ଦୁଲୁକିଲା ବରଗଡ: ନବୀନ-ଧର୍ମେନ୍ଦ୍ର ମୁହାଁମୁହିଁ, ବିଜେଡି ପ୍ରାର୍ଥୀ ପ୍ରସନ୍ନ ଆଚାର୍ଯ୍ୟ ଓ ବିଜେପି ପ୍ରାର୍ଥୀ ସୁରେଶ ପୂଜାରୀ କୋଳାକୋଳି
25/03/2019 at 5:40 PM

ବରଗଡ୨୫|୩: ରାଜ୍ୟ ନିର୍ବାଚନର ଅସଲ ରଙ୍ଗ ଆଜି ବରଗଡ଼ରେ ଦେଖିବାକୁ ମିଳିଥିଲା । କେଉଁଠି ମୁହାଁମୁହିଁ କେଉଁଠି କୋଳାକୋଳି ଆଉ କେଉଁଠି ମାନ ଅଭିମାନ ଭିତରେ ଚାଲିଥିଲା ଶକ୍ତି ପ୍ରଦର୍ଶନ। ବରଗଡ଼ ମାଟିରେ ନିଜ ଶକ୍ତି ଦେଖାଇବାକୁ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ମିଶନ୍ ବରଗଡ଼ । ରାଜ୍ୟ ରାଜନୀତିର ପ୍ରମୁଖ ରଣକ୍ଷେତ୍ର, ବରଗଡ଼ । ବରଗଡ଼ ଦଖଲ ପାଇଁ ବିଜେଡି-ବିଜେପି ମଧ୍ୟରେ କାଣ୍ଟେ କା ଟକ୍କର । କାଲି ନାମାଙ୍କନ ଦାଖଲର ପୂର୍ବରୁ ଆଜି ମୁହାଁମୁହିଁ ହୋଇଥିଲେ ନବୀନ-ଧର୍ମେନ୍ଦ୍ର । ସାମ୍ନା ସାମ୍ନି ହୋଇନଥିଲେ, ପରସ୍ପର ଆଡକୁ ଅନେକ କିଛି ଇଙ୍ଗିତ କରିଥିଲେ । ସତୀଭଟ୍ଟା ସ୍କୁଲ ପଡିଆରେ ନବୀନ, ମୋଦି ପଡିଆରେ ଧର୍ମେନ୍ଦ୍ର ଶକ୍ତି ପ୍ରଦର୍ଶନ କରିଥିଲେ । ନିଜ ଦଳବଳ ଧରି ନବୀନ ବିଜେପୁର ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ଆଉ ସେପଟେ ବରଗଡ଼ର ୪ ପ୍ରାର୍ଥୀଙ୍କୁ ସାଙ୍ଗରେ ଧରି ପହଞ୍ଚିଥିଲେ ଧର୍ମେନ୍ଦ୍ର। ଦୁଲୁକୁଥିଲା ବରଗଡ଼। ଧର୍ମେନ୍ଦ୍ର କହିଥିଲେ କି ବରଗଡ଼ ଜିଲ୍ଲାର ସମସ୍ତ ୫ ଟି ବିଧାନସଭା ଓ ଲୋକସଭା ଆସନ ବିଜେପି ଦଖଲ କରିବ । ଚ୍ୟାଲେଂଜକୁ ସ୍ବୀକାର କରିଛି ବିଜେଡି। କହିଛି ନବୀନଙ୍କ ଭାବମୂର୍ତ୍ତି ଓ ବିକାଶକୁ ନେଇ ସେମାନେ ନିଶ୍ଚୟ ଜିତିବେ।

ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ୨ ଟା ୩୪ରେ ନବୀନ ନାମାଙ୍କନ ପତ୍ର ଦାଖଲ କରିଥିଲେ । ସାଙ୍ଗରେ ଥିଲେ ବରିଷ୍ଠ ନେତା ତଥା ପ୍ରସନ୍ନ ଆଚାର୍ଯ୍ୟ, ସ୍ନେହାଙ୍ଗିନୀ ଛୁରିଆ, ସୁଶାନ୍ତ ସିଂହ ଓ ବିଜେପୁର ବିଧାୟିକା ରୀତା ସାହୁ ।

ବରଗଡ଼ ବିଧାନସଭା ଆସନରୁ ବିଜେପି ପ୍ରାର୍ଥୀ ଅଶ୍ବୀନ ଷଡଙ୍ଗୀ, ଅତାବିରାରୁ ମିଲନ ସେଠ୍ , ଭଟଲିରୁ ଇରାଶିଷ ଆଚାର୍ଯ୍ୟ ନାମାଙ୍କନ ଦାଖଲ କରିଥିଲେ । ଯେଉଁଥିରେ ସାମିଲ ହୋଇଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେହିପରି ବରଗଡ଼ ଲୋକସଭା ଆସନ ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିଜେଡି ପ୍ରାଥୀ ପ୍ରସନ୍ନ ଆଚାର୍ଯ୍ୟ ଓ ବିଜେପି ପ୍ରାର୍ଥୀ ସୁରେଶ ପୂଜାରୀ । ଥାଟ ପଟୁଆର ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଭେଟଘାଟ ହୋଇଯାଇଥିଲା। ପରସ୍ପର ବିରୋଧରେ ଲଢୁଛନ୍ତି ସିନା କିନ୍ତୁ ଜିଲ୍ଲାପାଳ କାର୍ଯ୍ୟାଳୟରେ କୋଳାକୋଳି ହୋଇଥିଲେ।

ଏପ୍ରିଲ ୧୮ ତାରିଖରେ ବରଗଡ଼ ଜିଲ୍ଲାରେ ଭୋଟ । କାଲି ଶେଷ ହେବ ନାମାଙ୍କନ ଦାଖଲ । ଏହାପରେ ଚାଲିବ ଅସଲ ଲଢେଇ । ଫଳଫଳ ହିଁ କହିବ କିଏ ମୁକଦର କା ସିକନ୍ଦର ।