Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସୁରକ୍ଷାମନ୍ତ୍ରୀଙ୍କୁ ବିରୋଧରେ ବୟାନ ଦେଇ ଫସିଗଲେ ରାହୁଲ : ରାହୁଲଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କଲେ ଜାତୀୟ ମହିଳା ଆୟୋଗ

10/01/2019 at 2:06 PM

ଦିଲ୍ଲୀ ୧୦/୧ : ସୁରକ୍ଷାମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବିରୋଧରେ ବୟାନ ଦେଇ ଫସିଗଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ | ରାଷ୍ଟ୍ରୀୟ ମହିଳା ଆୟୋଗ ଏନେଇ ରାହୁଲ ଗାନ୍ଧୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛି | ରାହୁଲ ଗାନ୍ଧୀ ରାଫେଲ ମାମଲାରେ କେନ୍ଦ୍ର ସରକାରଙ୍କୁ ଆକ୍ଷେପ କରି କହିଥିଲେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜଣେ ମହିଳା (ସୁରକ୍ଷାମନ୍ତ୍ରୀ)ଙ୍କ ପଛରେ ଲୁଚୁଛନ୍ତି  | ରାହୁଲଙ୍କ ଏହି ଆକ୍ଷେପ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ସମେତ ଅନେକ ନେତା ଏବଂ ରାଜନେତା ରାହୁଲଙ୍କୁ ସମାଲୋଚନା କରିଥିଲେ | ରାହୁଲ ଗାନ୍ଧୀଙ୍କ ଏହି ଟିପ୍ପଣୀକୁ ରାଷ୍ଟ୍ରୀୟ ମହିଳା ଆୟୋଗ ଅଧ୍ୟକ୍ଷ ରେଖା ଶର୍ମା ମଧ୍ୟ କଡା ଭାଷାରେ ନିନ୍ଦା କରିଥିଲେ | ଏନେଇ ରେଖା ଶର୍ମା ଟ୍ୱିଟ କରି କଡାଭାଷାରେ ରହୁଲଙ୍କୁ ସମାଲୋଚନା କରିଛନ୍ତି ।  ରାହୁଲ ଗାନ୍ଧୀଙ୍କ ବକ୍ତବ୍ୟକୁ ମଧ୍ୟ ସେ ଟୁଇଟରେ ଉଦ୍ଧାର କରିଛନ୍ତି । ରାହୁଲ କହିଥିଲେ ଯେ, “…..ଜଣେ ମହିଳାଙ୍କୁ କହିଥିଲେ ମୋତେ ରକ୍ଷା କରନ୍ତୁ ?” । ରେଖା ଶର୍ମା ପ୍ରଷ୍ନ କରିଛନ୍ତି ଯେ, ମହିଳାମାନେ ଦୁର୍ବଳ ବୋଲି କାହିଁକି ରାହୁଲ ଭାବୁଛନ୍ତି । ରାହୁଲ ଏତେ ବଡ ଦେଶର ସୁରକ୍ଷାମନ୍ତ୍ରୀଙ୍କୁ ଦୁର୍ବଳ କହିଛନ୍ତି ବୋଲି ସେ ଟ୍ୱିଟ କରିଥିଲେ |

ରାହୁଲଙ୍କ ବୟାନକୁ ନେଇ ହଇଚଇ ସୃଷ୍ଟି ହୋଇଯାଇଛି | ଏନେଇ ରାଷ୍ଟ୍ରୀୟ ମହିଳା ଆୟୋଗ ଅଧ୍ୟକ୍ଷ ରାହୁଲଙ୍କୁ ନୋଟିସ ପଠେଇଛି | ରାଷ୍ଟ୍ରୀୟ ମହିଳା ଆୟୋଗ ଅଧ୍ୟକ୍ଷ କହିଛନ୍ତି ଯେ, ରାହୁଲଙ୍କ ବୟାନ ମହିଳା ବିରୋଧୀ, ଆକ୍ରମଣାତ୍ମକ, ଅନୈତିକ । ତାଙ୍କ ବକ୍ତବ୍ୟ ମଧ୍ୟ  ମହିଳାଙ୍କ ମାନସମ୍ମାନ ଏବଂ ପ୍ରତିଷ୍ଠା ଉପରେ ଆଂଚ ଆଣିଛି |

