ସୋଭିଏତ୍ ଶୈଳୀରେ ହୋଇଛି ନଭଲନୀଙ୍କ ହତ୍ୟା ଉଦ୍ୟମ, ଦିଆଯାଇଛି ‘ନୋଭିଚୋକ୍’: ଜର୍ମାନୀ
2/09/2020 at 8:30 PM

ବର୍ଲିନ୍ : ଗୁରୁତର ବିଷକ୍ରିୟା ଯୋଗୁ କୋମାରେ ଥିବା ଋଷୀୟ ନେତା ଏଲେକ୍ସି ନଭଲନୀଙ୍କୁ ସୋଭିଏତ ଶୈଳୀରେ ହତ୍ୟା ଉଦ୍ୟମ କରାଯାଇଥିଲା। ତାଙ୍କୁ ମାରିବା ଲାଗି ନର୍ଭ ଏଜେଣ୍ଟ ‘ନୋଭିଚୋକ’ ଦିଆଯାଇଥିବା ଜର୍ମାନ ସରକାରୀ ମୁଖପାତ୍ର ବୁଧବାର କହିଛନ୍ତି। ଜର୍ମାନ ମିଲେଟ୍ରି ଲାବୋରେଟରୀରେ ନଭଲନୀଙ୍କ ରକ୍ତ ନମୁନା ପରୀକ୍ଷଣରୁ ଏହା ସ୍ପଷ୍ଟ ହୋଇଯାଇଥିବା ମୁଖପାତ୍ର କହିଛନ୍ତି।

ପ୍ରାୟ ୨ ବର୍ଷ ପୂର୍ବେ ବ୍ରିଟେନରେ ରହୁଥିବା ଋଷିଆ ବିରୋଧୀଙ୍କ ପରିବାରକୁ ସମାନ ଶୈଳୀରେ ହତ୍ୟା ଉଦ୍ୟମ କରାଯାଇଥିଲା ବୋଲି ମୁଖପାତ୍ର ଷ୍ଟେଫେନ ସେବର୍ଟ ତାଙ୍କ ଇ-ମେଲରେ ଉଲ୍ଲେଖ କରିଛନ୍ତି। ତଦନ୍ତର ଫଳାଫଳନେଇ ସରକାର ତାଙ୍କର ସହଯୋଗୀ ଇୟୁରୋପ ଓ ଉତ୍ତର ଆଟଲାଣ୍ଟିକ ଟ୍ରିଟି ଅର୍ଗାନାଇଜେସନ (ନାଟୋ)କୁ ସୂଚିତ କରିବେ ବୋଲି ସେବର୍ଟ କହିଛନ୍ତି।

ଏମିତିରେ କ୍ରିମିୟା ଆନ୍ଦୋଳନ ଲାଗି ଗତ ୬ ବର୍ଷ ହେଲା ଋଷିଆ ପାଶ୍ଟାତ୍ୟ କଟକଣାରେ ରହିଛି। ଏଥିରେ ଜର୍ମାନର ପଦକ୍ଷେପ ଋଷିଆ ଲାଗି ନୂଆ ସମସ୍ୟା ଛିଡା କରିପାରେ ବୋଲି ଆଶଙ୍କା କରାଗଲାଣି। ଏଲେକ୍ସି ନଭାଲନୀ ଋଷିଆ ରାଷ୍ଟ୍ରପତି ଭ୍ଲାଦିମୀର ପୁତିନଙ୍କର ଜଣେ ଦୃଢ ବିରୋଧୀ ଥିଲେ। ତାଙ୍କୁ ସବୁଦିନ ଲାଗି ରାସ୍ତାରୁ ହଟାଇ ଦେବା ଲାଗି ସୋଭିଏତ ଶୈଳୀରେ ହତ୍ୟା ଉଦ୍ୟମ କରାଯାଇଥିଲା ବୋଲି ପ୍ରଥମ ଥର ଜଣାପଡିଥିବା ବେଳେ ବିଶ୍ୱରେ ଏବେ ଚହଳ ପଡିଛି। ଏଥିରେ ଜର୍ମାନର ଘୋଷଣା ଯୋଗୁ ଇୟୁରୋ ତୁଳନରା ରୁବଲର ମୂଲ୍ୟ ଆହୁରି ହ୍ରାସ ହୋଇଛି।

୪୪ ବର୍ଷ ବୟସ୍କ ନଭଲନୀ ଅଗଷ୍ଟ ଶେଷ ସପ୍ତାହରେ ସାଇବେରିଆ ତମସ୍କରୁ ମସ୍କୋ ଫେରିବା ରାସ୍ତାରେ ଅଚାନକ ଅସୁସ୍ଥ ହୋଇପଡିଥିଲେ। ତେବେ ନଭଲନୀଙ୍କୁ ନୋଭିଚୋକ୍ ଦିଆଯାଇଥିବା ନେଇ ଜର୍ମାନ କୌଣସି ସୂଚନା ଦେଇ ନଥିବା କ୍ରେମଲିନ ମୁଖପାତ୍ରଙ୍କ ବୟାନକୁ ଆଧାର କରି ସଂବାଦ ସରବରାହ ସଂସ୍ଥା ଆରଆଇଏ କହିଛି। ଘାତକ ନର୍ଭ ଏଜେଣ୍ଟ ନୋଭିଚୋକ୍ କୁ ସୋଭିଏତ ମିଲେଟ୍ରି ୧୯୭୦ରୁ ୮୦ ଦଶକରେ ବିକଶିତ କରିଥିଲା। ପୂର୍ବତନ ଗୁପ୍ତଚର ସର୍ଗେଇ ସ୍କ୍ରିପାଲ ଓ ତାଙ୍କ ଝିଅଙ୍କୁ ବ୍ରିଟେନ ସିଲସବରୀ ସହରରେ ୨୦୧୮ ମସିହାରେ ନୋଭିଚୋକ୍ ଦେଇ ଋଷିଆ ହତ୍ୟା କରିଥିବା ବ୍ରିଟେନ କହିଛି।

ସିଲସବରି ଘଟଣାକୁ ଏବେବି ଋଷିଆ ଅସ୍ୱୀକାର କରିଆସୁଛି। ଏଥିରେ ସ୍କ୍ରିପାଲ ବର୍ତ୍ତି ଯାଇଥିବା ବେଳେ ଜଣେ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିଲା। ଯେଉଁଥିଲାଗି ଋଷିଆ ଏବେବି ସନ୍ଦେହ ଘେରରେ ଥିବା ବେଳେ ବିରୋଧୀ ଦଳ ନେତାଙ୍କର ପୁଣି ହତ୍ୟା ଉଦ୍ୟମ କରିଥିବା ସେବର୍ଟ କହିଛନ୍ତି। ଜର୍ମାନ ସରକାର ଦୃଢ ଶବ୍ଦରେ ଘଟଣାକୁ ନିନ୍ଦା କରୁଥିବା ସେ କହିଛନ୍ତି।