍ଲାରେ ମହାନଦୀ ଉଭୟ ପାର୍ଶ୍ବରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମକୁ ଉଦଘାଟନ କରିବା, ସୁନ୍ଦରଗଡ ଜିଲ୍ଲାରେ ରୁକୁଡା ଡ୍ୟାମ ଲୋକାର୍ପଣ, ଆଜି ମାଲକାନଗିରି ଜିଲ୍ଲାରେ ଗୁରୁପ୍ରିୟା ସେତୁର ଲୋକାର୍ପଣ, ସଦରମହକୁମାରେ ହସ୍ପିଟାଲ ଉଦ୍ଘାଟନ ସାଂଗକୁ ୪୭ଟି ପ୍ରକଳ୍ପର ଶୁଭାରମ୍ଭ ଓ ଶିଳାନ୍ୟାସ, ବିଛିନ୍ନାଂଚଳପାଇଁ ୧୦୦ କୋଟି ଟଂକାର ପ୍ୟାକେଜ ଘୋଷଣା ଆଦି କାର୍ଯ୍ୟକ୍ରମ ନିରନ୍ତର ଭାବେ କରିବା ଅର୍ଥ ସାଧାରଣ ନିର୍ବାଚନକୁ ଆଖିରେ ରଖି ବିଜେଡି ଯେ ଆଗୁଆ ପ୍ରଚାର ମୈଦାନକୁ ଲମ୍ଫ ଦେଇଛି ତାହା ବାରି ହୋଇପଡୁଛି । କଥା ସେତିକିରେ ଅଟକୁନି । ଏସବୁ ସରକାରୀ କାର୍ଯ୍ୟକ୍ରମରେ ନବୀନ ଗଲେ ବି ଦଳୀୟ ନେତା ଓ କର୍ମି ଲାଗିପଡି ସେହି ସବୁ ସ୍ଥାନରେ ବିଶାଳ ସଭାର ଆୟୋଜନ କରୁଛନ୍ତି । ଯାହାକି ଉଭୟ ଦଳ ଓ ସରକାରକୁ ସୁହାଉଛି । ନବୀନ ବି ମୌକା ଦେଖି ଭାଷଣରେ ରାଜନୈତିକ ଛୁଙ୍କ ଦେବାକୁ ଭୁଲୁ ନାହାଁନ୍ତି । ଏହାକୁ ଦଳୀୟ ମୁଖପାତ୍ରମାନେ ସିଧାସଳଖ ସ୍ବୀକାର କରୁନଥିଲେ ବି ଅସ୍ବୀକାର ମଧ୍ୟ କରୁନାହାଁନ୍ତି । ସାଧାରଣ ନିର୍ବାଚନ ଆଗୁଆ କରିବାକୁ ମୋଦି ସରକାର ସଜବାଜ ହେଉଥିବା କଥା ବହୁଦିନ ହେଲା ଆଲୋଚନା ହେଲାଣି । ରାଜ୍ୟ ସରକାର ଏହାକୁ ନଜରରେ ରଖି ବିଭିନ୍ନ କାର୍ଯ୍ୟକ୍ରମ ବି ସ୍ଥିର କରିଛନ୍ତି । ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ମାଧ୍ୟମରେ ପଞ୍ଚାୟତକୁ ଆର୍ଥିକ ଅନୁଦାନ ଦେବାଠାରୁ ଆରମ୍ଭ କରି ବିଭିନ୍ନ ଜିଲ୍ଲାର ମହିଳା ସ୍ବୟଂ ସହାୟକ ଗୋଷ୍ଠି ଓ କୃଷକମାନଙ୍କୁ ନବୀନ ଭେଟିବା କାର୍ଯ୍ୟକ୍ରମ ଆଗୁଆ ନିର୍ବାଚନପାଇଁ ସଜବାଜର ଲକ୍ଷଣ ବୋଲି ବାରିହୋଇ ପଡୁଛି । ବିରୋଧି ନବୀନଙ୍କ ଏଭଳି କାର୍ଯ୍ୟକ୍ରମ ଉପରେ ଯେ ଦୃଷ୍ଟି ରଖି ନାହାଁନ୍ତି ସେମିତି ନୁହେଁ । ବିରୋଧିଙ୍କ ଅଭିଯୋଗ, ସରକାରୀ ଅର୍ଥରେ ଦଳୀୟ ପ୍ରଚାର କରି ନବୀନ ନିର୍ବାଚନୀ ଫାଇଦା ନେବାକୁ ବ୍ଲୁପ୍ରିଣ୍ଟ କରିଛନ୍ତି । ତାହା ଏଥର ସଫଳ ହେବାକୁ ଦେବେନି ବୋଲି ବିରୋଧି ଦୃଢୋକ୍ତି ପ୍ରକାଶ କରିଛନ୍ତି । କୁହାଯାଏ ଅର୍ଲି ବାର୍ଡ କ୍ୟାଚେସ୍ ଦ ଓ୍ବର୍ମ । ବିଜେଡି ଆଗୁଆ ପ୍ରଚାର ମୈଦାନକୁ ଓହ୍ଲାଇ ନିର୍ବାଚନ ଫାଇଦା କିଭଳି ନନେବ ତାକୁ କାଉଣ୍ଟର କରିବାକୁ ଖୁବ୍ ଶିଘ୍ର ବିଜେପି ଓ କଂଗ୍ରେସ ବଡବଡ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ସଜବାଜ ହେଉଛନ୍ତି । ଆସନ୍ତା ମାସ ଦ୍ବୀତିୟ ସପ୍ତାହରେ ମୋଦିଙ୍କ ଓଡିଶା ଗସ୍ତରୁ ବିଜେପି କ୍ୟାମ୍ପେନ ମୋଡକୁ ଓହ୍ଲାଇବ ବୋଲି ସଂଙ୍କେତ ଦେଇଛି । ସେପଟେ ସପ୍ତାହେ ଭିତରେ କଂଗ୍ରେସ ସଂଗଠନ କର୍ମକର୍ତା ନିଯୁକ୍ତି କାମ ସାରି ପ୍ରଚାର ପାଇଁ ଯୋଜନା ବି କରୁଛି । : ସୁକାନ୍ତ ରାଉତରାୟ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.