ଆଜି ମୁଖ୍ୟମନ୍ତ୍ରୀ ନବୀନଙ୍କ ଝାରସୁଗୁଡା ଗସ୍ତ ; କଂଗ୍ରେସ ଛାଡିଥିବା ନବ ଦାସ ଆଜି ବିଜେଡିରେ ଯୋଗଦେବେ

Published By : Prameya-News7 Bureau | January 24, 2019 IST

ଭୁବନେଶ୍ୱର ୨୪/୧ : ଆଜି ପଶ୍ଚିମ ଓଡିଶାର ଦୁଇଟି ଜିଲ୍ଲା ଗସ୍ତରେ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ସକାଳ ୧୦ଟା ୫୦ରେ ଭୁବନେଶ୍ୱର ଛାଡ଼ିବେ | ୧୧ଟା ୫୦ରେ ସେ ଝାରସୁଗୁଡା ବୀର ସୁରେନ୍ଦ୍ରସାଏ ବିମାନବନ୍ଦରରେ ପହଂଚିବେ | ଝାରସୁଗୁଡାରେ ହେବାକୁ ଥିବା କ୍ୟାନସର ହସ୍ପିଟାଲ ସ୍ଥାନ ପରିଦର୍ଶନ କରିବା ସହିତ ଏହାର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ ନବୀନ | ଏହାସହ ୪ଟି ବ୍ଲକ ପାଇଁ ମେଗା ଜଳ ଯୋଗାଣ ପ୍ରକଳ୍ପର ଶିଳାନ୍ୟାସ, ଚଉକିପଦାରେ ରେଳ ଓଭରବ୍ରିଜର ଭିତ୍ତି ପ୍ରସ୍ତର ସ୍ଥାପନ କରିବେ | ଏହାପରେ ନବୀନ ଅମଳିପାଳିରେ ସାଧାରଣ ସଭାରେ ଯୋଗଦେବେ | ମୁଖ୍ୟମନ୍ତ୍ରୀଙ୍କ ଝାରସୁଗୁଡା ଗସ୍ତ ସମୟରେ ନିକଟରେ କଂଗ୍ରେସ ଛାଡିଥିବା ବିଧାୟକ ନବ ଦାସ ଆଜି ବିଜେଡିରେ ଯୋଗଦେବେ |

ଏହା ଉପରେ ରାଜ୍ୟ ରାଜନୀତି ବେଶ କିଛି ଦିନ ହେଲା ନଜର ରଖିଛି | ନବ ଦାସ ଏହି ସାଧାରଣ ସଭାରେ ବିଜେଡି ମଂଚରେ ମୁଖ୍ୟମନ୍ତ୍ରୀଙ୍କ ସହ ଏକାଠି ବସିବେ | ଏହାପରେ ମୁଖ୍ୟମନ୍ତ୍ରୀ ବରଗଡ଼ ଜିଲ୍ଲା ପଦ୍ମପୁର ବ୍ଲକ ସତିଭଟା ଏୟାର ଷ୍ଟ୍ରିପ ଦେଇ ବଲାଙ୍ଗୀର ଯିବେ | ବଲାଙ୍ଗୀର ରାଜେନ୍ଦ୍ର କଲେଜ ନିକଟରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ | ଏଠାରେ ବିଜୁ ଯୁବ ବାହିନୀର କାର୍ଯ୍ୟକ୍ରମରେ ଯୋଗଦେବେ ମୁଖ୍ୟମନ୍ତ୍ରୀ |ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନଜରରେ ରଖି ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.