ସମ୍ମାନ ଫେରାଇବେ ପ୍ରକୃତିପ୍ରେମୀ

Published By : Prameya-News7 Bureau | June 30, 2018 IST

ଦିନେ ପ୍ରକୃତି ବନ୍ଧୁ ଭାବେ ଯେଉଁ ଜଙ୍ଗଲ ବିଭାଗ ତାଙ୍କୁ ସମ୍ମାନିତ କରିଥିଲା, ସେଇ ଜଙ୍ଗଲବିଭାଗର ଅପାରଗତାକୁ ଦାୟୀ କରି ଏବେ ସମ୍ମାନ ଫେରାଇବାକୁ ବାହାରିଛନ୍ତି ପ୍ରକୃତିପ୍ରେମୀ ତଥା ଅବସରପ୍ରାପ୍ତ ଶିକ୍ଷକ ନରୋତ୍ତମ ଦାସ । ୪୦ବର୍ଷ ଧରି ସେ ଯେଉଁ ଜଙ୍ଗଲକୁ ସୁରକ୍ଷା ଦେଇ ଆସିଥିଲେ, ପ୍ରଶାସନର ପୃଷ୍ଠପୋଷକତାରେ ସେଇ ଜଙ୍ଗଲ ଏବେ ନଷ୍ଟଭ୍ରଷ୍ଟ ହେବାରେ ଲାଗିଛି । ଯାହାକୁ ଆଉ ସହ୍ୟ କରପାରୁନାହାନ୍ତି ଏହି ପ୍ରକୃତିବନ୍ଧୁ ଜଣକ । ଉଦଳା ବ୍ଲକ ନାବରା ଗାଁର ଅବସରପ୍ରାପ୍ତ ଶିକ୍ଷକ ନରୋତ୍ତମ ଦାସ । ଅନେକ ବର୍ଷ ଧରି ନାବରା ଜଙ୍ଗଲକୁ ସୁରକ୍ଷା ଦେଇ ଆସୁଥିଲେ । ଜଙ୍ଗଲ ରକ୍ଷା ତଥା ଜଙ୍ଗଲ କ୍ଷୟ ରୋକିବା ସହ ଅବାଧ ଗଛ କଟାକୁ ବନ୍ଦ କରିବା ପାଇଁ ଜଙ୍ଗଲ କମିଟି ଗଠନ କରିବାଠୁ ଆରମ୍ଭ କରି ଅନେକ ପଦକ୍ଷେପ ନେଇଥିଲେ । ଯେଉଁଥିପାଇଁ ତାଙ୍କୁ ପ୍ରକୃତି ବନ୍ଧୁର ସମ୍ମାନ ମିଳିଥିଲା । 1996-97 ଓ 2004-05 ମସିହାରେ ବାରିପଦା ବନଖଣ୍ଡ, ସାମାଜିକ ବନ ପ୍ରକଳ୍ପ ଓଡ଼ିଶା ସମେତ ୧୨ଟି ସଂଗଠନ ତାଙ୍କୁ ପ୍ରକୃତି ବନ୍ଧୁର ସମ୍ମାନ ସହ ପୁରସ୍କୃତ ମଧ୍ୟ କରିଥିଲେ । ଯାହାକୁ ଏଇ ପ୍ରକୃତିପ୍ରେମୀ ଜଣକ ଏବେ ଫେରାଇବାକୁ ଯୋଜନା କରିଛନ୍ତି । କାରଣ ୪୦ବର୍ଷ ଧରି ସେ ଯେଉଁ ଜଙ୍ଗଲକୁ ସୁରକ୍ଷା ଦେଇ ଆସିଥିଲେ, ଯେଉଁଥି ପାଇଁ ତାଙ୍କୁ ଏଭଳି ସମ୍ମାନିତ କରାଯାଇଥିଲା, ସେଇ ଜଙ୍ଗଲକୁ ଏବେ ନଷ୍ଟ କରିବାରେ ଲାଗିଛି ବନ ବିଭାଗ । କିଛି ଠିକାଦାର ଓ ଅସାଧୁ ବ୍ୟବସାୟୀଙ୍କ ସହ ମିଶି ବନବିଭାଗ କର୍ମଚାରୀ ବିଭିନ୍ନ ଆଳ ଦେଖାଇ ଅବାଧରେ ଗଛ କାଟି ଜଙ୍ଗଲ ପଦା କରିବାରେ ଲାଗିଛନ୍ତି । ଯାହାକୁ ବିରୋଧ କରିଛନ୍ତି ନରୋତ୍ତମ । ଜଙ୍ଗଲ ସୁରକ୍ଷା ପାଇଁ ଜଣେ ପ୍ରକୃତିପ୍ରେମୀଙ୍କୁ ସମ୍ମାନିତ କରି ନିଜର ବଡ଼ ପଣ ଦେଖାଇବାକୁ ଚାହିଁଥିବା ବନ ବିଭାଗର ଅସଲ ଚେହେରା ଏବେ ପଦାରେ ପଡ଼ିଯାଇଛି । ଏମିତିରେ ଯେଉଁମାନେ ନିଜ ଦାୟିତ୍ବ ଓ କର୍ତ୍ତବ୍ୟକୁ ସମ୍ମାନ ଦେଇପାରୁନାହାନ୍ତି, ରକ୍ଷକ ହୋଇ ଭକ୍ଷକ ସାଜିଛନ୍ତି ସେମାନଙ୍କ ଠାରୁ ସମ୍ମାନର ଏହି ମାନପତ୍ରର ମୂଲ୍ୟ ବା କ’ଣ ? ଯାହାକୁ ଠିକ୍ ବୁଝିପାରିଛନ୍ତି ପ୍ରକୃତିପ୍ରେମୀ ନରୋତ୍ତମ ଦାସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.