୯ ଲୋକସଭାରେ ୬୩ ବିଧାନସଭା ଆସନ : ନବୀନ ଘୋଷଣା କଲେ ୫୪, ବାକି ୯ ନାଁକୁ କାହିଁକି ଝୁଲେଇ ଦେଲେ ନବୀନ ଜାଣନ୍ତୁ

Published By : Prameya-News7 Bureau | March 18, 2019 IST

ଭୁବନେଶ୍ୱର ୧୮/୩ (କିଶନ ବାରାଇ) : ୯ ଲୋକସଭାରେ ୬୩ ବିଧାନସଭା । ହେଲେ ପ୍ରଥମ ଦଫାରେ ଘୋଷଣା ହେଲା ୫୪ ଆସନରେ ବିଜେଡିର ପ୍ରାର୍ଥୀ । ବାକି ୯ ନାଁକୁ ଝୁଲେଇ ଦେଲେ ନବୀନ । ଯେଉଁ ବିଧାନସଭା ଆସନ ଲାଗି ଆଜି ନବୀନ ପ୍ରାର୍ଥୀ ନାଁ ଘୋଷଣା କରି ନାହାନ୍ତି, ସେଗୁଡ଼ିକ ହେଲା- ଲାଞ୍ଜିଗଡ଼, ଝରିଗାଁ, ମାଲକାନଗିରି, ପଟ୍ଟାଙ୍ଗୀ, ବ୍ରଜରାଜନଗର, ବୀରମିତ୍ରପୁର, ଲୋଇସିଂହା, ବଲାଙ୍ଗିର ଓ ଫୁଲବାଣୀ । ତେବେ ନବୀନ କାହିଁକି ଏହି ଆସନର ପ୍ରାର୍ଥୀ ଘୋଷଣାକୁ ବିଳମ୍ବ କଲେ ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । କୁହାଯାଉଛି, ଝାରସୁଗୁଡ଼ାରୁ ନବ ଦାସଙ୍କୁ ଟିକଟ ମିଳିବା ପରେ କିଶୋର ମହାନ୍ତିଙ୍କ ଆଖି ବ୍ରଜରାଜନଗର ଉପରେ ।

ଗତଥର ଏଠାରୁ ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡାଙ୍କଠାରୁ ପରାଜିତ ହୋଇଥିଲେ କଂଗ୍ରେସ ଛାଡ଼ି ବିଜେଡିକୁ ଆସିଥିବା ଅନୁପ ସାଏ । ତେବେ ଏଥର ଏଠାରୁ ପୁଣି ଅନୁପଙ୍କୁ ଟିକଟ ଦିଆଯିବ ନା କିଶୋରଙ୍କୁ ସନ୍ତୁଷ୍ଟ କରାଯିବ ସେ ଅଙ୍କ ଏ ଯାଏଁ ଛିଡ଼ିପାରୁନି । ସେହିଭଲି ରାଜପରିବାର ଆସନ ବଲାଙ୍ଗିରରେ ସମୀକରଣ କିଛି ଠିକ୍ ନାହିଁ । ବିଭିନ୍ନ ସର୍ଭେରେ ରାଜ ପରିବାରର ପ୍ରାର୍ଥୀଙ୍କ ବିପକ୍ଷରେ କୁଆଡ଼େ କର୍ମୀ ମତ ଦେଉଥିବା ଚର୍ଚ୍ଚା ହେଉଛି । ଖାସ୍ ସେଥିଲାଗି ଏଠାରୁ ଗତଥର ନରସିଂହ ମିଶ୍ର ବାଜି ମାରିଥିଲେ । ତେଣୁ ଏଥର ଏଠାରୁ ଅନଙ୍ଗ ଉଦୟ ସିଂହଦେଓଙ୍କ ସାନ ପୁଅ ଅର୍କେଶଙ୍କୁ ସୁଯୋଗ ମିଳିବ ନା ମହିଳାଙ୍କୁ ପ୍ରାଧାନ୍ୟ ଦେବାକୁ ଶ୍ରୀମୟୀ ମିଶ୍ରଙ୍କ ଉପରେ ଦଳ ଭରସା କରିବ ସେ ନିଷ୍ପତ୍ତି ହୋଇପାରୁନି ।

