ବିଜେପିକୁ ଭୋଟ ନଦେବା ପାଇଁ ନାସିରୁଦ୍ଦିନ ଶାହ, ଅନୁରାଗ କଶ୍ୟପଙ୍କ ସମେତ ୬୦୦ ମଞ୍ଚ ଅଭିନେତା କଲେ ଅପିଲ
5/04/2019 at 3:46 PM

ମୁମ୍ବାଇ ୫/୪ : ବଲିଉଡ ଅଭିନେତା ନାସିରୁଦ୍ଦିନ ଶାହଙ୍କ ସମେତ ୬୦୦ ମଞ୍ଚ ଅଭିନେତା ବିଜେପିକୁ ଭୋଟ ନଦେବା ପାଇଁ ଅପିଲ କରିଛନ୍ତି | ଏମାନେ ସମସ୍ତେ ଏକ ଚିଠି ଲେଖି ଲୋକଙ୍କୁ କହିଛନ୍ତି ଯେ, ବିଜେପି ଏବଂ ବିଜେପି ସହଯୋଗୀଙ୍କୁ ଆସନରୁ ବିତାଡିତ କର | ଅପିଲ କରିଥିବା ଅଭିନେତାଙ୍କ ମଧ୍ୟରେ ଅଛନ୍ତି ଅମୋଲ ପାଲେକର, ନାସିରୁଦ୍ଦିନ ଶାହ, ଗିରିଶ କର୍ଣାଡ଼, ଏମ.କେ.ରାଇନା, ଉଷା ଗାଙ୍ଗୁଲି ତଥା ଜଣାଶୁଣା ଅଭିନେତା ଅଭିନେତ୍ରୀ |

ସୂଚନା ଅନୁଯାୟୀ, ଏମାନେ ସମସ୍ତେ କହିଛନ୍ତି ଯେ, ଦେଶ ଏବଂ ଦେଶର ସମ୍ବିଧାନ ବିପରୀତ ପରିସ୍ଥିତିରେ ଅଛି | ସେଥିପାଇଁ ବିଜେପିକୁ ଭୋଟ ନ ଦିଅନ୍ତୁ | ଏହି ଚିଠି ଗୁରୁବାର ଦିନ ଜାରି କରାଯାଇଥିଲା | ଏହି ଚିଠିକୁ ୧୨ଟି ଭାଷାରେ ଲେଖାଯାଇଛି | ଏହି ଚିଠିକୁ ୧୨ଟି ଭାଷାରେ ଲେଖିବା ପରେ ଆର୍ଟିଷ୍ଟ ୟୁନାଇଟେଡ଼ ଇଣ୍ଡିଆ ୱେବସାଇଟରେ ଅପଲୋଡ଼ କରାଯାଇଛି |

ଚିଠିରେ ଆଉ କ’ଣ କ’ଣ ଲେଖାଯାଇଛି ଜାଣନ୍ତୁ :
ଚିଠିରେ ଲେଖାଯାଇଛି ଯେ, ଚଳିତ ଲୋକସଭା ନିର୍ବାଚନ ଭାରତ ଇତିହାସର ସବୁଠାରୁ ମହତ୍ଵପୁର୍ଣ ନିର୍ବାଚନ | ଭାରତର ଗୀତ, ନୃତ୍ୟ, ଅଭିନୟ ସବୁ ବିପଦରେ ଅଛି | ଭାରତର ସମ୍ବିଧାନ ବିପଦରେ ଅଛି | ଯେଉଁ ସଂସ୍ଥାରେ ତର୍କ ବିତର୍କ ଏବଂ ଅସହାମତାର ବିକାଶ ପାଇଁ ମହତ୍ୱ ଦିଆଯାଏ ବିଜେପି ସରକାର ସେହି ସଂସ୍ଥାକୁ ବନ୍ଦ କରିଦେଇଛନ୍ତି ବୋଲି ଅଭିଯୋଗ କରାଯାଇଥିଲା |
ଗଣତନ୍ତ୍ର ବିନା କୌଣସି ପ୍ରଶ୍ନ-ଉତ୍ତର, ଯୁକ୍ତି-ତର୍କ ଏବଂ ବିପକ୍ଷ ବିନା କୌଣସି କାମ କରାଯାଇପାରିବ ନାହିଁ | ଏହି ସବୁକୁ ବିଜେପି ସରକାର ପାଦ ତଳେ ଦଳି ଚକଟି ଦେଇଛନ୍ତି | ବିଜେପି ସରକାର ଏବଂ ସମସ୍ତ ବିଜେପି କର୍ମୀଙ୍କୁ ଶାସନରୁ ବାହାର କରିଦିଆଯିବା ଉଚିତ ବୋଲି ଚିଠିରେ ଲେଖାଯାଇଛି | ଘୃଣା, ନିଷ୍ଠୁରତାକୁ ଶାସନରୁ ବାହାର କରି ସମ୍ବିଧାନକୁ ସୁରକ୍ଷିତ ରଖନ୍ତୁ ବୋଲି ଚିଠି ମାଧ୍ୟମରେ ଅପିଲ କରାଯାଇଛି |

ଚିଠିରେ ସାନ୍ତା ଗୋଖଲେ, ମହେଶ ଏଲକୁଞ୍ଚେବାର, ମହେଶ ଦତ୍ତାନି, ଅରୁନ୍ଧତୀ ନାଗ, କୀର୍ତ୍ତି ଜୈନ, ଅଭିଷେକ ମଜୁମଦାର, କୋଙ୍କଣା ସେନ ଶର୍ମା, ରତ୍ନା ପାଠକ, ଲଳିତ ଦୁବେ, ମିତା ବଶିଷ୍ଠ, ମକରନ୍ଦ ଦେଶପାଣ୍ଡେ, ଅନୁରାଗ କଶ୍ୟପ ଆଦି ଦସ୍ତଖତ କରିଛନ୍ତି |

ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ୧୦୦ ରୁ ଅଧିକ ଫିଲ୍ମ ମେକର ଲୋକସଭା ନିର୍ବାଚନରେ ବିଜେପିକୁ ଭୋଟ ନଦେବା ପାଇଁ ଅପିଲ କରିସାରିଛନ୍ତି |