ରାମ ମନ୍ଦିର ନିର୍ମାଣ ପାଇଁ ଦେଶବ୍ୟାପି ପାଣ୍ଠି ସଂଗ୍ରହ ଅଭିଯାନ, ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର କ୍ୟାମ୍ପେନ୍ ଆରମ୍ଭ
14/01/2021 at 1:02 PM

ନୂଆଦିଲ୍ଲୀ, ୧୪/୦୧: ଅଯୋଧ୍ୟାରେ ଆରମ୍ଭ ହେବାକୁ ଥିବା ରାମ ମନ୍ଦିର ନିର୍ମାଣ ପାଇଁ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ଆଜି ଏକ କ୍ୟାମ୍ପେନ୍ ଲଞ୍ଚ କରାଯାଇଛି । ଆଜି ଠାରୁ ଲୋକଙ୍କ ପାଖରେ ପହଞ୍ଚି ମନ୍ଦିର ପାଇଁ ଅର୍ଥିକ ଯୋଗଦାନ କରିବାକୁ କୁହାଯିବ । ମନ୍ଦିର ପାଇଁ ସ୍ୱଇଚ୍ଛାରେ ଦାନ କରିବାପାଇଁ ପୂର୍ବରୁ ଟ୍ୱିଟ୍ କରି ଟ୍ରଷ୍ଟ ପକ୍ଷରୁ କୁହାଯାଇଥିଲା । କୋଟି କୋଟି ରାମ ଭକ୍ତଙ୍କ ଏହି ଦାନ ଅର୍ଥରୁ ହିଁ ମନ୍ଦିର ନିର୍ମାଣ କରାଯିବ ବୋଲି ଟ୍ରଷ୍ଟ ପ୍ରକାଶ କରିଛି ।
ଦେଶସାରା ଏହି ଦାନକୁ ଗ୍ରହଣ କରାଯିବ । ଦାନ ସଂଗ୍ରହ କରିବା ପାଇଁ ୧୦ ଟଙ୍କିଆ, ୧୦୦ ଟଙ୍କିଆ ଏବଂ ୧୦୦୦ ଟଙ୍କିଆ କୁପନ୍ର ପ୍ରିଣ୍ଟ କରାଯାଇଛି । ମକର ସଂକ୍ରାନ୍ତିରୁ ଆରମ୍ଭ ହୋଇ ଏହି ଦାନ ସଂଗ୍ରହ ଅଭିଯାନ ଫେବୃଆରୀ ୨୭ ତାରିଖ ମାଘ ପୂର୍ଣ୍ଣିମା ପର୍ଯ୍ୟନ୍ତ ଚାଲିବ । ଏଥି ପାଇଁ ଘରକୁ ଘର ବୁଲି କ୍ୟାମ୍ପେନ୍ କରାଯିବ । ହେବାକୁ ଥିବା ନୂଆ ମନ୍ଦିରର ମଡେଲ୍ ଫଟୋକୁ ପ୍ରତି ଘରେ ପହଞ୍ଚାଯିବ । ଏହି ମନ୍ଦିର ନିର୍ମାଣ ସହିତ କମ୍ପ୍ଲେକ୍ସ ତିଆରି ସମୁଦାୟ ୧୧ ଶହ କୋଟି ଟଙ୍କାର ବଜେଟ୍ କରାଯାଇଛି । କେବଳ ମନ୍ଦିର ନିର୍ମାଣରେ ୩ ଶହ ରୁ ୪ ଶହ କୋଟି ଟଙ୍କା ଖର୍ଚ୍ଚ ହେବ । ସ୍ୱାମୀ ଗୋବିନ୍ଦ ଦେବ ଗିରିଜି ମହାରାଜ, ଟ୍ରେଜରର, ଶ୍ରୀ ରାମ ଜନ୍ମଭୂମି ତାର୍ଥକ୍ଷେତ୍ର ଟ୍ରଷ୍ଟ, ବିଶେଷଜ୍ଞ ମନ୍ଦିର ନିର୍ମାଣର ଯୋଜନା କରିଛନ୍ତି । ଏହାର ନିର୍ମାଣ କାର୍ଯ୍ୟ ୨୦୨୪ ମଧ୍ୟରେ ଶେଷ କରାଯିବା ନେଇ ଆଶା କରାଯାଉଛି ।