ସେହିଭଲି ଲାଞ୍ଜିଗଡ଼ର ଭେଟେରାନ୍ ଲିଡର ବଳଭଦ୍ର ମାଝୀଙ୍କୁ ନେଇ ବି ଦଳ ଚୁଡ଼ାନ୍ତ ନିଷ୍ପତ୍ତି ନେଇପାରୁନି । ସେପଟେ ଲୋଇସିଂହାରୁ ଯୋଗେନ୍ଦ୍ର ବେହେରା ନ ଲଢିବା ସ୍ପଷ୍ଟ ହୋଇଛି । ତେବେ ତାଙ୍କ ପୁଅକୁ ଦଳ ଟିକଟ ଦେବ କି ନୂଆ ମୁହଁ ଆଣିବ ଫାଇନାଲ ହୋଇନି । ଫୁଲବାଣୀରେ ବର୍ତ୍ତମାନର ବିଧାୟକ ଡୁଗୁନି କହଁର ଅଛନ୍ତି । ହେଲେ ଏଥର ଟିକଟ ଦୌଡ଼ରେ ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁର ନିଜର ଦାବିଦାରୀକୁ ଜୋରଦାର କରିଛନ୍ତି ।

ସେପଟେ ବିଜେପିର ବି ଏଠାରେ ଶକ୍ତି ବେଶ୍ ବଢିଛି । ବୋଧହୁଏ ସେଥିଲାଗି ନବୀନ ପ୍ରାର୍ଥୀ ଚୁଡ଼ାନ୍ତ କରିବାକୁ ଅଧିକ ସମୟ ନେବାକୁ ଉଚିତ୍ ମନେ କରିଛନ୍ତି । ସେହିଭଳି ବାମ ଦଳର ଗଡ଼ ବୀରମିତ୍ରପୁରରେ ବିଜୟୀ ହୋଇ ଏହାକୁ ଏକରକମ ନିଜ ଗଡ଼ କରିଛନ୍ତି ଜର୍ଜ ତିର୍କୀ । ଜର୍ଜ୍ କଂଗ୍ରେସରୁ ସୁନ୍ଦରଗଡ଼ ଲୋକସଭା ଲାଗି ଆଶାୟୀ ଥିଲେ ବି ଏ ଯାଏଁ ସେଠାରୁ ବିଜୟୀ ହେବା ଭଳି ପ୍ରାର୍ଥୀ ଫାଇନାଲ୍ କରିପାରୁନି ବିଜେଡି । ମାଲକାନଗିରି ବିଧାୟକ ମାନସ ମାଡକାମୀ ଓ ପୂର୍ବତନ ବିଧାୟକ ମୁକୁନ୍ଦ ଶୌଡିଙ୍କ ମଧ୍ୟରେ ଟିକଟ ଛକାପଞ୍ଝା ତେଜ୍ ହୋଇଛି । ଦଳ ଏକପ୍ରକାର ସେଠାରେ ୨ ଗୋଷ୍ଠୀରେ ବିଭକ୍ତ ହୋଇଛି । ଜିଲ୍ଲୀ ବିଜେଡି ମାନସଙ୍କ ଲବି କରୁଥିବା ବେଳେ ପୂର୍ବତନ ମନ୍ତ୍ରୀ ଅରବିନ୍ଦ ଢାଲି ମୁକୁନ୍ଦଙ୍କ ଲାଗି ଗୋଟି ଚଳାଉଛନ୍ତି । ତେଣୁ ଏଠାରୁ କିଏ ପ୍ରାର୍ଥୀ ହେବ ସେ ନିଷ୍ପତ୍ତି ଏବେ ସୁଦ୍ଧା ହୋଇପାରୁନି । ପଟ୍ଟାଙ୍ଗୀର ମଧ୍ୟ ଟିକଟ ଟଣାଓଟରା ଦଳକୁ ଅଡ଼ୁଆରେ ପକାଇଛି ।


ମୋଟାମୋଟି କହିବାକୁ ଗଲେ ଯେଉଁଠି ବିରୋଧୀ ଅପେକ୍ଷାକୃତ ଶକ୍ତିଶାଳୀ, କିମ୍ବା ନିଜ ଦଳରେ ଆଶାଠାରୁ ବେଶୀ ଆଶାୟୀ ସେହି ବିଧାନସଭା ଲାଗି କାର୍ଡ ଖୋଲିବାକୁ ଏବେ ଚାହିଁ ନାହାନ୍ତି ନବୀନ । ନୂଆଙ୍କୁ ଆଣିଲେ ପୁରୁଣା କେମିତି ବିଦ୍ରୋହୀ ନ ସାଜିବେ ସେ ଲାଗି ବୋଧହୁଏ ଦଳ ଏହି ୯ ଆସନର ନାଁକୁ ବିଳମ୍ବିତ କରିଛି । ଯାହାକୁ ଆମେ ନବୀନ ଷ୍ଟ୍ରାଟେଜୀ ବୋଲି କହିପାରିବା । ତେବେ କେବେ ସୁଦ୍ଧା ଏହି ୯ ଆସନରେ ଦଳ ପ୍ରାର୍ଥୀ ଫାଇନାଲ କରିପାରୁଛି ତାହା ଉପରେ ନଜର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.