ନଷ୍ଟ ହେଉଛି ଭିତରକନିକାର ପ୍ରାକୃତିକ ପରିବେଶ ; ବିପଦରେ ବିଭିନ୍ନ ଜୀବଜନ୍ତୁ, ଚଳିତ ବର୍ଷ ହ୍ରାସ ପାଇଛି ବିଦେଶୀ ପକ୍ଷୀଙ୍କ ସଂଖ୍ୟା
8/01/2019 at 10:22 AM

କେନ୍ଦ୍ରାପଡା ୮|୧: ନଷ୍ଟ ହେଉଛି ଭିତରକନିକାର ପ୍ରାକୃତିକ ପରିବେଶ । ଚିଙ୍ଗୁଡ଼ି ମାଫିଆ ତଥା ମାଛ ଧରା ଟ୍ରଲର ପାଇଁ ବିପଦରେ ବିଭିନ୍ନ ଜୀବଜନ୍ତୁ । ଯେଉଁଥି ପାଇଁ ଭିତରକନିକା ପ୍ରତି ବିମୁଖ ହେଲେଣି ବିଦେଶାଗତ ପକ୍ଷୀ । ଘଟଣା ଯେତିକି ଚିନ୍ତା ଜନକ ତାହାଠାରୁ ବେଶୀ ଦୁଃଦାୟକ ।

ଭିତରକନିକାରେ ବିଦେଶୀ ପକ୍ଷୀଙ୍କ ପ୍ରତିବିପଦ, ଚଳିତ ବର୍ଷ ହ୍ରାସ ପାଇଛି ବିଦେଶୀ ପକ୍ଷୀଙ୍କ ସଂଖ୍ୟା । ଗତ ବର୍ଷ ଏକ ଲକ୍ଷ ୧୨ ହଜାର ୯ ୩୭ଟି ପକ୍ଷୀ ଆସିଥିବା ବେଳେ ଚଳିତ ଆସିଛନ୍ତି ଏକ ଲକ୍ଷ ୯ ହଜାର ପକ୍ଷୀ । ପକ୍ଷୀଙ୍କ ସଂଖ୍ୟା ପ୍ରାୟ ୪ ହଜାର କମିଛି । ବେଆଇନ ଚିଙ୍ଗୁଡି ଘେରି, ପକ୍ଷୀ ଶିକାର ଓ ବନବିଭାଗର ଦାୟିତ୍ବ ହୀନତାକୁ ପାଇଁ ପକ୍ଷୀ ସଂଖ୍ୟା କମିବାରେ ଲାଗିଛି । ଶହ ଶହ ଏକର ନଦୀ ପଠାକୁ ମାଡ଼ି ବସିଛନ୍ତି ଚିଙ୍ଗୁଡ଼ି ମାଫିଆ। ବେଆଇନ ଚିଙ୍ଗୁଡ଼ି ଘେରି ଯୋଗୁଁ ଜୈବ ବିବିଧତା ନଷ୍ଟ ହେବା ସହିତ ପ୍ରଦୂଷିତ ହେଉଛି ନଦୀଜଳ । ଯାହା ପକ୍ଷୀ ମାନଙ୍କ ପାଇଁ ବିପଦ ପାଲଟିଛି । ଖାଦ୍ୟ ଅନ୍ବେଷଣରେ ହଜାର ହଜାର କିଲୋମିଟର ଦୂରରୁ ଉଡ଼ିଆସିଥିବା ପକ୍ଷୀ ଏବେ ଭିତରକନିକାରୁ ମୁହଁ ଫେରାଇନେଇଛନ୍ତି । ଯାହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ପରିବେଶ ବିତ୍ ।

କେବଳ ପକ୍ଷୀ କାହିଁକି ଅଲିଭରିଡଲେ କଇଁଛଙ୍କ ସଂଖ୍ୟା ମଧ୍ୟ ହ୍ରାସ ପାଉଛି । ବେଆଇନ ଟ୍ରଲର ଚାଲିବା ଦ୍ବାରା ଏକାଧିକ କଇଁଛଙ୍କ ମୃତ୍ୟୁ ହେବାର ନଜିର ମଧ୍ୟ ରହିଛି । ବିଭିନ୍ନ ସମୟରେ ଲୋକଦେଖାଣିଆ ଭାବେ କଟକଣା ଲଗାଇ ବସି ରହୁଛି ବନବିଭାଗ । ନିୟମ କାନୁନ କାର୍ଯ୍ୟକାରୀ ନହେବାରୁ ବନବିଭାଗର ନାକନିଶ ତଳେ ଭିତରକନିକାର ପରିବେଶକୁ ନଷ୍ଟ କରୁଛନ୍ତି ମାଫିଆମାନେ ।

ବନବିଭାଗର ଅବହେଳା ହେଉକି ମାଫିଆଙ୍କ ରାଜ, ଯାହା କାରଣ ହେଉନା କାହିଁକି । ଏବେ ଠାରୁ ସ୍ଥାନୀୟ ପ୍ରଶାସନ ସଜାଗ ନହେଲେ ଭିତରକନିକାର ଜୀବଜନ୍ତୁ ତଥା ପରିବେଶ ନିଶ୍ଚିହ୍ନ ହୋଇଯିବ ଏବଂ ବିଶ୍ବ ଐତିହ୍ୟ ତାଲିକାରୁ ବାଦ୍ ପଡିବ ଏହି ପ୍ରକୃତିର ସୃଷ୍ଟି।