ନବୀନ ଅନନ୍ୟ, ପରିବର୍ତ୍ତନର ପୁରୋଧା, ନୁଆ ଓଡିଶା ବିକାଶର ବିନ୍ଧାଣୀ, ଜନ୍ମଦିନରେ ଶୁଭେଚ୍ଛାର ସୂଅ

Published By : Prameya-News7 Bureau | October 16, 2020 IST

ଭୁବନେଶ୍ବର, ୧୬/୧୦: ନୂଆ ସ୍ୱପ୍ନ, ନୂଆ ସଂକଳ୍ପ । ଓଡ଼ିଶା ଦେଖିବ ଆଖି ତରାଟିଲା ଭଳି ବିକାଶ । ୫ମ ପାଳିରେ ରାଜ୍ୟର କ୍ଷମତା ଡୋରି ଧରିଥିବା ନବୀନ ଏ ଏଜେଣ୍ଡାକୁ କାର୍ଯ୍ୟକାରୀ କରିବାକୁ ଆତ୍ମବିଶ୍ୱାସର ସହ ଅଣ୍ଟା ଭିଡ଼ିଛନ୍ତି। ସଫଳ ମଧ୍ୟ ହୋଇଛନ୍ତି । ‘୫ ଟି’ରେ ରାଜ୍ୟ ଗତିଶୀଳ ପ୍ରଶାସନିକ ମଡେଲ ପାଇଛି । ‘ମୋ ସରକାର’ରେ ସାଧାରଣ ଲୋକଙ୍କ ନିକଟରେ ପ୍ରଶାସନ ଉତ୍ତରଦାୟୀ ହୋଇଛି । ନବୀନଙ୍କ ସ୍ୱଚ୍ଛ ଖଣ୍ଡାରେ ଦୁର୍ନୀତିଗ୍ରସ୍ତ କର୍ମଚାରୀ ବିଦା ହୋଇଛନ୍ତି। ଏ ପାଳିରେ ନବୀନ ପୂରାକୁ ପୂରା ‘ଆକ୍ସନମୁଡ’ ରେ । ଶ୍ରୀକ୍ଷେତ୍ରକୁ ବିଶ୍ୱ ଐତିହ୍ୟନଗରୀ କରିବା ସହ ଏକାମ୍ରକ୍ଷେତ୍ରକୁ ନୂଆ ରୂପ ଦେବାର ‘ଶ୍ରୀଗଣେଶ’ ଆରମ୍ଭ ହୋଇଛି । ବିକାଶଶୀଳ ଦେଶ ଭଳି ରାଜ୍ୟରେ ଘରେ ମିଳୁଛି ଜୀବାଣୁଶୂନ୍ୟ ପାଇପ୍‌ ପାଣି । ହାତପାଆନ୍ତାରେ ଅନଲାଇନରେ ସରକାରୀ ସେବା ଉପଲବ୍ଧ । କଟକ ବଡ଼ ମେଡିକାଲକୁ ‘ଏମ୍ସ ପ୍ଲସ୍‌’ଭାବେ ଗଢିବାକୁ କାମ ଆଗେଇଛି । ମହାମାରୀ ‘କରୋନା’ ସତ୍ତେ୍ୱ ନବୀନଙ୍କ ଆତ୍ମବିଶ୍ୱାସଭରା ମିଜାଜ୍‌ କିନ୍ତୁ ଫିକା ପଡ଼ିନି । ଚାଲେଞ୍ଜରୁ ସେ ସୁଯୋଗ ସାଉଁଟୁଛନ୍ତି । କରୋନା କାଳରେ ସେ ‘ସଂକଟମୋଚକ’ ଭାବେ ଉଭା ହୋଇଛନ୍ତି । ବିକାଶର ରାସ୍ତାରେ ଯାଇ ସମଗ୍ର ବିଶ୍ୱରେ ନୂଆ ପରିଚୟ ସୃଷ୍ଟି କରିଛି ଓଡ଼ିଶା । ଏ ପରିବର୍ତ୍ତନର ପୁରୋଧା ହେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନଙ୍କୁ କମ୍‌ କରି ଆଙ୍କ ନାହିଁ। ସେ ବାଉନ୍ସ ବ୍ୟାକ୍‌ କରିବେ। କେବଳ ନବୀନଙ୍କ ପାଖଲୋକ ନୁହନ୍ତି,ସମାଲୋଚକମାନେ ମଧ୍ୟ ଏମିତି କହିଥାନ୍ତି। ନିଜ କାର୍ଯ୍ୟ ଓ ସଫଳତାରେ ସ୍ୱୟଂ ନବୀନ ଏହାକୁ ପ୍ରମାଣିତ ମଧ୍ୟ କରିଛନ୍ତି। ଶତାବ୍ଦୀର ସବୁଠୁ ବଡ଼ ସଂକଟ ଆଉ ଜଟିଳ ପରିସ୍ଥିତି ଆଣିଛି କରୋନା । କରୋନା ମହାମାରୀ ସମୟରେ ରାଜ୍ୟ ମୁଖିଆ ଭାବେ ନବୀନ ପଟ୍ଟନାୟକ କିନ୍ତୁ ମୁକାବିଲା କୌଶଳରେ ବେଶ୍‌ ସଫଳ ହୋଇଛନ୍ତି । ତାଙ୍କ ନେତୃତ୍ୱରେ ଓଡ଼ିଶା ଯାହା ଆଜି ଚିନ୍ତା କରୁଛି, ଦେଶ ସପ୍ତାହକ ପରେ । ଓଡ଼ିଶା ଯେଉଁ ବାଟ ଦେଖାଉଛି, ଅନ୍ୟ ରାଜ୍ୟ ସେଇ ରାସ୍ତାରେ ଚାଲୁଛନ୍ତି ।

ନବୀନଙ୍କ ନିଷ୍ଠା ଓ ଆନ୍ତରିକତା ଇତିହାସ ପୃଷ୍ଠାରେ ଯୋଡ଼ିଛି ସ୍ୱର୍ଣ୍ଣିମ ଫର୍ଦ୍ଦ। ରାଜ୍ୟବାସୀଙ୍କ ନିକଟରେ ସେ ସଂକଟମୋଚକ ଭାବେ ଉଭା ହୋଇଛନ୍ତି । ବିପର୍ଯ୍ୟୟ ମୁକାବିଲାରେ ଓଡ଼ିଶା ଆନ୍ତର୍ଜାତିକସ୍ତରରେ ‘ବେଞ୍ଚ୍‌ ମାର୍କ’ ପ୍ରତିଷ୍ଠା କରିଥିଲା ବେଳେ ଏବେ କରୋନା ମୁକାବିଲାରେ ମଧ୍ୟ ଓଡ଼ିଶା ରୋଲ୍‌ ମଡେଲ୍‌। କରୋନା କବଳରେ ସାରା ବିଶ୍ୱ କବଳିତ । ସମସ୍ତେ ଛଟପଟ। ମାତ୍ର ଏ ମହମାରୀର ସଫଳ ମୁକାବିଲା ପାଇଁ ନୂଆ ଓ ଅଭିନବ କୌଶଳ ଆଦରିବାରେ ନବୀନ ସବୁବେଳେ ଆଗରେ। ‘ମୋ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ’- ଏ ମନ୍ତ୍ରକୁ ଧରି କରେନା ବିରୋଧୀ ଲଢ଼େଇକୁ ସରକାର ଜୋରଦାର କରିଛନ୍ତି। ଓଡ଼ିଶା ହେଉଛି ଏକମାତ୍ର ରାଜ୍ୟ, ଯେଉଁଠି କରୋନା ପରୀକ୍ଷାରୁ ଆରମ୍ଭ କରି ଚିକିତ୍ସା ସେବା ସବୁ ମାଗଣାରେ ମିଳୁଛି। ସରକାରଙ୍କର ଏଭଳି ପଦକ୍ଷେପକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ଭୂୟସୀ ପ୍ରଶଂସା କରିଛି। ସମଗ୍ର ବିଶ୍ୱରେ କୋକୁଆ ଭୟ ଆଣିଛି କରୋନା ।କରୋନା ଓଡ଼ିଶା ଛୁଇଁବା ଆଗରୁ ବେଶ ସତର୍କ ହୋଇ ପଡ଼ିଥିଲେ ମୁଖ୍ୟମନ୍ତ୍ରୀ । ତାଙ୍କ ଦୂରଦୃଷ୍ଟିରୁ ମାର୍ଚ୍ଚ ୧୩ ରେ ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ଏହି ମହାମାରୀକୁ ‘ରାଜ୍ୟ ବିପର୍ଯ୍ୟୟ’ ଭାବେ ଘୋଷଣା କରିଥିଲା। ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକି କରୋନାକୁ ବିପର୍ଯ୍ୟୟ ଘୋଷଣା କରି ଏ ବାବଦକୁ ପାଣ୍ଠି ମଧ୍ୟ ବରାଦ କରିଥିଲେ। ମୁଖ୍ୟମନ୍ତ୍ରୀ, ବାଚସ୍ପତି, ମନ୍ତ୍ରୀ ଓ ବିଧାୟକମାନେ ବିଧାନସଭାରେ ହାତ ଧୋଇ ସଚେତନତାର ବାର୍ତ୍ତା ବାଣ୍ଟିଥିଲେ। ଦେଶରେ ଲକ୍‌ଡାଉନ୍‌ ଘୋଷଣା ପୂର୍ବରୁ ମୁଖ୍ୟମନ୍ତ୍ରୀ କରୋନାକୁ କାବୁ କରିବାକୁ ରାଜ୍ୟରେ ଲକ୍‌ଡାଉନ୍‌ ଜାରି କରିଥିଲେ। କେବଳ ସେତିକି ନୁହେଁ, ସବୁ ଜିଲ୍ଲାରେ ସ୍ୱତନ୍ତ୍ର କୋଭିଡ ହସ୍‌ପିଟାଲ ପ୍ରତିଷ୍ଠା, କୋଭିଡ୍‌ କେୟାର ସେଣ୍ଟର ଖୋଲିବାରେ ରାଜ୍ୟ ଅଗ୍ରଣୀ ଭୂମିକା ନେଇଥିଲା । କରୋନାର ଗମ୍ଭୀରତାକୁ ଆକଳନ କରି ମୁଖ୍ୟମନ୍ତ୍ରୀ ନେଇଥିବା ଅଭିନବ ପଦକ୍ଷେପ ଏହି ମହାମାରୀ ମୁକାବିଲାରେ ରାଜ୍ୟକୁ ବେଶ୍‌ ସଫଳତା ଦେଇପାରିଛି ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି। ରାଜ୍ୟରେ ଏପ୍ରିଲ ୨ ବେଳକୁ ମାତ୍ର ୧୦ ଜଣ କରୋନା ରୋଗୀ ଚିହ୍ନଟ ହୋଇଥିଲାବେଳେ କୋଭିଡ୍‌ ହସ୍‌ପିଟାଲରେ ୬୫୦ ବେଡ୍‌ କାର୍ଯ୍ୟକ୍ଷମ ହୋଇସାରିଥିଲା। ସରକାର କେତେ ଦ୍ରୁତ ନିଷ୍ପତ୍ତି ନେଇ ତାହାକୁ କାର୍ଯ୍ୟକାରୀ କରିଥିଲେ, ଏହା ହେଉଛି ତାର ଉଦାହରଣ। ରାଜ୍ୟର ଏହି ଦୂରଦୃଷ୍ଟିସଂପନ୍ନ ପଦକ୍ଷେପରୁ ଓଡ଼ିଶାରେ ଏବେ ସଂକ୍ରମଣ ହାର ଖସୁଛି। ଗୁଣାତ୍ମକ ଚିକିତ୍ସା ସେବା ଯୋଗୁ ରାଜ୍ୟରେ ମୃତ୍ୟୁହାର ୦.୪୧% ରହିଛି, ଯାହାକି ଜାତୀୟହାର (୧.୫୩%) ଠାରୁ କମ୍‌ ଏବଂ ଦେଶରେ ସର୍ବନିମ୍ନ। ରାଜ୍ୟରେ ସୁସ୍ଥତା ହାର ମଧ୍ୟ ସବୁଠୁ ସନ୍ତୋଷଜନକ। କରୋନା ସଂକ୍ରମିତଙ୍କ ମଧ୍ୟରୁ ରାଜ୍ୟରେ ୯୦.୮୫ ପ୍ରତିଶତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସର୍ବଭାରତୀୟସ୍ତରରେ ଏହା ହେଉଛି ୮୭.