ଆଗାମୀ ୨୫ ଦିନ ଗୁରୁତ୍ୱପୂର୍ଣ୍ଣ, ଲକଡାଉନ୍ କୋହଳ ହୋଇଛି କିନ୍ତୁ ବିପଦ ଟଳିନାହିଁ: କରୋନା ଭାକସିନ୍ ବାହାରିବା ଯାଏଁ ସତର୍କ ରହିବାକୁ ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ
4/06/2020 at 8:40 PM

ଭୁବନେଶ୍ୱର, ୦୪|୦୬: ଗତ ୨ ମାସରୁ ଅଧିକ ସମୟ ଧରି ଲକଡାଉନ୍ରେ ରହିଛେ । କରୋନା ଲଢେଇ ହେଉଛି ଏକ ଦୀର୍ଘ ଲଢେଇ । ଏହି ମାରାତ୍ମକ ଭାଇରସର ଭାକସିନ୍ ଏବେସୁଦ୍ଧା ବାହାରି ନାହିଁ । ତେଣୁ ଏହାର ଭାକସିନ୍ ନବାହାରିବା ଯାଏଁ ଜନସାଧାରଣଙ୍କୁ ସତର୍କ ରହିବାକୁ ହେବ ବୋଲି ଭିଡିଓ ବାର୍ତ୍ତାରେ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ସେ କହିଛନ୍ତି ଯେ, ଲକଡାଉନ୍ କୋହଳ ହୋଇଥିଲେ ସୁଦ୍ଧା କରୋନା ବିପଦ ଟଳିନାହିଁ । ଆମେ ଗତ ୨ ମାସରୁ ଅଧିକ ସମୟ ଧରି ଲକଡାଉନ୍ରେ ରହିଛେ । ଲକଡାଉନ୍ ସହ ୧୧ଟି ଜିଲ୍ଲାରେ ଦୁଇଦିନିଆ ସଟଡାଉନ୍ ନିୟମ ବି ଜାରି କରାଯାଇଛି । କରୋନାର ମୁକାବିଲା ପାଇଁ ପ୍ରବାସୀଙ୍କ ଲାଗି ସଙ୍ଗରୋଧ ନିୟମ ଓ କେନ୍ଦ୍ର ସହ କୋଭିଡ ଚିକିତ୍ସାଳୟ ପର୍ଯ୍ୟନ୍ତ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି । ମୁଖ୍ୟମନ୍ତ୍ରୀ କହିଛନ୍ତି, କରୋନା ଲଢେଇ ହେଉଛି ଏକ ଦୀର୍ଘ ଲଢେଇ । ଏହି ମାରାତ୍ମକ ଭାଇରସର ଭାକସିନ୍ ବା ପ୍ରତିଷେଧକ ଏବେସୁଦ୍ଧା ବାହାରି ନାହିଁ । ତେଣୁ ଏହାର ଭାକସିନ୍ ନବାହାରିବା ଯାଏଁ ଜନସାଧାରଣଙ୍କୁ ସତର୍କ ରହିବାକୁ ହେବ । ଆଗକୁ ମୌସୁମୀ ଆସୁଛି । ଏହାକୁ ନଜରରେ ରଖି ଜୁନ ମାସ ହେଉଛି ସମସ୍ତଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ।
ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ, ଏବେସୁଦ୍ଧା ୫ ଲକ୍ଷ ଓଡିଆ ଭାଇଭଉଣୀ ଘରକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଏବେ ମୌସୁମୀ ଆସୁଛି । ତେଣୁ ଥଣ୍ଡା, ଜ୍ୱର ଓ କାଶ ଦେଖାଯାଇପାରେ ।ଆଗାମୀ ୨୫ ଦିନ ହେଉଛି ଆମପାଇଁ ଅଧିକ ଗୁରୁତ୍ୱପୂର୍ଣ୍ଣ । କରୋନାକୁ ରୋକିବା ହେଉଛି ଆମପାଇଁ ଏକ ବଡ ଆହ୍ନାନ । ଏହାସହ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଦେଶରେ କରୋନା ସ୍ଥିତି ଦିନକୁ ଦିନ ବଢୁଛି । ମୃତ୍ୟୁହାର କମ୍ ସହ ସୁସ୍ଥ ହେବା ହାର ଅଧିକ ଥିଲେ ବି ସଂକ୍ରମଣ ସଂଖ୍ୟା ବଢୁଛି । ୧୫ ଦିନ ତଳେ ଦିନକୁ ୩ ହଜାର କୋଭିଡ-୧୯ ସଂକ୍ରମିତ ବାହାରୁଥିବା ବେଳେ ଏବେ ଦିନକୁ ୧୦ ହଜାର ସଂକ୍ରମଣ ହେଉଛନ୍ତି । ତେଣୁ ଜୁନ ମାସଟି ସମସ୍ତଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ।
ଭୟଙ୍କର କରୋନା ଭାଇରସ ସମ୍ପର୍କରେ ରାଜ୍ୟବାସୀଙ୍କୁ ସତର୍କ ଓ ସାବାଧାନ ରହିବାକୁ ପରାମର୍ଶ ଦେବା ବେଳେ ପାଞ୍ଚୋଟି ପଏଣ୍ଟ ରଖିଛନ୍ତି ମୁଖ୍ୟମନ୍ତ୍ରୀ । ସେ କହିଛନ୍ତି ଯେ, ସମସ୍ତେ ସାମାଜିକ ଦୂରତା ପାଳନ କରିବା ଉଚିତ । ହାଟ ବଜାରକୁ ଯାଉଥିଲେ ମାସ୍କ ପରିଧାନ କରନ୍ତୁ । ଘରକୁ ଫେରିବା ପରେ ହାତକୁ ଭଳ ଭାବେ ୨୦ ସେକେଣ୍ଡ ସାବୁନରେ ଧୋଇ ସଫା କରନ୍ତୁ । ୬୫ ବର୍ଷରୁ ଅଧିକ, ଗର୍ଭବତୀ ଓ ୧୦ ବର୍ଷର ଶିଶୁ ବାହାରକୁ ବାହାରନ୍ତୁ ନାହିଁ । ସେହିପରି ଜରୁରୀ କାମ ନଥିଲେ ବାହାରକୁ ଯିବା ଅନୁଚିତ ବୋଲି ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।