ଗେମ୍‌ ଚେଞ୍ଜର ହେବ ନାଜାଲ୍‌ ଭ୍ୟାକ୍‌ସିନ୍‌ ! ଟିକା ଟ୍ରାଏଲକୁ ବେଶଷଜ୍ଞ କମିଟିର ମଞ୍ଜୁରୀ

Published By : Prameya-News7 Bureau | January 19, 2021 IST

ନୂଆଦିଲ୍ଲୀ ୧୯/୦୧: କରୋନା ବିରୋଧରେ ଲଢ଼େଇରେ ଭାରତ ଆଉ ଏକ ପାଦ ଆଗକୁ ବଢ଼ିବାକୁ ତୟାର। ଆଉ ଏକ ଭ୍ୟାକସିନ୍‌ ଟ୍ରାଏଲକୁ ମଞ୍ଜୁରୀ ଦେଲେ ସରକାର। ନାଜାଲ୍‌ ଭ୍ୟାକସିନ୍‌ ଟ୍ରାଏଲ ପାଇଁ ଭାରତ ବାୟୋଟେଖୁ ଅନୁମତି ଦେଲେ ଏକ୍ସପର୍ଟ କମିଟି। ନାଜାଲ୍‌‌ ଭ୍ୟାକ୍‌ସିନ୍‌ର ପ୍ରଥମ ଓ ଦ୍ବିତୀୟ ଚରଣ ଟ୍ରାଏଲ ପାଇଁ ଅନୁମତି ମିଳିଛି। ଖୁବଶୀଘ୍ର ଏହାର ଟ୍ରାଏଲ ଆରମ୍ଭ ହୋଇଯିବ ବୋଲି ଜଣାପଡ଼ିଛି।

ନାଜାଲ୍‌ ଭ୍ୟାକ୍‌ସିନ୍‌ ନାକରେ ଦିଆଯିବ। କିନ୍ତୁ ଏବେ ଭାରତରେ ବ୍ୟବହୃତ ହେଉଥିବା ଭ୍ୟାକ୍‌ସିନ୍‌ ଇଞ୍ଜେକ୍ସନ ଦ୍ବାରା ହାତରେ ଦିଆଯାଉଛି। ନାଜାଲ୍‌‌ ଭ୍ୟାକ୍‌ସିନର ଟ୍ରାଏଲ ନାଗପୁରରେ ହେବ ବୋଲି କୁହାଯାଉଛି। ଭାରତ ବାୟୋଟେକ୍‌ର  ଡାକ୍ତର କୃଷ୍ଣା ଇଲ୍ଲା କହିଛନ୍ତି, ତାଙ୍କ କମ୍ପାନୀ ଓ୍ବାଶିଂଟନ୍‌ ୟୁନିଭର୍ସିଟି ସହିତ ବୁଝାମଣା କରିଛି। ନାଜାଲ୍‌‌ ଭ୍ୟାକ୍‌ସିନ୍‌ ଆସିଯିବା ପରେ ଲୋକଙ୍କୁ କେବଳ ଗୋଟିଏ ଲେଖାଏଁ ଡୋଜ୍‌ ଦିଆଯିବ।

ତେବେ ଏହି ଭ୍ୟାକ୍‌ସିନ୍‌ ଅନ୍ୟ ଗୁଡ଼ିକଠାରୁ ଭଲ କାମ କରିବ ବୋଲି ରିସର୍ଚ୍ଚରୁ ଜଣାପଡ଼ିଛି। ଇଞ୍ଜେକ୍ସନରେ ନିଆଯାଉଥିବା ଭ୍ୟାକ୍‌ସନ ଠାରୁ ନାଜାଲ୍‌ ଭ୍ୟାକ୍‌ସିନ୍‌ ବହୁତ ଭଲ ବୋଲି ଜଣାପଡ଼ିଛି। ତେବେ ଏହି ଟିକାର ଟ୍ରାଏଲ ଭୁବନେଶ୍ବର-ପୁନେ-ନାଗପୁର-ହାଇଦ୍ରାବାଦରେ ହୋଇପାରେ । ଏଥିପାଇଁ ୧୮ରୁ ୬୫ ବର୍ଷ ବର୍ଷୀୟ ପାଖାପାଖି ୪୦-୪୫ ସ୍ବେଚ୍ଛାସେବୀଙ୍କୁ ଚୟନ କରାଯିବ।

ଓ୍ବାଶିଂଟନ ସ୍କୁଲ୍‌ ଅଫ ମେଡିସିନ୍‌ର ରିସର୍ଚ୍ଚ ମୁତାବିକ, ଯଦି ନାକରେ କରୋନା ଟିକା ଦିଆଯାଏ ତେବେ ଶରୀରରେ ରୋଗ ପ୍ରତିରୋଧକ  ଶକ୍ତି ବୃଦ୍ଧି ପାଇବ । ନାକ ଦ୍ବାରା ହେବାକୁ ଥିବା କୌଣସି ପ୍ରକାର ସଂକ୍ରମଣକୁ ଏହି ଟିକା ରୋକିବ। ନାଜାଲ୍‌ ଟିକାର ଟ୍ରାଏଲକୁ ଅନୁମତି ଦେବା ପୂର୍ବରୁ ବିଶେଷଜ୍ଞମାନେ କହିଥିଲେ ଏହି ଟିକା କରୋନା ଭାଇରସ୍‌ ସହ ଲଢ଼େଇରେ ଗେମ ଚେଞ୍ଜର ହୋଇପାରିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.