୦୫%। କରୋନା ପରୀକ୍ଷାରେ ମଧ୍ୟ ରାଜ୍ୟ ରେକର୍ଡ ପ୍ରତିଷ୍ଠା କରିଛି। ରାଜ୍ୟରେ ଏଯାଏ ୩୯, ୨୧, ୧୪୦ ଲୋକଙ୍କର କରୋନା ପରୀକ୍ଷା ହୋଇଛି। ଦୈନିକ ୫୦ ହଜାର କରୋନା ପରୀକ୍ଷା କରାଯାଉଛି। ସାମାଜିକ ଦୂରତା ରକ୍ଷା, ମାସ୍କ ପିନ୍ଧିବା ସହ ବାରମ୍ବାର ହାତ ଧୋଇବା ନେଇ ବ୍ୟାପକ ସଚେତନତା ବେଶ୍‌ ଲାଭ ଦେଇଛି। ରାଜ୍ୟରେ ଏବେ କରୋନା ସଂକ୍ରମଣର ଗ୍ରାଫ୍‌ ତଳମୁହାଁ ଧରିଛି । ବହୁ ମୂଳ୍ୟବାନ ଜୀବନ ମଧ୍ୟ ରକ୍ଷା ହୋଇଛି। କରୋନା ମୁକାବିଲାରେ ରାଜ୍ୟକୁ ମିଳିଥିବା ଏ ସଫଳତା ପଛରେ ମୁଖ୍ୟମନ୍ତ୍ରୀଙ୍କ ଦୃଢ଼ ନେତୃତ୍ୱ, ନିୟମିତ ସ୍ଥିତି ସମୀକ୍ଷା ସହ ସରକାରୀ କଳର ପରିଶ୍ରମକୁ ସମୟ ମନେ ରଖିବ। କରୋନା ପାଇଁ ରାଜ୍ୟ ସରକାର ପୂରା ଯୁଦ୍ଧମୁଦ୍ରାରେ ଥିଲାବେଳେ ମୁଖ୍ୟମନ୍ତ୍ରୀଙ୍କ ଦୃଢ଼ ଇଛାଶକ୍ତି ଆଗଧାଡ଼ିର କୋଭିଡ୍‌ ଯୋଦ୍ଧାମାନଙ୍କୁ ବେଶ୍‌ ଉତ୍ସାହିତ କରିଛି। କରୋନା ଯୋଦ୍ଧାଙ୍କୁ ସମ୍ମାନ ଓ ସୁରକ୍ଷା ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପ ବଳ ଦେଇଛି। ସରକାର ଘୋଷଣା କରିଛନ୍ତି, କରୋନା ସଂକ୍ରମଣ ରୋକିବାକୁ ଲଢ଼େଇର ଆଗଧାଡ଼ିରେ ଥିବା କୌଣସି ଡାକ୍ତର, ନର୍ସ ଓ ସ୍ୱାସ୍ଥ୍ୟକର୍ମୀ ଆଦିଙ୍କ ମଧ୍ୟରୁ ଯଦି କାହାର ମୃତ୍ୟୁ ଘଟେ, ତେବେ ତାଙ୍କ ପରିବାରକୁ ମିଳିବ ୫୦ ଲକ୍ଷ। ପ୍ରାଣ ହରାଇଥିବା ଏହି ଯୋଦ୍ଧାଙ୍କୁ ସରକାର ସହିଦ ଘୋଷଣା କରିବେ । ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ ସଂପନ୍ନ କରାଯିବ। ତାଙ୍କର ଯେତିକି ଦିନ ଚାକିରି କାଳ ବାକି ଥିବ ତାଙ୍କ ପରିବାର ସେତିକି ଦିନ ଯାଏ ଦରମା ପାଇବେ । ଏହାଛଡ଼ା ଆମ ଜାତି ପ୍ରତି ତାଙ୍କ ବଳିଦାନକୁ ସ୍ମରଣ କରିବାକୁ ସରକାର ସେ ଯୋଦ୍ଧାଙ୍କ ସ୍ମୃତିରେ ପୁରସ୍କାର ପ୍ରଚଳନ କରି ଜାତୀୟ ଦିବସରେ ପ୍ରଦାନ କରିବେ ।ନବୀନଙ୍କ ଏ ବଡ଼ ଘୋଷଣା କରୋନା ଯୁଦ୍ଧରେ ରାଜ୍ୟକୁ ଆହୁରି ଆଗକୁ ନେଇଛି ।

