ଆଜିଠୁ ଆରମ୍ଭ ହୋଇଛି ଶାରଦୀୟ ନବରାତ୍ରୀ

Published By : Prameya-News7 Bureau | September 29, 2019 IST

ଭୁବନେଶ୍ବର ୨୯/୯: ଶାରଦୀୟ ନବରାତ୍ରୀ ରବିବାର ଠାରୁ ଆରମ୍ଭ ହୋଇଯାଇଛି । ନବରାତ୍ରୀ ଅବସରରେ ଆଜି ଶ୍ରଦ୍ଧାଳୁମାନେ ଦେବୀଙ୍କୁ ମନ୍ଦିର ଓ ପୀଠରେ ପୂଜାର୍ଚ୍ଚନା କରିଛନ୍ତି । ଆଧ୍ୟାତ୍ମିକ ବିଶ୍ୱାସ ଅନୁସାରେ ନବରାତ୍ରୀର ପ୍ରଥମ ଦିନରେ ମା’ଙ୍କୁ ପୂଜାର୍ଚ୍ଚନା କଲେ ବହୁ ଆଶୀର୍ବାଦ ମିଳିଥାଏ । ଏହି କ୍ରମରେ ଆଜି ସାରା ଭାରତ ବର୍ଷରେ ଥିବା ପ୍ରସିଦ୍ଧ ଦେବୀ ପୀଠରେ ନବରାତ୍ରୀ ଆରମ୍ଭ ହୋଇଛି । ମା’ ଦୁର୍ଗା ନବରାତ୍ରୀ କାଳରେ ଭକ୍ତଙ୍କୁ ବିଭିନ୍ନ ବେଶରେ ଦର୍ଶନ ଦେବେ ।

ନବରାତ୍ରୀ ହେଉଛି ଦଶହରା ମହୋତ୍ସବର ଆଦ୍ୟ ପର୍ବ । ଆଶ୍ୱିନ ଶୁକ୍ଲପକ୍ଷର ପ୍ରତିପଦ ତିଥିରୁ ଏହା ଆରମ୍ଭ ହୋଇ ଦଶହରାରେ ଶେଷ ହୋଇଥାଏ । ଦେଶର ପ୍ରମୁଖ ମନ୍ଦିରରେ ଏଥିପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଏହି ୯ ଦିନ ମଧ୍ୟରେ ଓଡ଼ିଶା ଐତିହାସିକ ସହର କଟକସ୍ଥିତ କଟକ ଚଣ୍ଡୀ ମନ୍ଦିରରେ ପ୍ରବଳ ଭିଡ ରହିଥାଏ । ସେହିଭଳି ଆସାମର କାମାକ୍ଷାଦେବୀ ମନ୍ଦିର, ପଶ୍ଚିମବଙ୍ଗର କାଳିମନ୍ଦିର, ଛତିଶଗଡ଼ର ଦନ୍ତେଶ୍ୱରୀ ମନ୍ଦିରରେ ଶ୍ରଦ୍ଧାଳୁଙ୍କର ପ୍ରଭଳ ଭିଡ ଲାଗିଥାଏ ।

ନବରାତ୍ରୀ ଆରମ୍ଭ ହେବା ପରେ ଦୁର୍ଗାପୂଜା ଆୟୋଜନ କରୁଥିବା ବିଭିନ୍ନ କମିଟି ଓ ଯୁବକ ସଂଘମାନଙ୍କର ମଧ୍ୟ ଦାୟିତ୍ୱ ବଢ଼ିଯାଇଥାଏ । ସେମାନେ ପୂଜାକୁ ସଜ୍ଜିକରଣକୁ ଅନ୍ତିମ ରୂପ ଦେବା ପାଇଁ ବ୍ୟସ୍ତ ହୋଇପଡିଥାନ୍ତି । ନବରାତ୍ରୀର ଅନ୍ୟତମ ଆକର୍ଷଣ ହେଉଛି ଗରବା ଓ ଦାଣ୍ଡିଆ । ଦେଶର ପ୍ରମୁଖ ସହରଗୁଡ଼ିକରେ ଗରବା ଓ ଦାଣ୍ଡିଆର ଆୟୋଜନ ହେଉଛି । ଦାଣ୍ଡିଆ-ଗରବା ନୃତ୍ୟ ରାତି ୭ଟାରୁ ବିଳମ୍ବିତ ରାତ୍ରୀ ଯାଏଁ ଆୟୋଜନ ହୋଇଥାଏ । ଗୁଜୁରାଟର ବିଭିନ୍ନ ସହର, ମୁମ୍ବାଇ, ରାଜସ୍ଥାନରେ ଗରବା-ଦାଣ୍ଡିଆର ଅଧିକ ଚାହିଦା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.