ବରଗଡ ଜିଲ୍ଲା ବିଜେପୁରରୁ ନିର୍ବାଚନ ଲଢିପାରନ୍ତି ନବୀନ ପଟ୍ଟନାୟକ !
17/03/2019 at 6:00 PM

ଭୁବନେଶ୍ବର ୧୭|୩ : ପଶ୍ଚିମ ଓଡିଶା ବରଗଡ ଜିଲ୍ଲାରୁ ବିଜେପୁରରୁ ଚଳିତ ଥର ନିର୍ବାଚନ ଲଢିପାରିନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚଳିତ ନିର୍ବାଚନରେ ତାଙ୍କର ପାରମ୍ପରିକ ଆସନ ହିଞ୍ଜିଳି ନୁହେଁ ବରଂ ବିଜେପୁରରୁ ନିର୍ବାଚନ ଲଢିପାରନ୍ତି ବୋଲି ଚର୍ଚ୍ଚା ହେଉଛି।
ଆଜି ପଶ୍ଚିମ ଓଡିଶାର ଜନପ୍ରତିନିଧିଙ୍କଠାରୁ ଆରମ୍ଭ କରି ବୁଦ୍ଧିଜୀବୀ, ଲେଖକ, ଚାଷୀ ଓ ସାଧାରଣ ବର୍ଗର ସମସ୍ତେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବା ସହ ପଶ୍ଚିମ ଓଡିଶାରୁ ନିର୍ବାଚନ ଲିବା ପାଇଁ ପ୍ରସ୍ତାବ ଦେଇଥିଲେ। ପଶ୍ଚିମ ଓଡିଶାର ଯେକୌଣସି ବିଧାନସଭା ଆସନରୁ ଲଢିବା ନେଇ ପ୍ରସ୍ତାବ ରଖିଥିଲେ ।
ବିଜେଡିର ବରିଷ୍ଠ ନେତା ତଥା ଦଳୀୟ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ପୂର୍ବରୁ କହିଥିଲେ ଯେ, ବିଗତ ୫ବର୍ଷ ମଧ୍ୟରେ ରାଜ୍ୟ ସରକାର ପଶ୍ଚିମ ଓଡିଶାରେ ଅନେକ ବିକାଶମୂଳକ କାର୍ଯ୍ୟ କରିଛନ୍ତି । ସେଥିପାଇଁ ପଶ୍ଚିମ ଓଡିଶା ସହ ନବୀନଙ୍କର ଏକ ଭାବଗତ ସମ୍ପର୍କ ସୃଷ୍ଟି ହୋଇଛି ।
ଅନ୍ୟପଟେ ନବୀନ ପଟ୍ଟନାୟକ ପଶ୍ଚିମ ଓଡିଶାରୁ ନିର୍ବାଚନ ଲଢିବା ପ୍ରସ୍ତାବ ଉପରେ ବିଚାର କରୁଛନ୍ତି ବୋଲି ସୂଚନା ଦେଇ କହିଥିଲେ । ତେବେ ସେ ପଶ୍ଚିମ ଓଡିଶାର କେଉଁ ବିଧାନସଭା ଆସନରୁ ନିର୍ବାଚନ ଲଢିବେ ତାହା ସ୍ପଷ୍ଟ କରି ନାହାନ୍ତି। ମାତ୍ର ଶୁଣିବାକୁ ମିଳିୁଛି ଯେ, ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବରଗଡ ଜିଲ୍ଲା ବିଜେପୁରରୁ ଚଳିତ ନିର୍ବାଚନ ଲଢିପାରନ୍ତି ବୋଲି ।
ସୂଚନାଯୋଗ୍ୟ ଯେ, ଗଞ୍ଜାମ ଜିଲ୍ଲା ହିଞ୍ଜିଳି ବିଧାନସଭା ନିର୍ବାଚନ କ୍ଷେତ୍ରରୁ ଲଗାତାର ୪ଥର ନିର୍ବାଚନ ଲଢି ବିଜୟ ହୋଇଆସୁଛନ୍ତି ନବୀନ ପଟ୍ଟନାୟକ ।