ବନ୍ଦ ପାଳନ ବେଳେ ବିଧାୟକ-ସାଂସଦଙ୍କ କୁଶପୁତ୍ତଳିକା ଦାହ, କଂଗ୍ରେସ କର୍ମୀଙ୍କ ବିଶୃଙ୍ଖଳିତ କାର୍ଯ୍ୟ ବିରୋଧରେ ଥାନାରେ ଅଭିଯୋଗ
11/12/2020 at 6:02 PM

ଭଦ୍ରକ ୧୧।୧୨: ଭଦ୍ରକରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଗତକାଲି କଂଗ୍ରେସ ଦଳ ପକ୍ଷରୁ ଭଦ୍ରକ ସହର ବନ୍ଦ ପାଳନ ବେଳେ କଂଗ୍ରେସ କର୍ମୀଙ୍କ ବିଶୃଙ୍ଖଳିତ କାର୍ଯ୍ୟ ବିରୋଧରେ ଆଜି ଟାଉନ ଥାନାରେ ଅଭିଯୋଗ କରାଯାଇଛି। ନାରୀ ସୁରକ୍ଷୀ ପ୍ରଗତି ମଞ୍ଚ ଓ ଜିଲ୍ଲା ମହିଳା ଶକ୍ତି ତରଫରୁ ଏହି ଘଟଣାରେ ଟାଉନ ଥାନାରେ ପୃଥକ ଭାବରେ ୨ ଟି ଲିଖିତ ଅଭିଯୋଗ କରାଯାଇଛି।
ଭଦ୍ରକରେ ଏକ ମେଡିକାଲ କଲେଜ ପ୍ରତିଷ୍ଠା ଦାବିକୁ ସବୁ ସ୍ତରରେ ସମର୍ଥନ କରାଯାଉଥିବା ବେଳେ ଗତକାଲି କଂଗ୍ରେସ ଡାକରାରେ ବନ୍ଦ ବେଳେ ଗଣତାନ୍ତ୍ରିକ ପଦ୍ଧତିରେ ଜିଲ୍ଲାରୁ ନିର୍ବାଚିତ ବିଧାୟକ ଓ ସାଂସଦଙ୍କୁ କଂଗ୍ରେସ ଦଳୀୟ କର୍ମୀ ଦ୍ବାରା ଅପମାନିତ କରାଯିବା ନିନ୍ଦନୀୟ ଓ ଆଦୌ ଗ୍ରହଣୀୟ ନୁହେଁ ବୋଲି, କହିଛି ନାରୀ ସୁରକ୍ଷା ମଞ୍ଚ ଓ ମହିଳା ଶକ୍ତି।
ସୂଚନା ଅନୁସାରେ, ଗତକାଲି କଂଗ୍ରେସ ଡାକରାରେ ଭଦ୍ରକ ସହର ବନ୍ଦ ବେଳେ କଂଗ୍ରେସ କର୍ମୀଙ୍କ ଦ୍ବାରା ବିଧାୟକ ଓ ସାଂସଦଙ୍କ ଫଟୋ ଚିତ୍ରକୁ ଗୋଇଠା ମାରିବା, ଜୋତାରେ ମାରିବା ସହ କୁଶପୁତ୍ତଲିକା ଦାହ କରାଯାଇଥିଲା। ଏପରିକି ସେହି ସମୟର ଏକ ଭିଡିଓକୁ ସୋସିଆଲ ମିଡିଆରେ ଅପଲୋଡ କରାଯାଇଥିଲା। ଯାହା ନିର୍ବାଚିତ ଜନପ୍ରତିନିଧିଙ୍କ ସମ୍ମାନକୁ କ୍ଷୁଣ୍ଣ କରିବା ସହ ସେମାନଙ୍କୁ ଅପମାନିତ କରାଯାଇଥିବା ପରି କାର୍ଯ୍ୟ ହୋଇଛି। ଯାହାକୁ ତିବ୍ର ବିରୋଧ କରିବା ସହ କଂଗ୍ରେସ କର୍ମୀଙ୍କ ଏତାଦୃଶ କାର୍ଯ୍ୟ ବିରୋଧରେ ଦୃଢ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କରିଛି ନାରୀପ୍ରଗତି ମଞ୍ଚ ଓ ମହିଳା ଶକ୍ତି।