ଓଡିଶା ଆସି ରାହୁଲ ଗାନ୍ଧୀ ଦେଇଥିବା ମନ୍ତବ୍ୟକୁ ବକୱାସ ବୋଲି କହିଲେ ନବୀନ

Published By : Prameya-News7 Bureau | January 28, 2019 IST

ନୂଆଦିଲ୍ଲୀ ୨୮|୧:  ଭୁବନେଶ୍ବର ଆସିଥିବାବେଳେ ରାହୁଲ ଗାନ୍ଧୀ ଓଡିଶାର ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନଙ୍କୁ ଯେଉଁ ଆକ୍ଷେପ କରିଥିଲେ ସେ ସବୁକୁ ବକୱାସ ବୋଲି ନବୀନ ପଟ୍ଟନାୟକ ଦିଲ୍ଲୀଠାରେ ପ୍ରତିକ୍ରିୟା ରଖିଛନ୍ତି । ଗତ ୨୫ ତାରିଖରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓଡିଶା ଆସିଥିଲେ । ତମାଣ୍ଡୋଠାରେ ଏକ ବିରାଟ ସାଧାରଣ ସଭାକୁ ସମ୍ବୋଧିତ କରିଥିଲେ । ଏହି ସଭାରେ ନବୀନ ଓ ମୋଦି ଗୋଟିଏ ମଡେଲ ବୋଲି କହିବା ସହ ନବୀନଙ୍କ ରିମୋଟ ମୋଦୀଙ୍କ ପାଖରେ ରହିଛି ବୋଲି କହିଥିଲେ ।

ଉଦାହରଣ ଦେଇ ରାହୁଲ କହିଥିଲେ ଯେ, ବିମୁଦ୍ରୀକରଣରୁ ଆରମ୍ଭ କରି କେନ୍ଦ୍ର ସରକାର ପ୍ରଣୟନ କରୁଥିବା ବିଭିନ୍ନ ବିଧେୟକ ଲାଗି ସମର୍ଥନ ଆବଶ୍ୟକ ହେଲେ ମୋଦି ସେଠି ବସି ରିମୋଟ ମୋଡିଦିଅନ୍ତି ଆଉ ନବୀନ ପଟ୍ଟନାୟକଙ୍କ ବିଜେଡି ଦଳ ତାଂକୁ ସମର୍ଥନ କରିଥାଏ ।

ରାହୁଲ କହିଥିଲେ ଯେ, ମୋଦିଙ୍କ ରିମୋଟରେ ନବୀନ ଉଠୁ ବସ୍ ହେଉଛନ୍ତି। ଉଭୟ ନବୀନ ଏବଂ ମୋଦି କେବଳ ମୁଷ୍ଟମେୟ ଉଦ୍ୟୋଗପତିଙ୍କ ସ୍ବାର୍ଥ ରକ୍ଷାପାଇଁ ଉଦ୍ୟମ କରୁଛନ୍ତି । ଚାଷୀଙ୍କ ପାଇଁ ଏମାନଙ୍କର କୌଣସି ଦରଦ ନାହିଁ ବୋଲି କହିଥିଲେ । ରାଜ୍ୟର ଚାଷୀଙ୍କ ପାଇଁ ନବୀନ ଜଳସେଚନ କ୍ଷେତ୍ରରେ କଣ କାମ କରିଛନ୍ତି ବୋଲି ପ୍ରଶ୍ନ ଉଠାଇଥିଲେ ରାହୁଲ । କେବଳ ସେତିକି ନୁହେଁ ବ୍ୟୁରୋକ୍ରାଟଙ୍କ ଦ୍ବାରା ଉଭୟ ମୋଦି ଏବଂ ନବୀନ ପରିଚାଳିତ ବୋଲି କହିଥିଲେ । ଆଉ ଆଜି ଦିଲ୍ଲୀରେ ନବୀନ ଏହାର ଜବାବ ଦେଇ କହିଛନ୍ତି ଏହା ବିଲ୍‌କୁଲ ବକୱାସ କଥା।

ବିଭିନ୍ନ କେନ୍ଦ୍ରୀୟ ଯୋଜନାର ସମୀକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ଦିଲ୍ଲୀ ଯାଇଥିଲେ । ଆଜି ସଂଧ୍ୟାରେ ସେ ଓଡିଶା ପ୍ରତ୍ୟାବର୍ତ୍ତନ କରିବେ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.