Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ବୋଲି ପ୍ରଶ୍ନ କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ, ଉତ୍ତର ରଖିଲା ବିଜେପି

13/04/2019 at 5:12 PM

ବ୍ରହ୍ମପୁର|ଦଶପଲ୍ଲା ୧୩|୪: ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ଏବଂ ତାଙ୍କ ନିର୍ବାଚନମଣ୍ଡଳୀ କେଉଁଠି ବୋଲି ଆଜି ନବୀନ ପ୍ରଶ୍ନ କରିଛନ୍ତି । ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବାକୁ ବିଜେପି କାହିଁକି ଡରୁଛି ବୋଲି ମଧ୍ୟ ନବୀନ କହିଛନ୍ତି । ନବୀନ କହିଛନ୍ତି ଯେ, ନିର୍ବାଚନ ସରିଗଲେ ଦିଲ୍ଲୀ ଇଞ୍ଜିନର ଆଉ ଦେଖା ମିଳିବ ନାହିଁ । ଅପରପକ୍ଷରେ ବିଜେପି ଏହାର ଉତ୍ତର ରଖିଛି । ବିଜପି କହିଛି ଯେ, ବିଜେପିର କିଏ ନେତା ତାହା ସମସ୍ତଙ୍କୁ ଭଲଭାବେ ଜଣା ଅଛି । ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ବିଜେପି ନିର୍ବାଚନ ଲଢୁଛି । ତେବେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କୁ ନବୀନଙ୍କ ଏତେ ଭୟ କାହିଁକି ବୋଲି ବିଜେପି ପାଲଟା ପ୍ରଶ୍ନ କରିଛି ।

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଞ୍ଜାମ ଓ ନୟାଗଡ ଜିଲ୍ଲାର ବିଭିନ୍ନ ନିର୍ବାଚନମଣ୍ଡଳିରେ ପ୍ରଚର ସଭା କରିଛନ୍ତି ।ଗତକାଲି ଗଞ୍ଜାମ ଜିଲ୍ଲାର ବିଭିନ୍ନ ନିର୍ବାଚନମଣ୍ଡଳୀ ଗସ୍ତ କରି ପ୍ରଚାର କରିଥିବା ବେଳେ  ଆଜି ପୁଣି ଥରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଗଞ୍ଜାମ ଜିଲ୍ଲା ଗସ୍ତ କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି । ୪ ଘଣ୍ଟିଆ ପ୍ରଚାର ଗସ୍ତରେ ପ୍ରଥମେ ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ଧରାକୋଟ ଠାରେ ନିର୍ବାଚନୀ ସଭାରେ ଯୋଗଦେଇ ଉପସ୍ଥିତ ସାଧାରଣ ଜନତାଙ୍କୁ ଉଦବୋଧନ ଦେଇଥିଲେ ।

କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଥିଲେ ନବୀନ। ବିଜେଡି ସରକାର ସବୁବେଳେ ସାଧାରଣ ଲୋକଙ୍କ ପାଇଁ କାମ କରୁଛି । ଆଗାମୀ ଦିନରେ ମଧ୍ୟ ଲୋକଙ୍କ ସହ ରହିବ । ବଞ୍ଚିଥିବା ପର୍ଯ୍ୟନ୍ତ ଓଡିଶାବାସୀଙ୍କ ସେବା କରିବି ବୋଲି ନବୀନ କହିଥିଲେ । ବିଜେଡି ସରକାର ଗଠନ ହେବାର ପ୍ରଥମ ଦିନରେ ହିଁ  ସମସ୍ତ ଚାଷୀଙ୍କୁ କାଳିଆ ଟଙ୍କା ପ୍ରଦାନ କରାଯିବ ବୋଲି ନବୀନ ନିର୍ବାଚନୀ ସଭାରେ କହିଛନ୍ତି । ଧରାକୋଟ ପରେ ସୋରଡା, ଆସିକା,  ପୋଲସରା ନିର୍ବାଚନ ମଣ୍ଡଳୀର ବିଭିନ୍ନ ଅଞ୍ଚଳ ଗସ୍ତ କରି ବିଜୁ ଜନତା ଦଳ ସପକ୍ଷରେ ଭୋଟ୍ ଦେବାକୁ ସାଧାରଣ ଲୋକଙ୍କୁ ନିବେଦନ କରିଥିଲେ ।

ସେହିଭଳି ନୟାଗଡ ଜିଲ୍ଲାର ଦଶପଲ୍ଲାରେ ଆୟୋଜିତ ନିର୍ବାଚନୀ ସଭାରେ ଯୋଗଦେଇ ବିଜେପିକୁ କଡ଼ା ଟାର୍ଗେଟ୍ କରିଛନ୍ତି ନବୀନ । ସେ କହିଛନ୍ତି ଯେ, କାଳିଆ ଯୋଜନାକୁ ବନ୍ଦ କରିବା ପାଇଁ ଷ଼ଯନ୍ତ୍ର ହେଉଛି । କିନ୍ତୁ ସେ ଥିବା ଯାଏଁ କାଳିଆ ଯୋଜନାକୁ କେହି ବନ୍ଦ କରିପାରିବେ ନାହିଁ । ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ଓ ତାଙ୍କ ନିର୍ବାଚନମଣ୍ଡଳି କୋଉଠି ବୋଲି ପ୍ରଶ୍ନ କରିବା ସହ ସେକହିଛନ୍ତି ଯେ, ଆପଣଙ୍କ ମୁଖ୍ୟମନ୍ତ୍ରୀ ସର୍ବଦା ଆପଣଙ୍କ ସହ ରହିଛନ୍ତି ।

   Related Posts