କଂଗ୍ରେସର ଏକ ରାଲିରେ ରାହୁଲ ଗାନ୍ଧୀ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂସଦରେ ନିଜ ସୁରକ୍ଷା ପାଇଁ ଜଣେ ମହିଳାଙ୍କ ସାହାରା ନେଇଥିଲେ | କାରଣ ସେ ନିଜେ ନିଜର ସୁରକ୍ଷା କରିପାରୁନାହାନ୍ତି | ସେ ଆହୁରି କହିଥିଲେ ଯେ, ୫୬ ଇଂଚ ଛାତି ରଖିଥିବା ଚୌକିଦାର ଛିଡା ହୋଇ ଜଣେ ମହିଳା ସୀତାରମଣ ଜୀଙ୍କୁ କହିଥିଲେ ଯେ, ମୋତେ ରକ୍ଷା କର | ମୁଁ ନିଜକୁ ରକ୍ଷା କରିବା ପାଇଁ ଅସମର୍ଥ | କିନ୍ତୁ ମହିଳା ଅଢେଇ ଘଣ୍ଟା ପର୍ଯ୍ୟନ୍ତ ତାଙ୍କୁ ସୁରକ୍ଷା ପ୍ରଦାନ କରିପାରିନଥିଲେ | ରାହୁଲ କହିଥିଲେ ଯେ, ମୁଁ ତାଙ୍କୁ ଏକ ସାଧାରଣ ପ୍ରଶ୍ନ କରିଥିଲି, ଯାହାର ଉତ୍ତର ସେ ହଁ କିମ୍ବା ନା ରେ ଦେଇପାରିଥାନ୍ତେ | କିନ୍ତୁ ସେ ଉତ୍ତର ଦେଇପାରିନଥିଲେ |

ଏହା ପରେ ରାହୁଲ ଗାନ୍ଧୀ ମୋଦିଙ୍କୁ ଟାର୍ଗେଟ କରି ଟ୍ୱିଟ କରିଥିଲେ ଯେ, କଥା ବୁଲେଇବାକୁ ଚେଷ୍ଟା କରନ୍ତୁନାହିଁ | ପୁରୁଷ ପଣିଆ ଦେଖାଇ ପ୍ରଶ୍ନର ଠିକ ଜବାବ ଦିଅନ୍ତୁ | ରାହୁଲଙ୍କ ଏହି ଦୁଇଟି ଟିପ୍ପଣୀ ଉପରେ ନିଜଆଡୁ ପଦକ୍ଷେପ ନେଇ ମହିଳା ଆୟୋଗ ରାହୁଲଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛି |

ରାହୁଲଙ୍କ ଟିପ୍ପଣୀ ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ମୋଦି କଂଗ୍ରେସ ନେତାମାନଙ୍କୁ ଟାର୍ଗେଟ କରି ସେମାନେ କେବଳ ମହିଳାଙ୍କୁ ଅପମାନ ଦେଇ ଜାଣନ୍ତି ବୋଲି କହିଥିଲେ । ସେ କହିଥିଲେ ଯେ, ଲୋକସଭାରେ ରାଫେଲ ମାମଲାରେ ସମସ୍ତ ତଥ୍ୟ ସହ ପହଂଚିଥିଲେ ସୁରକ୍ଷାମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ବିରୋଧୀଙ୍କ ଅବସ୍ଥା ଖରାପ କରିଦେଇଥିଲେ | ସେ ଅଭିଯୋଗ କରିଥିଲେ ଯେ, ରାହୁଲ ମହିଳା ସୁରକ୍ଷାମନ୍ତ୍ରୀଙ୍କୁ ଅପମାନ ଦେବାପାଇଁ ପ୍ରତିଜ୍ଞାବଦ୍ଧ | ଏହି ଅପମାନ କେବଳ ସୁରକ୍ଷାମନ୍ତ୍ରୀଙ୍କର ନୁହଁ ବରଂ ଦେଶର ନାରୀଶକ୍ତିର ଅପମାନ | ଏଥିପାଇଁ ଏହି ନେତାମାନଙ୍କୁ ତାର ମୂଲ୍ୟ ଦେବାକୁ ପଡିବ ବୋଲି କହିଛନ୍ତି ମୋଦି | ପ୍ରଥମଥର ପାଇଁ ଜଣେ ମହିଳା ଦେଶର ସୁରକ୍ଷାମନ୍ତ୍ରୀ ହୋଇଛନ୍ତି ଏବଂ ଏହା ଗର୍ବର ବିଷୟ ବୋଲି ସେ କହିଛନ୍ତି |

   Related Posts