ନୂଆଦିଲ୍ଲୀ ୧୨/୦୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା ଅନ୍ତର୍ଗତ ମଧ୍ୟପ୍ରଦେଶରେ ୧୨ ହଜାର ଗାଁରେ ନିର୍ମିତ ୧.୭୫ ଲକ୍ଷ ଘରର ଲୋକାର୍ପଣ କରିଛନ୍ତି। ଏହା ସହ ୧.୭୫ ଳକ୍ଷ ଲୋକଙ୍କ ଗୃହପ୍ରବେଶ କରାଇଛନ୍ତି। ଏହି ଅବସରରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ଚୌହାନ ମଧ୍ୟ ଉପସ୍ଥିତ ଥିଲେ। ଭିଡ଼ିଓ କନଫରେନ୍ସି ମାଧ୍ୟମରେ ମୋଦି ଲୋକଙ୍କୁ ସମ୍ବୋଧନ କରି କହିଛନ୍ତି ପିଏମ ଗରିବ କଲ୍ୟାଣ ଯୋଜନା ଅନୁସାରେ ଘର ତ ତିଆରି ହେଉଛି ତା’ ସହ ପ୍ରତିଘରେ ଜଳ ବ୍ୟବସ୍ଥା, ପଞ୍ଚାୟତ ଓ ଅଙ୍ଗନଓ୍ବାଡି ଘର ନିର୍ମାଣ,କୂଅ ନିର୍ମାଣ, ଗାଁ ରାସ୍ତା ତଥା ଗାଁର ବିକାଶ ଦିଗରେ ଜୋରଦାର ପ୍ରସ୍ତୁତି ଚାଲିଛି। ପ୍ରାୟ ୨ ଲକ୍ଷ ପରିବାରର ଗୃହ ପ୍ରବେଶ କରିବା ଖୁସିରେ ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପିଏମ ମୋଦି।
ପିଏମ ଆବାସ ଯୋଜନାରେ ଗୋଟିଏ ଘର ନିର୍ମାଣ ହେବାକୁ ପ୍ରାୟ ୧୨୫ ଦିନ ସମୟ ଲାଗୁଛି। ତେବେ କରୋନା କାଳରେ ଘର ନିର୍ମାଣ ୪୫ରୁ ୬୦ ଦିନ ଭିତରେ କରାଯାଉଥିବା ମୋଦି କହିଛନ୍ତି। ଯେଉଁମାନଙ୍କୁ ଆଜି ଘର ମିଳିଛି ସେମାନଙ୍କ ଭିତରେ ଖୁସି ଓ ଆତ୍ମବିଶ୍ବାସ ଅନୁଭବ କରି ହେଉଛି। ସେ ଆହୁରି କହିଛନ୍ତି ପୂର୍ବରୁ ଗରିବ ଲୋକ ସରକାରଙ୍କ ପଛରେ ଦୌଡୁଥିଲେ ଏବେ ସରକାର ଲୋକଙ୍କ ପାଖକୁ ଯାଉଛନ୍ତି। ଏବେ କାହା ଇଚ୍ଛାରେ ତାଲିକାରେ ନାଁକୁ ଯୋଡା ଯିବ ନାହିଁ କି କଟା ଯିବ ନାହିଁ। ମନୋନୟନରୁ ଆରମ୍ଭ କରି ନିର୍ମାଣ ପର୍ଯ୍ୟନ୍ତ ବୈଜ୍ଞାନିକ ଓ ପାରଦର୍ଶୀ ନିୟମ ଗ୍ରହଣ କରାଯାଉଛି।
ସେ ଟ୍ବିଟ୍ କରି କହିଛନ୍ତି ୨୦୨୨ ସୁଦ୍ଧା ଦେଶର ପ୍ରତି ପରିବାରକୁ ଘର ଦେବା ଲକ୍ଷ୍ୟ ଦିଶାରେ ଏହା ଏକ ବଡ଼ ପଦକ୍ଷେପ। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନୁସାରେ ତିଆରି ହୋଇଥିବା ଘର ଏ କଥାର ପ୍ରମାଣ ଦେଉଛି କି କରୋନା ମହାମାରୀ ବିକାଶ କାର୍ଯ୍ୟରେ ବାଧକ ହୋଇପାରିବ ନାହିଁ। ସୂଚନାଯୋଗ୍ୟ ୨୦୧୬ ନଭେମ୍ବର ୨୦ରେ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାର ଶୁଭାରାମ୍ଭ ହୋଇଥିଲା।