ସହରାଞ୍ଚଳ ଶ୍ରମଜୀବିଙ୍କ ପାଇଁ ୧୦୦ କୋଟି ଟଙ୍କାର ପ୍ୟାକେଜ୍, ପ୍ରତି ସପ୍ତାହରେ ଆକାଉଣ୍ଟ୍କୁ ଯିବ ମଜୁରି
18/04/2020 at 8:27 PM

ଭୁବନେଶ୍ବର୧୮/୪: କରୋନା ସ୍ଥିତିର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ ଘୋଷଣା । ସହରାଞ୍ଚଳର ଅର୍ଥନୈତିକ ଦୁର୍ବଳ ଶ୍ରେଣୀର ଲୋକଙ୍କୁ ରୋଜଗାର ଦେବାକୁ ୧୦୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହା ଦ୍ବାରା ରାଜ୍ୟର୧୧୪ଟି ସହରାଞ୍ଚଳର ଶ୍ରମିକ, ଗରିବ ଓ ଦିନ ମଜୁରିଆଙ୍କ ପାଇଁ ଜୀବିକା ସୃଷ୍ଟି କରାଯିବ । ଉପକୃତ ହେବେ ୪ ଲକ୍ଷ ୫୦ ହଜାର ହିତାଧିକାରୀ।

ସହରାଞ୍ଚଳ ଗରିବଙ୍କ ପାଇଁ ୧୦୦ କୋଟି । କରୋନା ଭଳି କଷ୍ଟକର ସମୟରେ ସହରାଞ୍ଚଳ ଗରିବଗୁରୁବାଙ୍କୁ ରୋଜଗାର ଯୋଗାଇ ଦେବାକୁ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ । ସହରାଞ୍ଚଳରେ ଆରମ୍ଭ ହେବ ଅର୍ବାନ ଓ୍ବେଜ ଏମ୍ପ୍ଲୟମେଣ୍ଟ ଇନିସିଏଟିଭ କାର୍ଯ୍ୟକ୍ରମ । ଏଥି ପାଇଁ ୧୦୦ କୋଟିର ପ୍ୟାକେଜ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ଦ୍ବାରା ରାଜ୍ୟର୧୧୪ଟି ସହରାଞ୍ଚଳର ଶ୍ରମିକ, ଗରିବ ଓ ଦିନ ମଜୁରିଆଙ୍କ ହାତକୁ କାମ ମିଳିବ । ମିଶନ ଶକ୍ତି ସଦସ୍ୟଙ୍କ ସହାୟତାରେ ଏହି କାର୍ଯ୍ୟକ୍ରମ ଚାଲିବ। ଏହାଦ୍ବାରା ସାଢେ ୪ ଲକ୍ଷ ହିତାଧିକାରୀ ଉପକୃତ ହେବେ।

ଅର୍ବାନ ଓ୍ବେଜ ଏମ୍ପ୍ଲୟମେଣ୍ଟ ଇନିସିଏଟିଭରେ ବର୍ଜ୍ୟବସ୍ତୁ ସଫେଇ, ଜଳାଶୟ ଖନନ ଓ ନବୀକରଣ, ଖେଳପଡିଆ ଏବଂ ଅନ୍ୟାନ୍ୟ ଖୋଲାସ୍ଥାନ ଗୁଡିକର ଉନ୍ନତୀକରଣ, ଶୌଚାଳୟ ନିର୍ମାଣ ଏବଂ ସହରାଞ୍ଚଳର ସୌନ୍ଦର୍ଯ୍ୟକରଣ ସହ ଅନ୍ୟାନ୍ୟ ଶ୍ରମଭିତ୍ତିକ କାର୍ଯ୍ୟକ୍ରମ ହାତକୁ ନିଆଯିବ । ଏଥିରେ ସ୍ଥାନୀୟ ଶିଳ୍ପୀ ଏବଂ କାରିଗରମାନଙ୍କୁ ବି ରୋଜଗାର ମିଳିବ । ହିତାଧିକାରୀଙ୍କ ମଜୁରି ଟଙ୍କା ପ୍ରତି ସପ୍ତାହରେ ସେମାନଙ୍କ ଆକାଉଣ୍ଟକୁ ଯିବ । ଏପ୍ରିଲ ମାସରୁ ଆରମ୍ଭ ହୋଇ ଏହି କାର୍ଯ୍ୟକ୍ରମ ସେପ୍ଟେମ୍ବର ମାସ ଯାଏଁ ଚାଲିବ। ଲକ୍ ଡାଉନ୍ ଯୋଗୁଁ କାମ ନପାଇ ଘରେ ବସିଥିବା ଶ୍ରମିକଙ୍କ ମୁହଁରେ ଏହା ହସ ଫୁଟାଇଛି । ଏହି ସମସ୍ତ କାମ ସମୟରେ ସାମାଜିକ ଦୂରତ୍ୱ ଏବଂ କରୋନା ମୁକାବିଲା ପାଇଁ ସରକାରଙ୍କ ପକ୍ଷରୁ ଜାରି ସମସ୍ତ ନିର୍ଦେଶାବଳୀ ପାଳନ କରାଯିବ ।