ମହାମାରୀ ‘କରୋନା’ ଚକ୍ରବ୍ୟୁହ ଭିତରେ ରାଜ୍ୟ ସରକାର ଲଢ଼େଇ କରୁଥିଲା ବେଳେ ଜୀବନ ଓ ଜୀବିକା ମଧ୍ୟରେ ସନ୍ତୁଳନ ପାଇଁ ବାଟ ମଧ୍ୟ ଖୋଲିଛନ୍ତି । ସହରାଞ୍ଚଳର ଉଠା ଦୋକାନୀଙ୍କୁ ୩ ହଜାର ଟଙ୍କାର ଆର୍ଥିକ ସହାୟତା ସହ କାମଧନ୍ଦା ଯୋଗାଇବାକୁ ପୌରସଂସ୍ଥାଗୁଡ଼ିକୁ ୧୦୦ କୋଟିର ପାଣ୍ଠି ଆବଣ୍ଟନ କରିଛନ୍ତି ସରକାର । ‘ଅର୍ବାନ ୱେଜ୍‌ ଏମ୍ପ୍ଳୟମେଣ୍ଟ ଇନିସିଏଟିଭ୍‌’ ନାମରେ ଏକ ଜରୁରୀକାଳୀନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏଥିରେ ପୌରାଞ୍ଚଳର ସାଢ଼େ ୪ ଲକ୍ଷ ଗରିବ ଓ ଶ୍ରମିକ ପରିବାର ଉପକୃତ ହୋଇଛନ୍ତି । ରାଜ୍ୟର ଗରିବ ଓ ଶ୍ରମିକ ପରିବାରଙ୍କ ପାଇଁ ମୁଖ୍ୟମନ୍ତ୍ରୀ ୨୨୦୦ କୋଟି ଟଙ୍କାର ପ୍ୟାକେଜ୍‌ ଘୋଷଣା କରିଥିଲେ । କେନ୍ଦ୍ର ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ହୋଇଥିବା ୯୪ ଲକ୍ଷ ପରିବାରକୁ ରାଜ୍ୟ ସରକାର ୧ ହଜାର ଟଙ୍କାର ସହାୟତା ପ୍ରଦାନ କରଛନ୍ତି । ୨୨ ଲକ୍ଷ ନିର୍ମାଣ ଶ୍ରମିକ ପରିବାରକୁ ୧୫୦୦ ଟଙ୍କା ଲେଖାଏଁ ସହାୟତା ରାଶି ମଧ୍ୟ ମିଳିଛି । ରାଜ୍ୟ ବାହାରେ ଥିବା ପ୍ରବାସୀଙ୍କୁ ଫେରାଇ ଆଣିବାକୁ ମଧ୍ୟ ନବୀନଙ୍କୁ କମ୍‌ କସରତ କରିବାକୁ ପଡ଼ିନି । ହଟ୍‌ସ୍ପଟ ରାଜ୍ୟରେ ଥିବା ସାଢ଼େ ୯ ଲକ୍ଷ ପ୍ରବାସୀ ଓଡ଼ିଆଙ୍କୁ ନିଜସ୍ୱ ଖର୍ଚ୍ଚରେ ରାଜ୍ୟ ସରକାର ଘରକୁ ଫେରାଇ ଆଣିଥିଲାବେଳେ ସେମାନଙ୍କ ପାଇଁ ପ୍ରତି ପଞ୍ଚାୟତରେ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲା ଯାଇଥିଲା । ସେମାନଙ୍କୁ ସେଠାରେ ୧୪ ଦିନ କ୍ୱାରେଣ୍ଟାଇନରେ ରଖାଯିବା ପରେ ଘରକୁ ଯିବାକୁ ଅନୁମତି ମିଳିଥିଲା। ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଚାଳନା ସହ କରୋନା ସଂକ୍ରମଣ ରୋକିବାକୁ ସରପଞ୍ଚମାନଙ୍କୁ ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳ କ୍ଷମତା ଦେଇଥିଲେ । କରୋନା ଯୁଦ୍ଧରେ ବିଜୟୀ ହେବାକୁ ନବୀନଙ୍କ ଏ ପଦକ୍ଷେପ ଜାତୀୟ ଗଣମାଧ୍ୟମ ପାଇଁ ପାଲଟିଥିଲା ବଡ଼ ଖବର ।

ତୃଣମୂଳସ୍ତରରେ କାମ କରୁଥିବା ଅଙ୍ଗନବାଡ଼ି ଓ ଆଶାକର୍ମୀଙ୍କ ଠାରୁ ଆରମ୍ଭ କରି ଡାକ୍ତର ଓ ପୁଲିସ ସମସ୍ତଙ୍କ ସହଯୋଗରେ ମୁଖ୍ୟମନ୍ତ୍ରୀ କରୋନା ଲଢ଼େଇ ଲଢ଼ିବାକୁ ପଣ କରି ଗୋଟିଏ ପରେ ଗୋଟିଏ ପାହାଚ ଆଗକୁ ମାଡ଼ି ଚାଲିଛନ୍ତି। ଦୁଆର ଦୁଆର ବୁଲି ସର୍ଭେ ହୋଇଛି । ସମବେତ ହୋଇ ରାଜ୍ୟବାସୀ ଗାଇଛନ୍ତି ‘ବନ୍ଦେ ଉତ୍କଳ ଜନନୀ’ । କରୋନା ଯୁଦ୍ଧରେ ବୈଷୟିକ ଜ୍ଞାନ କୌଶଳର ପୂର୍ଣ୍ଣ ବ୍ୟବହାର କରି ଆନ୍ତର୍ଜାତିକସ୍ତରରେ ବେଶ୍‌ ପ୍ରଶଂସା ସାଉଁଟିଛି ରାଜ୍ୟ। ଓଡ଼ିଶା ସରକାରଙ୍କ କୋଭିଡ୍‌ ଡ୍ୟାସ୍‌ବୋର୍ଡକୁ ଦେଶର ସବୁଠୁ ଆଗଧାଡ଼ିର ଡ୍ୟାସବୋର୍ଡ ଭାବେ ବିବେଚନା କରାଯାଉଛି । ସ୍ୱଚ୍ଛ କୋଭିଡ୍‌ ତଥ୍ୟ ଅନ୍‌ଲାଇନ୍‌ରେ ସାର୍ବଜନୀନ କରିବାରେ ଓଡ଼ିଶାକୁ ବିଭିନ୍ନ ମହଲରୁ ମିଳିଛି ପ୍ରଶଂସା। ବୋଝ ଉପରେ ନଳିତା ବିଡ଼ା ପରି କରୋନା କାଳରେ ରାଜ୍ୟ ‘ଅମ୍‌ପନ୍‌’ ବାତ୍ୟାର ଧକ୍କା ମଧ୍ୟ ଖାଇଛି । ମାତ୍ର ନବୀନଙ୍କ ଦମ୍ଭ ଓ ଆତ୍ମବିଶ୍ୱାସ ଦୋହଲିନଥିଲା । ମୁଖ୍ୟମନ୍ତ୍ରୀଙ୍କ କରୋନା ଲଢ଼େଇକୁ ସାଢ଼େ ୪ କୋଟି ଓଡ଼ିଆ ମଧ୍ୟ ଦେଇଛନ୍ତି ଭରପୂର ସମର୍ଥନ। ସମସ୍ତଙ୍କ ସହଯୋଗରେ କରୋନାକୁ ପରାସ୍ତ କରିବା ପାଇଁ ଯୁଦ୍ଧ ଏବେ ନିର୍ଣ୍ଣାୟକ ସ୍ଥିତିରେ । କରୋନା ହାରିବ, ଓଡ଼ିଶା ଜିତିବ । ସମୟର ସ୍ୱର୍ଣ୍ଣିମ ଫର୍ଦ୍ଦରେ ନବୀନଙ୍କ‘ସଂକଟମୋଚକ’ ଭୂମିକା ସବୁଦିନ ପାଇଁ ମନେ ରହିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.